Unknown

 

 

 

 

 

 

 

 

 

 

 

ଶେଷ ପରିଚ୍ଛେଦ

ଚନ୍ଦ୍ରମଣି ଦାସ

 

ଶେଷ ପରିଚ୍ଛେଦ

 

ଆହତ ରୋଗୀର ଆର୍ତ୍ତନାଦ ପରି କାନ୍ଥଘଡ଼ିରେ ବାଜିଲା ଦୁଇ... । ରାତ୍ରି...ସତେ ଯେପରି ପ୍ରଳୟର ଶେଷ ରାତ୍ରି ।

 

କରଲେଉଟାଇ ଡାକ୍ତରବାବୁ ଗୋଟାଏ ଖିଆଲରେ ଘଡ଼ିଟାକୁ ଚାହିଁଲେ, ଦୁଇଟାବାଜି ସେକେଣ୍ଡକଣ୍ଟା ଟିକ୍‍ ଟିକ୍‍ ହୋଇ ଚାଲିଛି ଆଗକୁ—ଠିକ୍‍ ଯନ୍ତ୍ରଣା ଭୋଗୁଥିବା ରୋଗୀର କୁନ୍ଥାଣ ପରି-। ବିରକ୍ତିରେ ତାଙ୍କର ମନକୁ ମନ ପ୍ରଶ୍ନ—ଦୁଇଟା ଯେ ଆସି ବାଜିଲା, ତଥାପି ଆଖି କଷା ପଡ଼ିବାକୁ ନାହିଁ । କ’ଣ ହୋଇଛି ତାଙ୍କର ! ସେ ନିଜେ ଆଉ ରୋଗୀ ପାଲଟି ଗଲେନା କ’ଣ !

 

ଅନିଚ୍ଛାସତ୍ୱେ ଡାକ୍ତର ଶିଶିରବାବୁ ବିଛଣାରେ ଉଠି ବସିଲେ । ଆରଘରୁ ପୂଝାରିର ଘୁଙ୍ଗୁଡ଼ିର ଶବ୍ଦ ବରାବର କାନରେ ଆସି ବାଜୁଛି । କି ସୁଖ ନିଦ୍ରା ତା’ର । ଭାବିଲେ ଉଠାଇବେ, କିନ୍ତୁ ତା’ ସୁଖ ନିଦ୍ରାରେ ବାଧାଦେଇ ଲାଭବା କ’ଣ ।

 

ଖଟ ଉପରେ ଗୋଡ଼ପାଖ ତକିଆକୁ ଆଉଜି ବସିଲେ ଶିଶିରବାବୁ । ଆଜିଦିନ ଦୁଇଟାଠାରୁ ରାତି ଦୁଇଟା ଯାଏ ସେହିକଥାକୁ କେନ୍ଦ୍ରକରି ମନ ଏତେ ଗୋଳେଇଘାଣ୍ଟି ହେଉଛି କାହିଁକି ? ଯେଉଁକଥା ଭାବିବାରେ ତାଙ୍କର ଆଗ୍ରହ ନାହିଁକି ଆନନ୍ଦ ନାହିଁ, ସେଇକଥା ଜାଲପରି ମନଭିତରେ ବିଛାଇ ହେଉଛି କାହିଁକି ? କାହିଁକି ଆତ୍ମହତ୍ୟା କରିଥିବା ଏକ ଯୁବତୀର ମୁହଁଟି ବାରମ୍ବାର ତାଙ୍କ ଆଖି ଆଗରେ ଉକୁଟି ଉଠୁଛି ।

 

…ସେ ଡାକ୍ତର, ଯୁବକ ପୁଣି ବିବାହିତ । ଘରେ ତାଙ୍କ ସୁନ୍ଦରୀ ତନ୍ୱୀ ସ୍ତ୍ରୀ—ଦୁଇବରଷର ହସଖୁସିର ପ୍ରତିମୂର୍ତ୍ତି ଭଳି ଝିଅଟିଏ । ଦୁଇବରଷ ତାଙ୍କ ଚାକିରି ଜୀବନରେ ସେ କେତେ ଆତ୍ମହତ୍ୟା କରିଥିବା ସ୍ତ୍ରୀ ପୁରୁଷଙ୍କର ଶବ ବିବଚ୍ଛେଦ କରି ମୃତ୍ୟୁର କାରଣ ପୋଲିସକୁ ଜଣାଇଛନ୍ତି-। ଜଣେ ଡାକ୍ତର ପକ୍ଷେ ଏତ ଅତି ମାମୁଲି କଥା । ମଣିଷର ମରଣ ଦେଖି ଦେଖି ଅତି ଆପଣାର ନହେଲେ କାହାର ମରଣରେ ଡାକ୍ତରଙ୍କ ଅନ୍ତର ତରଳି ଯାଏନି । ସେମିତି ସେ ଆଜି ସେହି ଯୁବତୀର ଶବ ବିବଚ୍ଛେଦ କରିଛନ୍ତି । କିନ୍ତୁ....ଛୁରିଧରି ତା’ର ପେଟ ଚିରିଲାବେଳେ ତାଙ୍କ ହାତ କ୍ଷଣକ ପାଇଁ ଅବଶ ହୋଇଯାଇଥିଲା କାହିଁକି—କାହିଁକି ତା’ର ମୁଖ ଦେଖି ତାଙ୍କ ଆଖିକୋଣରେ ଲୁହ ଜକେଇ ଆସିଥିଲା !

 

ପାଣି ଗ୍ଲାସେ ପିଇଲେ କାଳେ ନିଦ ଆସିଯିବ ଏଇ ଆଶାରେ ଶିଶିରବାବୁ ଖଟ ଉପରୁ ତଳକୁ ଗୋଡ଼ ଲମ୍ବାଇଲେ । ବର୍ଷାମୁଖର ଶ୍ରାବଣ ରାତ୍ରିରେ ସେହି ନିର୍ଜନ କୋଠରୀଟି କେମିତି ମାଡ଼ି ମାଡ଼ି ପଡ଼ୁଛି । କାହିଁକି ଆଜି ଏସବୁ ! ସେ ଦିନେ ହେଲେତ ଏସବୁ ଅନୁଭବ କରି ନାହାନ୍ତି !

 

ଟେବୁଲ ଉପର ଲ୍ୟାମ୍ପ ଆଲୁଅଟି ଠିକ୍‍ ଆଗପରି ଜଳୁଛି ଦିକ୍‍ ଦିକ୍‍ ହୋଇ । ଶିଶିରବାବୁ ଆଉ ଟିକିଏ ତେଜି ଦେବାକୁ ଯାଇଁ ଦେଖିଲେ—ଏତେ ରାତ୍ରିରେ ବି ପ୍ରେମ ପାଗଳ ଦୁଇ ତିନୋଟି ଛୋଟ ଛୋଟ ପତଙ୍ଗ ଆଲୁଅର ଚାରିପାଖରେ ଅନବରତ ବୁଲୁଛନ୍ତି । ଶିଶିରବାବୁ ଲ୍ୟାମ୍ପଟିକୁ ଟିକେ ତେଜିଦେଇ ମନେ ମନେ ହସିଲେ । ସୌନ୍ଦର୍ଯ୍ୟର ସ୍ପର୍ଶ ଆଉ ଉପଭୋଗପାଇଁ ଏ ଜୀବଜଗତ କେଡ଼େ ପାଗଳ ସତେ ! ଏଇ ଛୋଟ ଛୋଟ ପତଙ୍ଗ ବି ସେଥିରୁ ବାଦ ଯାଇନାହାନ୍ତି । ଆହା, ବିଚରା ପତଙ୍ଗ କେଇଟି ଯଦି ବୁଝିଥାନ୍ତେ ଏଇ ସୌନ୍ଦର୍ଯ୍ୟର ତଳେ ତଳେ ମୃତ୍ୟଦେବତା ତା’ର ଜାଲ ବିଛାଇ ଦେଇଛି—ସ୍ପର୍ଶମାତ୍ରେ ନିଜର ସତ୍ତା ବି ଧ୍ଵଂସ ହୋଇଯିବ—ତାହାହେଲେ…

 

ଶିଶିରବାବୁ ପାଣିଗ୍ଲାସ ପିଇ ଉଦାସ ମନରେ ଫେରିଆସିଲେ ସେଇ ଲ୍ୟାମ୍ପପାଖକୁ । ଲ୍ୟାମ୍ପ ଆଲୁଅଟି ଉଜ୍ଜ୍ୱଳ ହେବାରୁ ଆହୁରି ଅନେକ ପତଙ୍ଗ ତା’ ଚାରିପାଖରେ ଭିଡ଼ ଆରମ୍ଭ କଲେଣି-। ଡାକ୍ତରଙ୍କ ମନରେ ଫେଣେଇ ଉଠୁଥିଲା କେତେ କଥା । ଯେଉଁ ପ୍ରେମିକ ମନରେ କେତେ ସ୍ନେହ, ସୋହାଗ ଓ ଆଶା ଆକାଂକ୍ଷାଧରି ଦଉଡ଼ି ଆସିଛି ପ୍ରେମିକାପାଖକୁ—ଥରୁଟିଏ ତା’ର ଅଙ୍ଗ ସ୍ପର୍ଶ କରିବାପାଇଁ; ତା’ ବଦଳରେ ସେ ଏଇକ୍ଷଣି ପାଇବ କ’ଣ ? ସ୍ପର୍ଶମାତ୍ରେ ସେ ଅତି ଶୋଚନୀୟ ଭାବେ ଧ୍ଵଂସ ହେବ ।ଏଇ ଭୀଷଣ ରାତ୍ରିରେ ପୁଣି ମୋର ଏଇ ନିର୍ଜନ କୋଠରୀରେ ଏହା କ’ଣ ଏକ ମହାଦୃଶ୍ୟ ନୁହେଁ ? ସେହି ମହାଦୃଶ୍ୟର ଦର୍ଶକ ତାହାହେଲେ ମୁଁ ଏକା.........

 

ଗୋଟିଏ ଖିଆଲରେ ପାଖ ଝରକାକୁ ଖୋଲିଦେଲେ ଶିଶିରବାବୁ । ପାଣିମିଶା ଦମକାଏ ଥଣ୍ଡା ପବନ ଜୋରରେ ଘରଭିତରକୁ ପଶି ଆସିଲା । ବର୍ଷା ଓ ଘନ ଅନ୍ଧକାର ଭିତରେ ସବୁ ଏକାକାର ହୋଇଯାଇଛି । ପ୍ରଳୟ ଦେବତାର ସହସ୍ର ସହସ୍ର ଆଜ୍ଞାକାରୀ ଦାନବ ଯେପରି ମହାଉଲ୍ଲାସରେ ଦୁନିଆକୁ ଧ୍ଵଂସ କରିବାରେ ଲାଗି ଯାଇଛନ୍ତି । ଆକାଶରୁ ଚନ୍ଦ୍ର, ତାରା ଧ୍ଵଂସ ପାଇଗଲେଣି କେତେବେଳୁ । ସହସ୍ର ସହସ୍ର ଝିଙ୍କାରି ଓ ବେଙ୍ଗ ଭୀତତ୍ରସ୍ତ କରୁଣ କଣ୍ଠରେ ପ୍ରଳୟ ଦେବତାର ସ୍ତୁତିଗାନ କରୁଛନ୍ତି ନିଜକୁ ବଞ୍ଚାଇବାପାଇଁ ।

 

ବାହାରକୁ ଏହି ଧ୍ଵଂସଲୀଳା ଭିତରେ ଶିଶିରବାବୁ ଡାକ୍ତରଖାନାର ଅଳ୍ପଦୂରରେ କେଉଁଠି ଶବ ବିବଚ୍ଛେଦ ହୁଏ ସେଇ କୋଠରୀଟିକୁ ଦେଖିବାକୁ ଚେଷ୍ଟାକଲେ । ଅନ୍ଧକାର ଭିତରେ ତା’ର ଚିହ୍ନବର୍ଣ୍ଣ ବି ନାହିଁ । କିନ୍ତୁ ତାଙ୍କ ଆଖିଆଗରେ ଝଲସି ଉଠୁଥିଲା ଦିବାଲୋକରେ ଦେଖୁଥିବା ଭଳି ସେହି ମୃତ ଯୁବତୀଟିର କମନୀୟ ମୁଖ ମଣ୍ଡଳ । କେଉଁଥି ପାଇଁ ସେ ଦୁନିଆରୁ ବିଦାୟ ନେଲା ! କିଏ କହିବ ତା’ ବୁକୁତଳ କଥା ? ମନରେ ସହସ୍ର ପ୍ରଶ୍ନ....

 

ମର୍ତ୍ତରେ ଏକ ଦେବକୁମାରୀ ରୂପରେ ଜନମ ହୋଇ ଦୁନିଆରୁ ସେ ଅକାଳରେ ବିଦାୟ ନେଲା କାହିଁକି ? ସେ ବଞ୍ଚିରହି ଆଡ଼ନୟନରେ ଥରେ କାହାକୁ ଚାହିଁ, ଅଧରରେ ଟିକିଏ ମନ୍ଦ ହାସ ଫୁଟାଇଥିଲେ—କେତେ ରାଜପୁତ୍ର ତା’ର ଚରଣତଳେ ମଣି ମୁକ୍ତା ଅଜାଡ଼ି ନିଜ ଜୀବନକୁ ବି ତା’ର ପାଦତଳେ ସମର୍ପି ଦେଇଥାନ୍ତେ । ତେବେ କ’ଣ ଅଭାବ ଥିଲା ତା’ର ?

 

ଶିଶିରବାବୁ ବେଶି ସମୟ ଆଉ ଝରକା ଖୋଲି ଠିଆ ହୋଇ ରହିପାରିଲେ ନାହିଁ । ବର୍ଷାମିଶା ପବନରେ ତାଙ୍କର ଗେଞ୍ଜିର କିଛି ଅଂଶ ଓଦା ବି ହୋଇସାରିଲାଣି । ଆଖି ଆଗରେ ଜୀବନ୍ତ ରୂପ ଧରିଛି ସେହି ଯୁବତୀଟି । ଯେପରି ସେହି ଶବ ବିବଚ୍ଛେଦ କୋଠରୀର ଏକ କ’ଣରେ ସେ କ୍ଷୀଣ ଆଲୋକ ଜାଳି ତାଙ୍କରି ଅପେକ୍ଷାରେ ବସି ରହିଛି—ଦେଖିଲାମାତ୍ରେ ଜୀବନର କେତେ ଜୀବନ୍ତ କାହାଣୀ ତାଙ୍କରି ଆଗରେ ମନଖୋଲି ବଖାଣି ଯିବ ।

 

ଭୟମିଶା ଏକ ଖିଆଲରେ ସେ ଝରକା ବନ୍ଦ କରିଦେଲେ । ତିନି ବାଜିବାକୁ ଆଉ କୋଡ଼ିଏ ମିନିଟ ବାକି । ଲ୍ୟାମ୍ପ ଚାରିପାଖରେ ଘୂରୁଥିବା ପୂର୍ବର ସେହି କେତୋଟି ଛୋଟ ପତଙ୍ଗ ଏଥିମଧ୍ୟରେ କେତେବେଳେ ଧ୍ଵଂସ ପାଇଗଲେଣି । ଆହୁରି ଅନେକ ପତଙ୍ଗ ଖୋଲା ଝରକାବାଟେ ପଶି ଲ୍ୟାମ୍ପ ଚାରିପାଖରେ ହଟଗୋଳ ଲଗାଇଲେଣି । ଆବେଗଭରା ମନରେ ସମସ୍ତେ ପାଗଳ । କେଉଁ ଭାଗ୍ୟବାନ, ପ୍ରେମିକାର କୋମଳ ଅଙ୍ଗ ପ୍ରଥମେ ସ୍ପର୍ଶକରିବ ସେଥିପାଇଁ ନାହିଁ ନଥିବା ଉଦ୍ୟମ ଓ କୌଶଳ ଆରମ୍ଭ ହୋଇଛି ସମସ୍ତଙ୍କର । ଶିଶିରବାବୁ ମନେମନେ ହସି ଫେରିଆସିଲେ ବିଛଣାକୁ ।

 

ଦୁଇଟି ତକିଆକୁ ଏକତ୍ରକରି ଆଉଜିବସି ଚେଷ୍ଟାକଲେ ଆଖି ବୁଜିବାକୁ ! କାହିଁକି ଭଲା ନିଦ ହେବ ! ମନେମନେ ଭାବିଗଲେ ସେ ଏଥର ଯାଇଁ ନିଜ ସ୍ତ୍ରୀ ପିଲାଙ୍କୁ ଏଠିକୁ ଘେନି ଆସିବେ । ସେମାନେ ଆଜି ଏଠିଥିଲେ ହୁଏତ ଏସବୁ ବାଜେ ଧାରଣା ନେଇ ଆଜିର ଉପଭୋଗ୍ୟ ରାତିଟା କଦାପି ନଷ୍ଟ ହୋଇନଥାନ୍ତା । ସେ ନିଜର ସ୍ତ୍ରୀର ସୁନ୍ଦର ମୁହଁଟିକୁ କଳ୍ପନା ଆଖିରେ ଦେଖିବାକୁ ବାରମ୍ବାର ଚେଷ୍ଟାକଲେ । କିନ୍ତୁ ଏ କ’ଣ ! ତା’ ବଦଳରେ ସେହି ମୃତ ଯୁବତୀର ମୁଖମଣ୍ଡଳ ତାଙ୍କ ଆଖିଆଗରେ ଜୀବନ୍ତ ଭଳି ରୂପ ଧରୁଛି କାହିଁକି ? ତା’ପାଇଁ ମନ ତାଙ୍କର ଏତେ ଦବି ଯାଉଛି କାହିଁକି ? ସେ ଡାକ୍ତର ନ ହୋଇ ଅନ୍ୟ କ’ଣ ହୋଇଥିଲେ ଖୁବ୍‍ ଭଲ ହୋଇଥାନ୍ତା...

 

ଆଖି ଆଗରେ ପୁଣି ସେହି ଦୃଶ୍ୟ । ମୃତ ଯୁବତୀଟି ପେଟ ଚିରିବାକୁ ଗଲାବେଳେ ତା’ର ମୁଖଟିକୁ ଚାହିଁ ତାଙ୍କ ହାତ ଅଟକି ଯାଇଥିଲା କ୍ଷଣକ ପାଇଁ । ବେହେରାଟା ବି ସେ କଥା ଅନୁମାନ କରି କହିଥିଲା—ହଜୁର, ଆଉ ଡେରି କରନ୍ତୁ ନାହିଁ । ଦୁଇଟା ଯେ ଆସି ବାଜିବ । ଯାହା ଭାଗ୍ୟରେ ଯାହା ଅଛି, ମଣିଷର ହାତ କ’ଣ ! ସେ ମରିଥିଲେ ବି ଶୋଇଲା ପରି ମନେହେଉଛି ହଜୁର । କେଉଁ ରଜାଘର ଝିଅ ବି ୟା’ ଗୋଡ଼ଘଷା ପଥରକୁ ସରି ହେବ ନାହିଁ ।

 

ନିଜ ଅନିଚ୍ଛାସତ୍ତ୍ୱେ ସେ ତୀକ୍ଷ୍ମ ଛୁରିରେ ତା’ ପେଟକୁ ଚିରିଦେଇ ଦେଖିଲେ ଚାରି ପାଞ୍ଚମାସର ସୁବର୍ଣ୍ଣ ପ୍ରତିମା ଭଳି ପୁଅଟିଏ, ଆଉ ଅଫିମ ଟେଳା । ସେ ଶିହରି ଉଠୁଥିଲେ ଥରକୁ ଥର ।

 

ଉତ୍ତଲା ଯୌବନ—ସୁରାଭରା ହୃଦୟ ନେଇ ଦୁଇଟି ନବ ଜୀବନରେ ମିଳନର ମଧୁସ୍ମୃତି ସ୍ୱରୂପ, ଆଉ କେଇମାସ ପରେ ଯେଉଁ ପୁଷ୍ପ କଢ଼ଟି ଫୁଟି ପ୍ରାଣରେ ଆନନ୍ଦର ଢେଉ ଖେଳାଇଥାନ୍ତା, ତାକୁ ଇମିତି ନଷ୍ଟକରି ଦେବାକୁ କାହାର ବା ହାତ ଯିବ । ଯୁବତୀଟି କ’ଣ ଭାବି ନଥିବ ସେ କଥା ? ସେ ଗର୍ଭଧାରିଣୀ ମା’ । ଦୁନିଆରେ ସମସ୍ତଙ୍କଠୁ ସ୍ନେହ ଶ୍ରଦ୍ଧା ତା’ର ବେଶି । ତଥାପି… ସେ ନିଜକୁ—ଗର୍ଭର ଶିଶୁକୁ ନଷ୍ଟ କରିଛି—ମନକୁ ପାଷାଣ କରି । ସମାଜର ଧକ୍‍କା ସେ ସମ୍ଭାଳିପାରି ନାହିଁ । ଦୁନିଆର ସବୁ ସୁଖକୁ ଜାଳିପୋଡ଼ି ଦୁନିଆରୁ ବିଦାୟ ନେଇଛି । ଏ ଯୁଗରେ ଏ କ’ଣ ଏକ ଶ୍ରେଷ୍ଠ କରୁଣ କାହାଣୀ ନୁହେଁ ! ଡାକ୍ତରବାବୁଙ୍କ ମନ ଝଞ୍ଜା ଭିତରେ ପଡ଼ିଥିବା ଛୋଟ ହୁଲିଟି ପରି ଦୋହଲୁଥିଲା ।

 

ଘଣ୍ଟା କଣ୍ଟା ମାଡ଼ି ଚାଲିଛି ଆଗକୁ । ଜଣାଯାଉଛି, ବାହାରେ ବର୍ଷା ପବନର ବେଗ ଆହୁରି ବଢ଼ିଛି ଯେପରି । ଅଶାନ୍ତି ମନରେ ଶିଶିରବାବୁ ଲ୍ୟାମ୍ପଟି କମାଇଦେଇ ବିଛଣାରେ ଆସି ନିଦରେ ଶୋଇବାକୁ ଚେଷ୍ଟାକଲେ ।

 

ଡାକ୍ତରବାବୁ ! ଡାକ୍ତରବାବୁ !!

 

ସ୍ଵପ୍ନ ଦେଖିଲାପରି ଡାକ୍ତରବାବୁ ଆଖି ଖୋଲିଲେ । କିଏ ତାଙ୍କୁ ଡାକିଲା ନା ସେ ସ୍ଵପ୍ନ ଦେଖିଲେ ! କିଛି ସମୟ ସେ କିଛି ବୁଝିପାରିଲେ ନାହିଁ । ମନ ପବନ ପରି ଚଞ୍ଚଳ ।

 

—ଚିହ୍ନି ପାରିଲେନି ଆପଣ ? ଶୁଣନ୍ତୁ ଡାକ୍ତରବାବୁ ।

 

ଶିଶିରବାବୁଙ୍କର ବୁଝିବାରେ ଆଉ କିଛି ବାକି ରହିଲା ନାହିଁ । ସ୍ଵପ୍ନ କାହିଁକି ହେବ ! ସତରେ କିଏ ତାଙ୍କୁ ବାହାରେ ଡାକୁଛି । ଏହି ଭୀଷଣ ରାତିରେ କାହାରି ହୁଏତ ପଡ଼ିଛି ନାହିଁ ନଥିବା ବିପଦ । ସେଥିପାଇଁ ମନରେ ସେ କେତେ ଆଶାଧରି ଦଉଡ଼ି ଆସିଛି ଡାକ୍ତର ପାଖକୁ । ହତଭାଗ୍ୟ ବିଚରା ବାହାରେ ତିନ୍ତି ଓଦା ସଡ଼ବଡ଼ ହୋଇ ଯିବଣି । କବାଟ ଫିଟାଇ ଦେଲେ ବିଚରା ଭିତରକୁ ଆସିବ । ଡାକ୍ତରବାବୁ ଉଠିପଡ଼ିଲେ । ପଚାରିଲେ, ଏତେ ରାତିରେ କିଏ ଡାକୁଛ ବାବୁ ?

 

....କିଛି ଉତ୍ତର ନାହିଁ । କିଛିସମୟ ପୁଣି କଟିଗଲା ।

 

ଡାକ୍ତରବାବୁ ବିସ୍ମିତ ହେଲେ । କ’ଣ ତେବେ ! ସେ ଠିକ୍‍ ବୁଝିଛନ୍ତି—ଜଣେ ଲୋକ ବଡ଼ ଦରଦୀ ସ୍ୱରରେ ଡାକିଛି, ଆଉ ପଚାରିଲାବେଳକୁ କିଛି ଉତ୍ତର ନାହିଁ ! ସେ ନିଜକୁ ସନ୍ଦେହ ମନରେ ଦେଖୁଥିଲେ—ତାଙ୍କ ମୁଣ୍ଡ ବିଗିଡ଼ି ଯାଇଛି, ନା ଲୋକଟା ଗୋଟାଏ ହୋସରେ ଏ ଦୁର୍ଯୋଗ ରାତିରେ ଆସି ଡାକିଦେଲା ମାତ୍ରେ ବାରଣ୍ଡାରେ ଅଚେତ ହୋଇ ପଡ଼ିଯାଇଛି !

 

ଡାକ୍ତରବାବୁ ସନ୍ଦେହରେ କେତେ କ’ଣ ଭାବୁଛନ୍ତି, ହୁଏତ ସେ ପୁଝାରିକୁ ଡାକି ଉଠାଇବେ—ତା’ପରେ ଲନଠଣ ଧରି ଦୁହେଁ ଯିବେ ବାରଣ୍ଡାରେ ଅଚେତ ହୋଇ ପଡ଼ିଥିବା ଲୋକଟି ପାଖକୁ ।

 

ହଠାତ୍‍ ପୁଣି କରୁଣ ସ୍ଵରରେ ନିବେଦନ—ମୋର ଗୋଟିଏ କଥା ରଖିବେ ଡାକ୍ତରବାବୁ-? ମୁଁ ବଞ୍ଚିଥିଲାବେଳେ କାହାରି କେବେ ଅନିଷ୍ଟ କରିବାକୁ କଳ୍ପନା ବି କରିନଥିଲି, କିନ୍ତୁ ମୁଁ ଯେତେବେଳେ ଆଜି ଏଇ ସ୍ନେହ, ମାୟା ମମତାପୂର୍ଣ୍ଣ ଦୁନିଆରୁ—ଆଖିରୁ ଲୁହ ନୁହେଁ ରକ୍ତଢାଳି ବିଦାୟ ଆଣିଛି । ମୋର ସେ ରକ୍ତ ମାଂସର ଶରୀର ମାଟି ସଙ୍ଗେ ମିଶି ଗଲାଣି । ମୋର ଅଶାନ୍ତ ଆତ୍ମା କେବଳ ଛାଇ ରୂପରେ ଘୂରି ବୁଲୁଛି ଏଣେତେଣେ, ସେତେବେଳେ ଗୋଟାଏ ଛାଇ କାହାର ବା କ’ଣ କ୍ଷତି କରିବ । କାହିଁକି ବା କରିବ । ଆପଣ ଡରନ୍ତୁ ନାହିଁ—ଡାକ୍ତରବାବୁ !

 

ଅତି କରୁଣ ମିଶା ନାରୀ କଣ୍ଠର ସ୍ଵର ଶୁଣି ଡାକ୍ତରବାବୁ ଚମକି ପଡ଼ିଲେ । ସେ ନିଦ୍ରାରେ ସ୍ଵପ୍ନ ଦେଖୁଛନ୍ତି ନା ଏଇ ଖଟ ଉପରେ ଜାଗ୍ରତ ଅବସ୍ଥାରେ ବସି ବାହାରୁ ଭାସି ଆସୁଥିବା ଏକ ନାରୀ କଣ୍ଠରୁ କଥା ଶୁଣୁଛନ୍ତି ! ସେ ନିଜକୁ ଚାହିଁ ବୁଝିବାକୁ ଚେଷ୍ଟାକଲେ । ନା’ ଠିକ୍ ଅଛି । ସେ ପୂରା ସଚେତନ । ସେ ଖଟ ଉପରେ ବସିଛନ୍ତି ଏବଂ ବାହାରୁ କୌଣସି ନାରୀ କଣ୍ଠରୁ ଏକ ଅଜବ କଥା ଶୁଣୁଛନ୍ତି । ତାଙ୍କ କାନରେ ଗୋଟାଏ କଥା ବାରମ୍ବାର ପ୍ରତିଧ୍ଵନିତ ହୋଇ ଛାତି ଥରାଇ ଦେଉଥିଲା, ‘‘ମୋର ମୃତ ଆତ୍ମା, ଛାଇ ରୂପରେ ଘୂରି ବୁଲୁଛି ।’’

 

ମୃତ ଆତ୍ମା ! ଡାକ୍ତରବାବୁ ମନେ ମନେ ଚମକି ଉଠୁଥିଲେ । ତାଙ୍କର ଆଜିଯାଏ ପୂରା ଧାରଣା ଥିଲା—ମଣିଷ ମଲାପରେ ସବୁ ତା’ର ଶେଷ ହୋଇଯାଏ । ଆତ୍ମା କେବେଳ କଳ୍ପନା ମାତ୍ର-। କିନ୍ତୁ ଆଜି ଏକ ମୃତଆତ୍ମା ଯେ ତାଙ୍କ ସହିତ କଥା କହିବାକୁ ଆସିଛି !! କି କଥା କହିବ-! କ’ଣ ବା କହିବ ! ସେ ତ କେବେ କାହାକୁ ଲୋଡ଼ି ନ ଥିଲେ !! ସେ କି ଉତ୍ତର ଦେବେ ଏଇକ୍ଷଣି-

 

—ମୋତେ ଚିହ୍ନି ପାରିଲେନି ଡାକ୍ତରବାବୁ ! କେତେ ଆଶାରେ ଅତି ଆପଣାର ମଣି ଆପଣଙ୍କ ପାଖକୁ ଧାଇଁ ଆସିଛି । ଆପଣ ବି ଭଲଲୋକ । ମୋ’ଭଳି ଏକ ହୀନିମାନୀର ବୁକୁତଳର କଥା ଜାଣିବାକୁ ଆପଣ ଅଧୀର ହୋଇପଡ଼ିଛନ୍ତି ପରା ? ସାରା ରାତିଟା ଆଜି କେବଳ ମୋରି ପାଇଁ ଅକାରଣ ହେଲା । ଆପଣଙ୍କର ଉପଭୋଗ୍ୟ ଏହି ସଙ୍ଗୀତମୁଖର ବର୍ଷା ରାତିଟି ଯେ ଜଣେ ଅଜଣା ଅଶୁଣା ମୃତ ଯୁବତୀ ପାଇଁ ଅଶାନ୍ତିରେ କଟିଲା—ସେଥିପାଇଁ ଆପଣଙ୍କ ପାଦ ଉଦ୍ଦେଶ୍ୟରେ ମୁଁ ମୁଣ୍ଡ ଲଗାଉଛି । ଆପଣଙ୍କର ମଙ୍ଗଳ ହେବ ଡାକ୍ତରବାବୁ !

 

ଶିଶିରବାବୁ ଚମକି ଉଠିଲେ । ସେ ଯେଉଁକଥାକୁ ଆଜିଯାଏ ଅବିଶ୍ଵାସ କରି ଆସିଛନ୍ତି ତାହା ପ୍ରକୃତରେ କ’ଣ ସତ ! ସେ ଆଜି ଯେଉଁ ଯୁବତୀଟିର ଶବଚ୍ଛେଦନ କରି ମୃତ୍ୟୁର କାରଣ ପରୀକ୍ଷା କରିଥିଲେ—ଆଉ ସେଇ ଯୁବତୀଟିର କମନୀୟ ମୁଖମଣ୍ଡଳ ଦେଖି ତାରି କଥା ଏଯାଏ ଭାବୁଛନ୍ତି; ଏ ଯେ ସେହି ଯୁବତୀର ପ୍ରେତାତ୍ମା ! ଭାବୁ ଭାବୁ ତାଙ୍କ ଦେହ ଶିତେଇ ଉଠିଲା । କି ଉତ୍ତର ଦେବେ ସେହି ଯୁବତୀଟିକୁ ।

 

—ଏଥର ଚିହ୍ନିପାରିଲେ ଡାକ୍ତରବାବୁ ! ଆପଣ ଡରୁଛନ୍ତି କାହିଁକି ? ମୋର ଶୋଚନୀୟ ମୃତ୍ୟୁପାଇଁ ଆପଣଙ୍କର ଦରଦୀମନ ଘାଣ୍ଟିଚକଟି ହେଉଛି ବୋଲି ମୁଁ କେତେ ଆଶାରେ ଦଉଡ଼ି ଆସିଛି ମୋ ଜୀବନର କରୁଣ କାହାଣୀ ଶୁଣାଇବା ପାଇଁ । ମୋ କଥା ଆଗ୍ରହରେ ଶୁଣି ଆଶ୍ୱାସନା ଦେବାକୁ ମୋ ଆଖିରେ ଆପଣଙ୍କ ଛଡ଼ା ଆଉ କେହି ନାହିଁ । ପ୍ରେତ ବୋଲି ଡରନ୍ତୁ ନାହିଁ । ମୋତେ ଅନୁମତି ଦିଅନ୍ତୁ—ମୁଁ ଭିତରକୁ ଯାଏ । ଆପଣ ମୋତେ ଦେଖି, କଥା ଶୁଣି ଆପଣଙ୍କ ମନରେ ଥିବା ଡର ଭୟ କୁଆଡ଼େ ଉଭେଇ ଯିବ ଯେ ।

 

ତିନିଟା ବାଜି ପାଞ୍ଚ ମିନିଟ । ଦୂରରେ ଶୁଭୁଥିଲା ଗୋଟାଏ ଭେରଣ୍ଡାର ବିକଟାଳ ଶବ୍ଦ । ସତେ ଯେପରି ପ୍ରାଣ ବିକଳରେ ସେ ଭେରଣ୍ଡାଟା ଛିନିକାନିଆ ହୋଇ ଦଉଡ଼ିଛି ଆଉ ତା’ ପଛେ ପଛେ ଧପାଲିଛି ଏକ ବିକଟାଳ ରାତ୍ରିଚର । —ହାତ ବଢ଼ାଇ କ୍ଷଣକରେ ସେ ଭେରଣ୍ଡାଟାର ତଣ୍ଟିଚିପି ପାଟିରେ ପକାଇ ଦେବ ।

 

ଶିଶିରବାବୁ ମନରେ ବଡ଼ ସାହସ ବାନ୍ଧି ଅଧୀର କଣ୍ଠରେ କହିଲେ—ତୁମର ଦୁଃଖରେ ମୁଁ ବିଚଳିତ ହୋଇପଡ଼ିଛି । ତୁମର ଜୀବନର ଏ କରୁଣ କାହାଣୀ ଜାଣିବାକୁ ମୁଁ ଅଧୀର ହୋଇପଡ଼ିଛି-। ମନକୁ ମୋର କେତେ ପ୍ରଶ୍ନ ଆସିଥିଲା ସେ କଥା କହିବ କିଏ । ମୋର ଆଜିଯାଏ ଧାରଣା ଥିଲା, ମଣିଷର ଶରୀର ନଷ୍ଟହେବା ସଙ୍ଗେ ତା’ର ସବୁ ନଷ୍ଟ ହୋଇଯାଏ । ଆତ୍ମା ଯେ ବଞ୍ଚିରହି ପୁନର୍ବାର ଜନ୍ମଗ୍ରହଣ କରେ ତାହା ଏକ କଳ୍ପନା ମାତ୍ର । କିନ୍ତୁ ସେ ଧାରଣା ଆଜି ମୋର ବଦଳି ଯାଇଛି । ଯାହାର ଦୁଃଖରେ ସମଦୁଃଖୀ ହୋଇ ଏତେ ରାତିଯାଏ ବି ମୋ ଆଖିକୁ ନିଦ ଆସିନାହିଁ, ତାକୁ ଛାୟା ରୂପରେ ଦେଖିଲେ ଡରିବି କାହିଁକି ? ବରଂ ଭାରି ଖୁସି ହେବି । ଭିତରକୁ ଆସ-

 

ଡାକ୍ତରବାବୁଙ୍କ ପାଟିରୁ କଥା ଶେଷ ହେଲାମାତ୍ରେ ଭଲଭାବରେ ଦିଆ ହୋଇଥିବା ଟେବୁଲପାଖ ଝରକାଟି ଆପେ ଆପେ ମୁକୁଳା ହୋଇଗଲା ଏବଂ ଅଳ୍ପ ସମୟପରେ ଆପେ ଆପେ ବନ୍ଦ ହୋଇଗଲା । ଡାକ୍ତରବାବୁଙ୍କ ଛାତି ଅଜଣା ଆଶଙ୍କାରେ ଧପ୍‍ ଧପ୍‍ ହୋଇଉଠିଲା ।

 

ହଠାତ୍‍ ସେହି କୋଠରୀର ଏକ କ’ଣରୁ ଶୁଣାଗଲା—ମୁଁ ଆଉ ଆପଣଙ୍କୁ କି କଥା କହିବି ଡାକ୍ତରବାବୁ ! ଆପଣତ ମୋତେ ଯେ ଭୟ କରୁଛନ୍ତି ? ମୋ ଦେହଟା ନଷ୍ଟ ହୋଇଗଲେ ବି ଆତ୍ମା ଭିତରେ ପ୍ରଚ୍ଛନ୍ନ ଭାବରେ ଥିବା ମୋର ନାରୀ ସୁଲଭଗୁଣ ନଷ୍ଟ ହୋଇଯାଇନି । ମୋର ଅନ୍ତର ତଳେ ବି ଦିନେ ପୁରୁଷପାଇଁ ସ୍ନେହ ସୋହାଗର ଫଲ୍‍ଗୁ ଧାରା ବହୁଥିଲା... । ଡରନ୍ତୁ ନାହିଁ ଡାକ୍ତରବାବୁ ?

 

ଡାକ୍ତରବାବୁ ଅନାଇଦେଲେ ସ୍ଵର ଆସୁଥିବା କୋଠରୀର କଣକୁ । ଟେବୁଲର ଅଳ୍ପଦୂରରେ ଠିଆ ହୋଇଛି ଜଣେ ଅପସରା ରୂପ ଜିଣି ସୁନ୍ଦରୀ ଯୁବତୀ । ଟେବୁଲ ଉପରେ ଜଳୁଥିବା ଲ୍ୟାମ୍ପ ଆଲୁଅଟି ଆପେ ଆପେ ଆହୁରି ଉଜ୍ଜ୍ୱଳ ହୋଇ ଘରର ପ୍ରତ୍ୟେକ ଜିନିଷ ସ୍ପଷ୍ଟ ହୋଇ ଉଠିଲାଣି । ଯୁବତୀଟି ଛଳ ଛଳ ଆଖିରେ ଅନାଇ ପଚାରିଲା—କ’ଣ ଭାବୁଛନ୍ତି ଡାକ୍ତରବାବୁ... ?

 

ଟିକେ ନୀରବ ରହି ଡାକ୍ତରବାବୁ ଉତ୍ତର ଦେଲେ, ମୁଁ କିଛି ଭାବୁନାହିଁ । ତୁମର ରୂପ ଦେଖି ମୁଁ ସ୍ତମ୍ଭୀଭୂତ ହୋଇଯାଉଛି । କାହିଁକି ଦୁନିଆରୁ ବିଦାୟ ନେଲ । ତୁମ ସହିତ ମୋର କେବେ ଚିହ୍ନା ପରିଚୟ ନଥିଲେ ମଧ୍ୟ ଆଜି ତୁମର ଶବଚ୍ଛେଦନ କଲାବେଳେ ତୁମର ଏଇ ପୁଷ୍ପପରି ସତେଜ ମୁଖମଣ୍ଡଳ ଦେଖି ମୁଁ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲି । ତୁମର ପୁଷ୍ପକୋମଳ ଶରୀରରେ ଅତି କଠିନ ଲୌହଛୁରି ଚଳାଇବାବୁ ମୋର ହାତ ଅଟକି ଯାଇଥିଲା । ମୁଁ ତୁମକୁ କେନ୍ଦ୍ରକରି ସମୁଦ୍ର ବକ୍ଷରେ ଭାସୁଥିବା ଲହରୀ ପରି କେତେ କ’ଣ ଭାବୁଥିଲି । ସେତେବେଳେ ମୁଁ ଭାବୁଥିଲି ହୁଏତ କେଉଁ ଭାଗ୍ୟବାନ ଯୁବକ ତୁମକୁ ପାଇଥିଲେ, ଏ ଦୁନିଆର ଶ୍ରେଷ୍ଠ ଧନଶାଳୀ, ସର୍ବଶ୍ରେଷ୍ଠ ସୁଖୀବୋଲି ନିଜକୁ ଅନୁଭବ କରିଥାନ୍ତା । ତୁମ ନୂପୁରର ରୁଣୁଝୁଣୁ ପାଦ ଚାଳନାରେ ତା’ଘରେ ସ୍ଵର୍ଣ୍ଣ କଙ୍କଣ ଫୁଟିଥାନ୍ତା ତା’ର ସାରା ଜୀବନ ସୁଖଶାନ୍ତିରେ ସୁବାସିତ ହୋଇ ଉଠୁଥାନ୍ତା । କାହିଁକି ଏ ସୁଯୋଗ ଆଉ ଉପଭୋଗର ପୁଷ୍ପ ସିଂହାସନକୁ ତୁଚ୍ଛମଣି—ଏ ଶୋଚନୀୟ ମୃତ୍ୟୁ ବରଣ କଲ ? ଡାକ୍ତରବାବୁ ଘନ ଘନ ନିଶ୍ଵାସ ଛାଡ଼ିବାକୁ ଲାଗିଲେ । ….ତା’ପରେ ଯୁବତୀଟି ଆଡ଼କୁ ଅନାଇ, ସ୍ଵରରେ କୋମଳତା ଭରି କହିଲେ—ଠିଆ ହେଲ କାହିଁକି, ଚୌକିରେ ବସିପଡ଼ ?

 

ଯୁବତୀଟି ଛଳ ଛଳ ଆଖିରେ ଚୌକିରେ ବସି ପଡ଼ୁ ପଡ଼ୁ ଅଧର ଥରାଇ କହିଲା—ମୋର ରୂପକୁ ପ୍ରଶଂସା କରନ୍ତୁ ନାହିଁ ଡାକ୍ତରବାବୁ ! ଭଲପାଉଥିବା କୌଣସି ଯୁବକ ମୁହଁରୁ, ଯୁବତୀ ତା’ର ରୂପ ଗୁଣର ପ୍ରଶଂସା ଶୁଣିଲେ—ସେ ନିଜକୁ ଭାଗ୍ୟବତୀ ମନେକରେ । ଯୁବତୀ ପକ୍ଷରେ ଯୁବକ ମୁଖରୁ ପ୍ରଶଂସାହିଁ ତା’ ଜୀବନରେ ଶ୍ରେଷ୍ଠ ପୁରସ୍କାର । ମୋର ରୂପ ମୋ ଜୀବନରେ ଗୌରବକଥା ହୋଇନାହିଁ ଡାକ୍ତରବାବୁ ! ତାହା ମୋ ପକ୍ଷରେ ଥିଲା ଅଭିଶାପ । ଠିକ୍‍ ମହାଦେବଙ୍କ କ୍ରୋଧରେ କାମଦେବଙ୍କୁ ଭସ୍ମ କଲାଭଳି ଅଭିଶାପ !! ମୋର ଏଇ ରୂପହିଁ ମୋତେ ମୃତ୍ୟୁ ପଥରେ ଆଗେଇ ନେଇଛି.....

 

କ’ଣ ଭାବୁଥିଲାପରି ଯୁବତୀଟି କିଛି ସମୟ ନୀରବ ରହି ଦୀର୍ଘଶ୍ଵାସ ଛାଡ଼ି କହିଲା—ଦୁନିଆରୁ ବିଦାୟ ନେଇଥିଲେ ବି ଆଜି ରକ୍ତଚାଉଳ ଚୋବାଇ ଭାବୁଛି—ମୋତେ ଯେଉଁ ଅଦୃଶ୍ୟ ଦେବତା ନିଜ ହାତରେ ଏଡ଼େ କମନୀୟ କରି ଜନମ ଦେଇଥିଲେ, ତାଙ୍କୁ ଦେଖାହେଲେ ପଚାରନ୍ତି–କେଉଁ ବିବେକରେ ମୋତେ ସେ ସାଧାରଣ ପରିବାରରେ ଆଣି ଥୋଇ ଦେଇଗଲେ-। ସାଧାରଣ ଘରେ ଯୁବତୀର ସୌନ୍ଦର୍ଯ୍ୟ ହିଁ ସବୁ ଅଶାନ୍ତିର ମୂଳ କାରଣ ହୁଏ ।

 

ତା’ ସତ ହେଲେ ବି, ତୁମଭଳି ଏକ ଦେବକୁମାରୀ ପକ୍ଷରେ ଦୁନିଆରେ କ’ଣ ହୃଦୟ ସିଂହାସନ ଅଭାବ ଥିଲା ?

 

ହଠାତ୍‍ ଯୁବତୀର ମୁଖ ଲଜ୍ଜାରେ ଆରକ୍ତ ହୋଇଉଠିଲା । ତଳକୁ ମୁହଁପୋତି ଧୀରଗଳାରେ ଉତ୍ତରଦେଲା—ନ ଥିଲା ଡାକ୍ତରବାବୁ ! କିନ୍ତୁ ତା’ ଏ ପବିତ୍ର ଭୂମି ଉତ୍କଳର ନାରୀମାନଙ୍କ ପକ୍ଷରେ ଗୌରବର କଥା ନୁହେଁ । ନାରୀ ଐଶ୍ୱର୍ଯ୍ୟ ଅପେକ୍ଷା ସ୍ନେହ ମମତାକୁ ବେଶି ପସନ୍ଦ କରେ । ଅଭିନୟ କରିବାକୁ ମୋର ଇଚ୍ଛା ନ ଥିଲା କି ସାହସ ବି ନ ଥିଲା । ଆପଣ ମୋତେ ସ୍ନେହ କରନ୍ତି ବୋଲି, ମୋର ମଙ୍ଗଳକାମନା କରି ଏକଥା କହିଲେ ସିନା ! ଦେବତା ବାଞ୍ଛିତ ଏଇ ଚିରହରିତ ଦୁନିଆରେ ବଞ୍ଚିରହିବାକୁ କାହାର ବା ଇଚ୍ଛା ନାହିଁ । ମୋର ବି ଦିନେ ଥିଲା ଡାକ୍ତରବାବୁ ! କିନ୍ତୁ ମୁଁ ପାରିଲିନି । ….ଚାରିଟା ଯେ ଆସି ବାଜିବ ! ଶୋଇବେ ଆଉ କେତେବେଳେ ! ମୋ’ପାଇଁ ଆପଣ ଆଜି କେତେ କଷ୍ଟ ପାଇଲେ ଆହା !

 

ଶିଶିରବାବୁ ନିହାତି ଆପଣାର ଭଳି ଉତ୍ତର ଦେଲେ—ସେ କଥା କାହିଁକି ଭାବୁଛ ? ଭଗବାନଙ୍କ ଦୟାରୁ ତୁମକୁ ଯଦି ମୁଁ ବଞ୍ଚାଇବାର ସୁଯୋଗ ପାଇଥାନ୍ତି, ତା’ହେଲେ ତୁମରି ମଙ୍ଗଳ ପାଇଁ ମୁଁ କେତେ ରାତି ଅନିଦ୍ରା ହେଲେ ବି ମୋର ଆନନ୍ଦର ସୀମା ନ ଥାନ୍ତା, କିନ୍ତୁ ଡାକ୍ତରଖାନାକୁ ଆସିବାର ବହୁପୂର୍ବରୁ ତୁମର ମୃତ୍ୟୁ ହୋଇଯାଇଥିଲା ।

 

ଯୁବତୀଟି ବିସ୍ମିତ ହୋଇ କହିଲା—ମୋତେ ବଞ୍ଚାଇଥାନ୍ତେ ଡାକ୍ତରବାବୁ ! ବଡ଼ ଭୁଲ୍‍ କରିଥାନ୍ତେ ଆପଣ ! ଯାହା ଦୋଷରୁ ହେଉ ମୋର କଳଙ୍କ ଆପଣଙ୍କୁ ଅଛପା ନାହିଁ । ସେହି କଳଙ୍କକୁ ମୁଁ ନିଜ ହାତରେ ନଷ୍ଟକରି ଅନ୍ୟ ଜୀବନରେ ମୁଁ ପାହାନ୍ତି ପହରର ସଜଫୁଟା ଫୁଲପରି ଅଭିନୟ କରିପାରିନଥାନ୍ତି । ସେଥିପାଇଁ ମୁଁ ନିଜକୁ ନଷ୍ଟକରି ଦେବାକୁ ଖୁବ୍‍ ଭଲମନେ କଲି । ଯୁବତୀଟି ନୀରବ ରହିଲା...

 

ଡାକ୍ତର ଶିଶିରବାବୁ ମୁଗ୍ଧ ନୟନରେ ଚାହିଁ ରହିଥିଲେ । ଯୁବତୀଟିର ବୟସ ଅଠର ଉଣେଇଶ ଭିତରେ । ଅତୁଟ ଲୋଭନୀୟ ସୁନ୍ଦର ସ୍ୱାସ୍ଥ୍ୟ । ଢଳ ଢଳ ନୀଳକଇଁ ପରି ନୟନରେ ସତେ ଯେପରି କେତେ ମାଦକତା ପୂରି ରହିଛି । ଏକ ସଂଯମୀ ଅନ୍ତରରେ ମିଳନର ଜୁଆର ଉଠାଇଲା ଭଳି କମନୀୟ....

 

ଡାକ୍ତରବାବୁ ଅପଲକ ନୟନରେ ସେହି ଦେବତା ବାଞ୍ଛିତ ରୂପ-ଲାବଣ୍ୟଭରା ଯୁବତୀଟିର ଆଡ଼େ ଚାହିଁରହିଥିଲେ ଅନେକକ୍ଷଣ । ଯୁବତୀଟି ବି ଡାକ୍ତରବାବୁଙ୍କ ଅବସ୍ଥା ଲକ୍ଷ୍ୟକରି ଲଜ୍ଜାରେ ତଳକୁ ମୁହଁପୋତି ନବବଧୂ ପରି ସ୍ଥିର ହୋଇ ବସିରହିଥିଲା ।

 

କେତେବେଳେକେ ଶିଶିରବାବୁ ନିଜକୁ ସଂଯତ କରି ଚମକି ପଡ଼ିଲାପରି ହୋଇ ଭାବିଗଲେ, ତାଙ୍କର ଏଭଳି ଚାହାଣିକୁ ଯୁବତୀଟି ଖରାପ ଭାବି ନାହିଁ ତ ! ସେ ତାଙ୍କ ଜୀବନରେ କେତେ ସୁନ୍ଦରୀ ଦେଖିଛନ୍ତି, କିନ୍ତୁ ଏଭଳି କମନୀୟ ମୁଖଶ୍ରୀ କେଉଁଠି ଦେଖିନାହାନ୍ତି । ସେ ସୁନ୍ଦର ଆଖି ଦୁଇଟି, ମୁକ୍ତାପରି ଦନ୍ତ ଓ ଅଧରର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିବ, ସେ ତା’ ଜୀବନରେ କେବେହେଲେ ତାହା ମୁହୂର୍ତ୍ତକ ପାଇଁ ବି ଭୁଲିପାରିବ ନାହିଁ ।

 

ଗୋଟାଏ ଦୀର୍ଘନିଃଶ୍ୱାସ ଛାଡ଼ି ଡାକ୍ତରବାବୁ କହିଲେ,— କ୍ଷମା କରିବେ ମୋତେ । ପ୍ରକୃତରେ ମୁଁ ଆଗରୁ ଡରି ଯାଇଥିଲି । ଏଇକ୍ଷଣି ତୁମକୁ ଆଗରେ ଦେଖି, ତୁମର କେଇପଦ କଥା ଶୁଣି ମୋର ଧାରଣା କୁଆଡ଼େ ବଦଳି ଗଲାଣି । ମନ ହେଉଛି, ତୁମେ ଯଦି ସବୁବେଳେ ଏଇଠି ବସି ରହନ୍ତ—ମୁଁ ଆହୁରି ଖୁସି ହୁଅନ୍ତି । ହଁ, ଏତେ ବେଳଯାଏ କଥାବାର୍ତ୍ତା ହୋଇଥିଲେ ବି ତୁମର ନାଁ ତ କାହିଁକି ଜାଣିଲି ନାହିଁ ?

 

ଯୁବତୀଟି ଆସ୍ତେ ଉପରକୁ ମୁହଁ ଟେକି ଡାକ୍ତରବାବୁଙ୍କ ଆଡ଼କୁ ଚାହିଁ ଉତ୍ତରଦେଲା—ମୃତ୍ୟୁ ପରେ ନାଁ’ର ଆଉ କ’ଣ ଲୋଡ଼ା ? ଜୀବନ ଥିଲାବେଳେ ଯୁବକ ଯୁବତୀର ସୁନ୍ଦର ନାଁ’ଟି ଶୁଣିଲେ, ତା’ ଅନ୍ତର ମୁଗ୍ଧ ହୋଇଯାଏ—ଆଉ ସେଇ ନାଁ’କୁ କଳ୍ପନା କରି ଆଶା ଆକାଂକ୍ଷାରେ କେତେ ସୁନାର ଦେଉଳ ଗଢ଼େ । ଯୁବତୀ ବି ଯୁବକର ସୁନ୍ଦର ନାଁ ଶୁଣିଲେ ତା’ ମଧୁଭରା ଅନ୍ତରରେ ଜୁଆର ଉଠାଇ ମୁଗ୍ଧ ତନ୍ମୟ ହୁଏ ! ଆପଣ ଯେତେବେଳେ ପଚାରିଲେଣି ଆପଣଙ୍କୁ ଆଗ୍ରହକୁ ଭାଙ୍ଗିଦେବି କାହିଁକି । ମୋ ନାଁ ବଞ୍ଚିଥିଲାବେଳେ ଥିଲା ନଳିନୀ !

—ନଳିନୀ ! ବେଶ୍‍ ସୁନ୍ଦର ନାଁ । ନାଁ ସହିତ ରୂପର ଖାପ୍‍ ଖାଇଛି । ତେବେ ଶୁଣ ନଳିନୀ ! ମୁଁ ବିବାହିତ, ଘରେ ମୋର ତୁମରି ବୟସର ସ୍ତ୍ରୀ । ତଥାପି ମୁଁ ଅତି ଆପଣାର ଭଳି ସ୍ନେହ କରେ । ମୋର ଅନୁରୋଧ, ତୁମେ ସବୁଦିନେ ଥରୁଟିଏ ମୋତେ ଦେଖା ଦେବ ।

ଯୁବତୀ ପୁନର୍ବାର ଅଧର ଥରାଇ ଦରଦୀ ସ୍ୱରରେ ଉତ୍ତରଦେଲା—ଆପଣଙ୍କ ସ୍ନେହ ପାଇଁ ମୁଁ ଏ ପୁରୀରେ ବି ଅଧୀର ହୋଇପଡ଼ୁଛି । ଆପଣ ଜାଣି ଶୁଣି ଗୋଟାଏ ଛାଇକୁ ଏତେ ସ୍ନେହ କରୁଛନ୍ତି କାହିଁକି ? ମୋର ସବୁ ଶେଷ ହୋଇଛି ଡାକ୍ତରବାବୁ । ଯେଉଁ ଦେହରେ ଶିହରଣ ଆସେ ଯେଉଁ ରକ୍ତରେ ଚମକ ଲାଗେ, ଯେଉଁ ମନରେ ଜୁଆର ଉଠେ, ଯେଉଁ ଆଖି ପ୍ରିୟ ଦର୍ଶନରେ ମୁଗ୍ଧ ହୁଏ, ଯେଉଁକାନ ସ୍ନେହ, ସୋହାଗ ପ୍ରଶଂସା ଶୁଣିବାକୁ ସହସ୍ର କାନ ହୁଏ, ତାହା ଆଜି ଆଉ ନାହିଁ । ପାଉଁସ ହେଲାଣି ତାହା ଦି’ଦିନ ହେଲା ।

ନଳିନୀ କିଛି ସମୟ ନୀରବ ରହି ପୁନର୍ବାର ଦୀର୍ଘନିଃଶ୍ୱାସ ଛାଡ଼ି ଆରମ୍ଭ କଲା—ଅତି ଅନିଚ୍ଛା ସତ୍ତ୍ୱେ ଦୁନିଆରୁ ମୁଁ ବିଦାୟ ନେଇଥିଲେ ବି ମୋର ମରସଂସାରରୁ ଆଦୌ ଲୋଭ ଛାଡ଼ି ନାହିଁ । ତାକୁ ଆପଣ କାମନା କୁହନ୍ତୁ ବା ବାସନା କୁହନ୍ତୁ ଜୀବନର କେତେକ ଅଭୁଲା ସ୍ମୃତିକୁ ଏବେବି ଭୁଲି ପାରୁନି । ମୋରି ଜୀବନରେ ଘଟିଥିବା ଘଟଣାପାଇଁ ମୁଁ ଏଇ ପ୍ରତାରଣା ପୂର୍ଣ୍ଣ ଦୁନିଆକୁ ଘୃଣା କରୁଥିଲେ ବି, ବେଳେ ବେଳେ ସେସବୁ ମୁଁ ଭୁଲିଯାଉଛି । ମନକୁ ବାଁରେଇ ଭାବୁଛି ମୋ ଭାଗ୍ୟରେ ଯାହା ଘଟିଲା, ସମସ୍ତଙ୍କ ଭାଗ୍ୟରେ କାହିଁକି ସେମିତି ଘଟିଥିବ । ନିଜେ ମୁଁ ତ ଆଖିଆଗରେ ଦେଖୁଛି କେତେ ଯୁବକ ଯୁବତୀ ଯୌବନର ସ୍ଵର୍ଣ୍ଣତରୀରେ ବସି ହସି ହସି ଆହୁଲା ମାରି ଚାଲିଛନ୍ତି ଜୀବନର ଆରପାରି ବେଳାଭୂମିରେ ପହଞ୍ଚିବାକୁ । ଏସବୁ ଦେଖି ମନରେ ବଡ଼ ଈର୍ଷା ହୁଏ । ମନେହୁଏ ମୁଁ ନିଜେ ଯେପରି କ’ଣ ଭୁଲ୍‍ କରି ଦେଇଛି । ପୁଣି ମନରେ ମୋହ ଜାଗେ–ସ୍ନେହ ସୋହାଗ ପ୍ରୀତିପୂର୍ଣ୍ଣ ଦୁନିଆକୁ ପୁଣି ଫେରିଯାନ୍ତିକି...

ଶିଶିରବାବୁ ଯୁବତୀଟିର କଥା ମନଧ୍ୟାନ ଦେଇ ଶୁଣୁ ଶୁଣୁ କହିଲେ—ତୁମେ ଯାହା କୁହ ପଛକେ—ମୁଁ କହିବି ତୁମେ ବି ଭୁଲ୍‍ କରିଛ । ସେ ଭୁଲ୍‍ ଆଉ ଏ ଜନ୍ମରେ ସଜାଡ଼ି ହେବ କେମିତି ! ମଣିଷର ଶରୀର ନଷ୍ଟ ହେଲେ ବି ତା’ର ଆତ୍ମା ଯେ ବଞ୍ଚିରହେ, ଏ ଧାରଣା ତୁମରି ଯୋଗୁ ମୋର ବଦଳି ଯାଇଛି ଏବଂ ତାହା ଯେ ନିରାଟ ସତ୍ୟ ତାହାର ପ୍ରମାଣ ତ ତୁମେ ନିଜେ । ମୁନି ଋଷିମାନେ କହୁଛନ୍ତି ପର ମଣିଷର ପୂର୍ଣ୍ଣ ବାସନା ଗୋଟାଏ ଜନ୍ମରେ ଶେଷ ହୁଏ ନାହିଁ । ସେଥିପାଇଁ ହଜାର ହଜାର ବର୍ଷ ଏବଂ ଅଂସଖ୍ୟଥର ଏ ଦୁନିଆକୁ ଫେରି ଆସିବାକୁ ହୁଏ । କାହାର ହୁଏତ ଆତ୍ମା ବାସନା ଶୂନ୍ୟହୋଇ ଭଗବାନଙ୍କ ସାଙ୍ଗରେ ମିଶିଯିବାକୁ ଲକ୍ଷ ଲକ୍ଷ ବର୍ଷ—ବହୁ ଜନ୍ମଜନ୍ମାନ୍ତର ଭୋଗ କରିବାକୁ ହୁଏ । ସେହିଭଳି ତୁମ ମନରେ ଜୀବନକୁ ଉପଭୋଗ କରିବାପାଇଁ ଯେଉଁ ପ୍ରବଳ ବାସନା ଅଛି, ସେଥିପାଇଁ ତୁମେ ଶୀଘ୍ର ଏ ଦୁନିଆଁରେ ନବ ରୂପରେ ଜନମ ଗ୍ରହଣ କରିବ । ବ୍ୟସ୍ତ ହୁଅନାହିଁ ନଳିନୀ !

ନଳିନୀ କ’ଣ ଭାବୁଥିଲାପରି ଉତ୍ତରଦେଲା—ତାହା ଠିକ୍‍ ହୋଇପାରେ ଡାକ୍ତରବାବୁ ! କିନ୍ତୁ ଯାହା ମୋ ଜୀବନରେ ସତ୍ୟ ଥିଲା ତାହା ଅଭିଶାପ ଭଳି ନଷ୍ଟ ହୋଇଗଲା । ପୁଣି ଦୁନିଆରେ ଜନ୍ମଗ୍ରହଣ କରି ଜୀବନଯୌବନ ଉପଭୋଗ କରିବା କଥା ଭବିଷ୍ୟତର କାହିଁ କେଉଁ ଅନ୍ଧାରି ମୂଲକରେ ଯେ ଲୁଚି ରହିଛି, ତା’ର କଳ୍ପନା ବି ଆସୁନି ମନକୁ । ତଥାପି ଆଶାରେ ସପନତରୀ ଗଢ଼ିବା ଛଡ଼ା ଆଉ ଉପାୟ କ’ଣ ? ଏହି ଉପଭୋଗ୍ୟ ଆଶା ହିଁ ଜୀବନର ସବୁ ଆଶାନ୍ତିର କାରଣ-। ଏହି ବାସନାକୁ ମନରୁ ଯେତେ ତଡ଼ି ଦେବାକୁ ଚେଷ୍ଟା କଲେବି, ତାହା ମନରୁ ଆଦୌ ତଡ଼ି ହେଉନି । ବରଂ ତାହା ଆହୁରି ହେଉଛି ସୁନ୍ଦର, ଲୋଭନୀୟ, ଠିକ୍‍ ରସପୂର୍ଣ୍ଣ ହୀରାଫଳ ପରି-

 

ଶିଶିରବାବୁ ଟିକିଏ ନରମ ଗଳାରେ ଉତ୍ତରଦେଲେ—ତୁମର ପୁଷ୍ପିତ ଅନ୍ତରର ମହକ ଚାରିଆଡ଼େ ବିଚ୍ଛୁରିତ ହେବା ପୂର୍ବରୁ ଯେତେବେଳେ ତୁମେ ଦୁନିଆରୁ ବିଦାୟ ନେଇଛ, ସେତେବେଳେ ତୁମର ପୁନଃ ଜନ୍ମ ହିଁ ଲୋଡ଼ା । ତୁମ ମନର କାମନା ବାସନା ପୂର୍ଣ୍ଣହେଉ ଭଗବାନଙ୍କ ପାଖରେ ମୋର ଏତିକି କାମନା ।

 

ନଳିନୀ ଗଳାଥରାଇ କହିଲା—ଯିଏ ଥରେ ପ୍ରତାରିତ ହୋଇଛି, ସେ ଦୁନିଆକୁ ଫେରି ଆସିବାକୁ ନିଶ୍ଚୟ କ’ଣ ଡରିଯିବ ନାହିଁ ।

 

ଡାକ୍ତରବାବୁ ସାନ୍ତ୍ୱନା ଦେଇ କହିଲେ—ଭଗବାନ ତାଙ୍କ ଦୁନିଆକୁ ଇମିତି ବିଷାଦପୂର୍ଣ୍ଣ କରି ଗଢ଼ି ନାହାନ୍ତି । ମଣିଷ ପାଇଁ ଭଗବାନଙ୍କ ଉଦାର ହୃଦୟର ତୁଳନା ନାହିଁ । ସେ ତାଙ୍କ ସୃଷ୍ଟ ମଣିଷ ମନରେ ହସ ଫୁଟାଇବାପାଇଁ, ଚନ୍ଦ୍ରରୁ ଜ୍ୟୋତ୍ସ୍ନା ଝରାଇ ଦେଇଛନ୍ତି । ଫୁଲ ଫଳ ଯାହା ଦେଖୁଛ—କେବେଳ ତାଙ୍କ ଜୀବଜଗତର ସୁଖ ଶାନ୍ତି ପାଇଁ ତିଆରି କରିଛନ୍ତି । ତାଙ୍କ ଦୁନିଆକୁ କିଏ ଅସୁନ୍ଦର ବୋଲି କହିବ ?

 

ନଳିନୀ ଅଭିମାନ ଭଙ୍ଗୀରେ ଉତ୍ତରଦେଲା—ତା’ ସାଙ୍ଗକୁ ମଣିଷ ମନରେ ନିଷ୍ଠୁରତା ବି ଭରି ଦେଇଛନ୍ତି ।

 

—ତା’ ଠିକ୍‍ ନୁହେଁ ନଳିନୀ ! ମଣିଷ ବେଳେବେଳେ ଅଧିକ ସୁବିଧା ଉପଭୋଗ କରିବା ପାଇଁ ଅନେକ ଅସୁନ୍ଦର କାମ କରିବାକୁ ପଛାଏ ନାହିଁ । ମଣିଷକୁ ଭଗବାନଙ୍କର ଶ୍ରେଷ୍ଠଦାନ ହେଉଛି ଯୌବନ । ସେହି ଯୌବନକୁ ଅମୃତ ଭଳି ଉପଭୋଗ କରିବାକୁ—ଯୁବକ ଅନ୍ତରରେ ଜୁଆର ଉଠାଇବାପାଇଁ ଯୁବତୀ ନୟନରେ ଚମ୍ପକ ଦିଆ ଚାହାଣି ଦେଇଛନ୍ତି । ତା’ର ଅଧରରେ ଭରି ଦେଇଛନ୍ତି ମଧୁ । ଅନ୍ତରରେ ଭଲପାଇବାର ସ୍ନେହ ସୋହାଗ କେତେ କ’ଣ । ଯୁବକ ବି ନିଜକୁ ଭୁଲି ଯୁବତୀର ମନ ନେବାକୁ କ’ଣ ବା ନ କରେ । ଭଗବାନଙ୍କ ଆଖିରେ ଏ ଏକ ସୁନ୍ଦର ଅଭିନୟ । ଏ ଅଭିନୟ ଦେଖି ତାଙ୍କ ଅଧରରେ ହସ ଫୁଟି ଉଠେ । ତୁମେ ନଳିନୀ ଏଇ ଫୁଲଫୁଟା ଦୁନିଆକୁ ଫେରି ଆସିବାକୁ ପ୍ରାର୍ଥନା କର ।

 

କାନ୍ଥ ଘଣ୍ଟାରେ ବାଜିଲା ସାଢ଼େ ଚାରି । ବାହାରେ ଝଡ଼ ବର୍ଷା ଟିକିଏ କମି ଆସିଲାଣି । ଦୂର କିଆବଣରୁ ପଲେ ବିଲୁଆ ପାହାନ୍ତି ପାହାର ଶୁଭ ସଂକେତ ଜଣାଇ ଏକା ସାଙ୍ଗରେ ଭୁକି ଉଠିଲେ । ନଳିନୀ ଚମକିଲାପରି ଘଡ଼ିଟାକୁ ଅନାଇ ଦରଦୀ ସ୍ୱରରେ କହିଲା—ମୋତେ କ୍ଷମା କରିବେ ଡାକ୍ତରବାବୁ । ଅକାରଣରେ ଆପଣଙ୍କର ଏ ରାତିଟା ନଷ୍ଟ ହୋଇଗଲା । ଆଉ ଟିକକପରେ ରାତି ଯେ ପାହିବ !

 

ଶିଶିରବାବୁ ଦମ୍ଭଗଳାରେ କହିଲେ—କିଛି କ୍ଷତି ହୋଇ ନାହିଁ । ବରଂ ତୁମକୁ ଆଗରେ ଦେଖି—ତୁମ ମୁହଁରୁ କଥା ଶୁଣି ତୁମ ପାଇଁ ମୋ ମନରେ ଯେଉଁ ଅଶାନ୍ତି ପୂରି ରହିଥିଲା ତାହା ଦୂର ହୋଇଯାଇଛି । କହିଲି ପରା ମୋତେ ବରାବର ଦେଖାଦେଲେ ମୁଁ ଭାରି ଖୁସି ହେବି !

 

ନଳିନୀ ତଳକୁ ମୁହଁପୋତି ଗଳା ଥରାଇ କହିଲା—କାହିଁକି ଦେଖା ଦେବି ଆପଣଙ୍କୁ । ଜୀବନର ମୋର କେଉଁ ସୁଖ କାହାଣୀ ବା ଆପଣଙ୍କୁ ଶୁଣାଇବି ? ତଥାପି ଆସିବି ଡାକ୍ତରବାବୁ, ମୋରି ଜୀବନର କାହାଣୀ ଶୁଣାଇବାପାଇଁ ଆପଣଙ୍କ ମନରେ ପ୍ରବଳ ଇଚ୍ଛା ଜାଗିଛି ପରା ! ତାହା ଆପଣଙ୍କ ଆଗରେ କହି ମନକୁ ଟିକିଏ ହାଲୁକା କରିବା ପାଇଁ ତ ମୁଁ ଧାଇଁ ଆସିଛି ।

 

ଡାକ୍ତରବାବୁ ଆଗ୍ରହ ଦେଖାଇ କହିଲେ—କୁହ ନଳିନୀ ତୁମ ଜୀବନର କରୁଣ କାହାଣୀ-! ତାହା ଶୁଣିବାପାଇଁ ମୋର ଦୁଇଟି କାନକୁ ସହସ୍ର କାନରେ ଶୁଣିଲା ଭଳି ଶୁଣିବି । ଦୁଇଟି ଆଖିରୁ ସହସ୍ର ଆଖିକୁ ଲୁହ ଝରାଇବାଭଳି ଝରାଇବି । ତୁମକୁ ମୁଁ ସ୍ନେହ କରେ ନଳିନୀ ।

 

ନଳିନୀ ପୁଣିଥରେ କାନ୍ଥ ଘଡ଼ିକୁ ଚାହିଁ କହିଲା—ରାତି ଯେ ପାହି ଆସିଲାଣି । ଏଥର ଆପଣ ଟିକିଏ ବିଶ୍ରାମ ନିଅନ୍ତୁ । ମୁଁ ନାରୀ । ପୁରୁଷକୁ ସୁଖଶାନ୍ତିରେ ରଖିବା ହେଉଛି ନାରୀର ଧର୍ମ-। କିନ୍ତୁ ଏ ଅଭାଗୀ ଜୀବନରେ ତା’ ସମ୍ଭବ ହେଲା ନାହିଁ । ଆପଣ ମୋ’ଭଳି ଏକ ଛାଇକୁ ସ୍ନେହ କରନ୍ତି ପରା ! ଯିଏ ଯାହାକୁ ସ୍ନେହ କରେ ସେ କ’ଣ ତା’ କଥା ରଖେ ନାହିଁ ? ମୋର ଅନୁରୋଧ, ଟିକିଏ ଶାନ୍ତିରେ ବିଶ୍ରାମ ନିଅନ୍ତୁ । ଆଜି ମୋ ଜୀବନର କାହାଣୀ ଶୁଣାଇବାକୁ ଆସି କେତେ କ’ଣ କହି ଆପଣଙ୍କ ସମୟ ନଷ୍ଟ କରିଛି । ଯା’ନ୍ତୁ ଶୋଇବେ ।

 

ତୁମକୁ ଆଖି ଆଗରୁ ଅନ୍ତର କରିବାକୁ ମୋର ଇଚ୍ଛା ନାହିଁ । ତଥାପି ତମ କଥା ମାନି ବିଶ୍ରାମ ନେବାକୁ ଯାଉଛି । କିନ୍ତୁ ତୁମେ !

 

ନଳିନୀ ଟିକିଏ ବିଦ୍ରୂପ କରି କହିଲା—ଗୋଟାଏ ଛାଇ ପାଇଁ ଆପଣ ଚିନ୍ତା କରୁଛନ୍ତି ! ଶୁଖିଲା ପତ୍ରପରି ଏଇ ଆକାଶ ପବନରେ ମିଶି ଅଶାନ୍ତିରେ ଘୂରି ବୁଲିବି । ଯା’ନ୍ତୁ ଶୋଇବେ ।

 

ଶିଶିରବାବୁ ଠିଆ ହୋଇପଡ଼ି କହିଲେ—କାଲି ମୁଁ ଠିକ୍‍ ଏଗାରଟା ବେଳକୁ ଅପେକ୍ଷା କରିଥିବି ।

 

ଗଳା ଥରାଇ ଯୁବତୀଟି ଉତ୍ତରଦେଲା—ହଉ ! ଯାଉଛି ।

 

ହଠାତ୍‍ ଝରକା କବାଟ ଆପେ ଆପେ ଖୋଲିଗଲା । ତା’ପରେ କାହିଁ କିଏ ! ଲ୍ୟାମ୍ପଟିରୁ ତେଲ ଶେଷ ହୋଇଯାଇଛି । ଶେଷଥର ପାଇଁ ଶୁଖିଲା ବଳିତା ଜଳିଉଠି ଦପ୍‍ କରି ଲିଭିଗଲା । ଡାକ୍ତରବାବୁ ସ୍ଵପ୍ନ ଦେଖି ନିଦ ଭାଙ୍ଗିଗଲା ପରି କିଛି ସମୟ ଠିଆହୋଇ ବିଛଣାରେ ଆସି ପଡ଼ିଲେ-। ପାହାନ୍ତି ପହରର ଶୀତଳ ପବନରେ ତାଙ୍କ ଆଖିପତା ଆୟତହୀନ ହୋଇ ବୁଜି ହୋଇ ଆସୁଥିଲା-

 

ଦ୍ୱିତୀୟ ରାତ୍ରି

 

ରାତି ଏଗାରଟା । ଡାକ୍ତର ଶିଶିରବାବୁ ନିଜର ସମସ୍ତ କାମ ଶେଷକରି ନଳିନୀର ପ୍ରତୀକ୍ଷାରେ ବସିରହିଥିଲେ । ନଳିନୀର ସୁନ୍ଦର ରୂପ ତାଙ୍କ ଆଖି ଆଗରେ ଜୀବନ୍ତ ଧରିଥିଲା । ସେଦିନରୁ ନଳିନୀକୁ ସୋହାଗରେ ଖାଦ୍ୟ ଯାଚିବା ପାଇଁ ଗୋଟିଏ ପ୍ଲେଟରେ କେତୋଟି ରାଜଭୋଗ ସଜାଡ଼ି ରଖିଥିଲେ ।

ସାଢ଼େ ଏଗାରଟା ବାଜିଲା । ଆଜିକାଲି ଭଳି ଝଡ଼ବର୍ଷା ନଥିଲେ ମଧ୍ୟ ଆକାଶରେ କ୍ଷଣକୁ କ୍ଷଣ ମେଘ-ଡମ୍ବରୁ ବାଜୁଥିଲା । ବିଜୁଳିର ଘନ ଘନ ଚମକରେ ଜଣାଯାଉଥିଲା, ସରଗ ରାଇଜରେ ଯେପରି ଏକ ନାଟକ ଅଭିନୀତ ହେବ । ତା’ ପୂର୍ବରୁ ଦେବାଦେବୀଙ୍କ ମନରେ ଆଗ୍ରହ ଜନ୍ମାଇବା ପାଇଁ ମେଘ-ଡମ୍ବରୁ କିଏ ବଜାଇ ବିଜୁଳି ଆଲୋକରେ ଚଉଦିଗ ଝଲସାଇ ଦେଉଛି । ପୂଝାରି, ରାତି ନ’ଟାବେଳୁ କେଉଁ ସାଥୀଘରୁ ତ୍ରିନାଥ ମେଳାରେ ଯୋଗଦେଇ, ପ୍ରସାଦ ଓ ଗଞ୍ଜେଇ ନିଶାରେ ଘଣ୍ଟାଏ ହେବ ଆସି ଅଚେତଭଳି ଶୋଇ ଗଲାଣି । କ୍ରମେ ରାତି ନିଶବ୍ଦ ହୋଇ ଆସିଛି ।

ବାରଟା ବାଜିଲା । ଡାକ୍ତରବାବୁ ଅଧୀର ହୋଇ ଭାବିବାକୁ ଲାଗିଲେ, କାହିଁ ଏତେବେଳ ଯାଏ ନଳିନୀ ! ବୋଧହୁଏ ପବନ ଭଳି ଛାଇର ଏକଥା ମନେଥିବ କି ନଥିବ କିଏ ଜାଣେ ! କାଲିଯଦି ସିଏ ତା’ ଜୀବନର କାହାଣୀ କହି ଯାଇଥାନ୍ତା—ତେବେ ସେ ଏତେ ଭାବନ୍ତେ ନାହିଁ । ନିଜ ମନ ନିଜକୁ ଦୋଷୀ କଲାପରି କହେ—ତାଙ୍କ କଥାବାର୍ତ୍ତାରେ ସେ କ’ଣ ଅସନ୍ତୁଷ୍ଟ ହୋଇଛି । ତାଙ୍କର ତ ମନେ ହେଉ ନାହିଁ, ସେ ଅସଂଯତ ଶବ୍ଦ ବ୍ୟବହାର କଲାଭଳି ? ତେବେ କାହିଁକି ସେ ଏତେବେଳଯାଏ ଆସୁନି !!

ଡାକ୍ତରବାବୁ ! ମୋର ନମସ୍କାର ଗ୍ରହଣ କରିବେ । ମୋର ବିଳମ୍ବ ଦେଖି ଆପଣ ବହୁତ ଭାବିଲେଣି—ନୁହେଁ ?

ଶିଶିରବାବୁ ହଠାତ୍‍ ଦୈବବାଣୀ ଶୁଣିଲାପରି ଉତ୍‍ଫୁଲ୍ଲ ହୋଇ ଅନାଇ ଦେଲେ ଲ୍ୟାମ୍ପ ପାଖ ଚୌକି ପାଖକୁ । ସତକୁସତ ତାଙ୍କର ଆଶା ରୂପ ଧରିଛି । କାଲିର ନଳିନୀ ଆସି ଠିଆ ହେଲାଣି । ସେ ଖୁସି ମନରେ ନଳିନୀର ଆଜିର ଏ ବେଶପାଟି ଦେଖି ଚମକି ପଡ଼ିଲେ । ଏତେ ସୌନ୍ଦର୍ଯ୍ୟ ଦେଇ ଭଗବାନ ଗଢ଼ିଥିଲେ ନଳିନୀକୁ !

ଡାକ୍ତରବାବୁ ମନ୍ତ୍ରମୁଗ୍ଧ ପରି ତାରି ଆଡ଼େ ଛାହିଁ ରହି ଭାବୁଥିଲେ, ନଳିନୀର ଏ ବେଶ କାହିଁକି ? ପ୍ରେତପୁରୀରେ ବି ବେଶ ସଜାଇ ହେବାର ଉପାଦାନ ଅଛି ନା କ’ଣ ? ନଳିନୀ ଆଜି ଆସିଛି ଏକ ନବବଧୂ ବେଶରେ । ମୁଣ୍ଡରେ ବିନ୍ଦୁ ବିନ୍ଦୁ ଚନ୍ଦନ ପାଟି ସୀମନ୍ତରେ ଅଳକା । କାନରେ ସୁନାର ଦୁଲ୍‍ ଯୋଡ଼ିକର ଜ୍ୟୋତି ଚିକଣ୍‍ ଗଣ୍ଡରେ ପ୍ରତିଫଳିତ ହେଉଛି । ବେଣୀ ମୂଳରେ ନାଲି ଧଳା ଫୁଲର ଫୁଲଗୁଚ୍ଛ । ଦାମିକା ନୀଳ ଜରିଧଡ଼ିଆ ସିଲ୍କ୍‍ ଶାଢ଼ି ଦୁଧ ଅଳତା ମିଶା ତନୁର ସୌନ୍ଦର୍ଯ୍ୟକୁ ଅନେକ ଗୁଣରେ ବଢ଼ାଇ ଦେଇଛି । ଘୁମନ୍ତ ନୟନରେ କଜ୍ଜ୍ଵଳ । ପୁରୁଷ ପ୍ରାଣକୁ ଆଲୋଡ଼ିତ କରିବ । ପାଦରେ ନୂପୁର, ଅଳତା । ଅପରୂପ ସୌନ୍ଦର୍ଯ୍ୟ ଘେନି ଆସିଛି ଆଜି ନଳିନୀ-!

ମୋତେ ଦେଖି ଆପଣ ମନରେ ଅନେକ କଥା ଭାବୁଥିବେ, ନୁହେଁ ଡାକ୍ତରବାବୁ ?

ହଁ, ଭାବୁଛି ନଳିନୀ ! ମୋତେ ଲାଗୁଛି କିପରି ଜାଣ ? ମୁଁ ଯେପରି ସ୍ୱର୍ଗର ଦେବକୁମାରୀମାନଙ୍କର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଠ ହୋଇଥିବା ଏକ ଦେବକୁମାରୀକୁ ଦେଖୁଛି ! ଆଜି ତୁମକୁ ଦେଖି ମୋର ସୌନ୍ଦର୍ଯ୍ୟ ଦେଖିବାର ଲାଳସା ଚିରଦିନ ପାଇଁ ଶେଷ ହୋଇଛି ।

 

ନଳିନୀ ଧୀର ଗଳାରେ ଉତ୍ତରଦେଲା—ମୋର ସୌନ୍ଦର୍ଯ୍ୟ ପାଇଁ ମୋତେ ଏତେ ପ୍ରଶଂସା କରନ୍ତୁ ନାହିଁ ଡାକ୍ତରବାବୁ ! ଭଗବାନ ତାଙ୍କ ଦୁନିଆରେ କାହାଠାରେ ପୂର୍ଣ୍ଣ ସୌନ୍ଦର୍ଯ୍ୟ ଠୁଳକରି ନାହାନ୍ତି । ମୁଁ ବା କିବା ଛାର ! ହଁ, ଡାକ୍ତରବାବୁ ମୋର ଆଜି ଏ ବେଶ ପାରିପାଟି ଦେଖି ଆପଣ କେତେକଥା ଭାବୁଛନ୍ତି ନୁହେଁ.... ?

 

ଠିକ୍‍ ଅନୁମାନ କରିଛ ତୁମେ ନଳିନୀ, ଡାକ୍ତରବାବୁ ଉତ୍ତର ଦେଲେ ।

 

ମୋର ଏ ବେଶ ଆଜି କାହିଁକି ଜାଣନ୍ତି ! ମୁଁ ଏଇ ବେଶ ହୋଇଥିବା ଅବସ୍ଥାରେ ଦୁନିଆରୁ ବିଦାୟ ନେଇଥିଲି !

 

ଶିଶିରବାବୁ ତା’ର କଥା ଶୁଣିଲାକ୍ଷଣି ତାଙ୍କର ବିସ୍ମୟର ସୀମା ରହିଲା ନାହିଁ । ସେ ଚକିତ ହୋଇ ପଚାରିଲେ—ଏଇ ବେଶରେ ? ଏଇ କଥାତ ନୂଆ କରି ମୋ ମନରେ ଇନ୍ଦ୍ରଜାଲ ସୃଷ୍ଟି କଲାଣି ।

 

—ନିଶ୍ଚୟ ଆପଣଙ୍କୁ ଏକଥା ନୂଆ ଲାଗିବ । କାରଣ ମୋର ଶରୀରକୁ ପରୀକ୍ଷା କରାଇବା ପାଇଁ ପୋଲିସ ଯେତେବେଳେ ଆପଣଙ୍କ ପାଖକୁ ଆଣିଥିଲା, ସେତେବେଳେ ମୋର ଏ ବେଶ ନଥିଲା ।

 

ଯୁବତୀଟି କ୍ଷଣକାଳ ନୀରବ ରହି ଟିକିଏ ସିଧାଭାବରେ ବସି କହିଲାଡାକ୍ତରବାବୁ ! ଆପଣ ମୋ ପେଟଚିରି କ’ଣ ଦେଖିଲେ ?

 

ଡାକ୍ତରବାବୁ ଧୀର ଗଳାରେ ପଚାରିଲେ—ତୁମେ କ’ଣ ଜାଣିନାହଁ ?

 

—ଜାଣିଛି, ସବୁ ଜାଣିଛି ଡାକ୍ତରବାବୁ ! ତଥାପି ଆଉଥରେ ଆପଣଙ୍କ ମୁହଁରୁ ତାହା ଶୁଣିବାକୁ ଚାହେଁ !

 

ଶିଶିରବାବୁ ଯୁବତୀଟି ଆଡ଼କୁ ଚାହିଁ କହିଲେ—ସେ ଦିନ ଛୁରିଧରି ତୁମର ପେଟ ଚିରିଲାବେଳେ ମୁଁ ଯେ କି ଅଶାନ୍ତି ଭୋଗ କରିଥିଲି, ସେ କଥା ମୁଁ ଜାଣେ । ଛୁରିଧରି ମୁଁ ଅନେକକ୍ଷଣ ସ୍ପନ୍ଦନହୀନଭାବେ ଚାହିଁ ରହିଲି ତୁମରି ଏଇ ସ୍ନେହବୋଳା ମୁହଁଟି ଆଡ଼େ । ତୁମେ ଅନେକ ଆଗରୁ ମୃତ୍ୟୁ କବଳରେ ପଡ଼ିଥିଲେ ବି ତୁମର ସେ ଶରୀରକୁ ଦେଖି କେହି ମୃତ ବୋଲି ବିଶ୍ୱାସ କରିବେ ନାହିଁ । ମୁଁ ବେଶ୍‍ ଜାଣିଥିଲି, ତୁମର ସେ ମୃତ ଶରୀର ମାଟି ସଙ୍ଗେ ସମାନ । ତଥାପି ମୁଁ ଭାବବିହ୍ଵଳ ହୋଇ ତୁମର ପୁଷ୍ପକୋମଳ ଦେହରେ ଛୁରି ଚଳାଇବାକୁ ଆଦୌ ଇଚ୍ଛା କରୁନଥିଲି ।

 

ନଳିନୀ ଅଧର ଥରାଇ ପଚାରିଲା—ତା’ପରେ କ’ଣ ଦେଖିଲେ ଡାକ୍ତରବାବୁ ?

 

ଦେଖନ୍ତି ଆଉ କ’ଣ ! ତୁମର ମୃତ୍ୟୁର କାରଣ ଅଫିମ ଟେଳା ଆଉ ଚାରିପାଞ୍ଚ ମାସର ବୃନ୍ତ ଭିତରେ ଲୁଚି ରହିଥିବାଭଳି ପୁଅଟିଏ । ଆହା, କେଇମାସ ପରେ କି ସୁନ୍ଦର ହୋଇଥାନ୍ତା ସିଏ..... ।

 

ଯୁବତୀଟି କାହିଁକି କେଜାଣି ବିଚଳିତ ହୋଇପଡ଼ିଲା । ଆଖିରୁ ଗଡ଼ିଆସିଲା ଦୁଇଟୋପା ମୁକ୍ତା ଭଳି ଲୁହ । ଅଧର ଥରାଇ ସେ କହିଲା—ସେ କଥା ବନ୍ଦ କରନ୍ତୁ ଡାକ୍ତରବାବୁ । ମୋ ଜୀବନର କଳଙ୍କ ସେହି ଶିଶୁଟାକୁ ଗର୍ଭରେ ଧରି ମୁଁ ଗୋଟିଏ ମୁହୂର୍ତ୍ତ ବି ଶାନ୍ତିରେ ରହି ପାରିନାହିଁ । ତାକୁ ମୋ ଦେହରୁ ଯନ୍ତ୍ରଣାଦାୟକ ଭଳି ବାହାର କରିଦେଇ ଖୁବ୍‍ ଭଲ କରିଛନ୍ତି । ମୁଁ ଏ ପୁରରେ ବି ଶାନ୍ତି ପାଇଛି—ସେଥିପାଇଁ ମୋର ଅଶେଷ ଧନ୍ୟବାଦ ଗ୍ରହଣ କରନ୍ତୁ ଡାକ୍ତରବାବୁ ।

 

ନଳିନୀର ମନର ଅସ୍ଥିରତା ଦେଖି ଶିଶିରବାବୁ ଟିକିଏ ନୀରବ ରହି ତାକୁ ସାନ୍ତ୍ୱନାଦେଇ କହିଲେ—ତୁମେ ଭୁଲ୍‍ ବୁଝିଛ ନଳିନୀ ! ଯେଉଁ ଶିଶୁ ଅମୃତର ଉପାଦାନରେ ଗଢ଼ା, ଯାହାର ସରଳ ଚାହାଣି, ନିଷ୍କପଟ ଅମୃତଝରା ହସ ଦେଖି ମଣିଷ ଆନନ୍ଦରେ ବିଭୋର ହୁଏ, ସେହି ଗର୍ଭର ଶିଶୁକି କେବେ ବ୍ରଣଭଳି ଯନ୍ତ୍ରଣାଦାୟକ ହୋଇପାରେ । ତୁମର କଳଙ୍କପାଇଁ ଶିଶୁ ଦାୟୀ ନୁହେଁ ନଳିନୀ ! ତୁମକୁ ଯିଏ ପ୍ରତାରଣା କରିଛି ସିଏ ଦାୟୀ ! ଗୋଟିଏ ଶୁଭ ମୁହୂର୍ତ୍ତରେ ପ୍ରାଣକୁ ପ୍ରାଣ ମିଳାଇବାର ରତ୍ନ ଜଡ଼ିତ ସ୍ମୃତିସ୍ତମ୍ଭ ଭଳି ଏହି ଶିଶୁଟିକୁ କାହିଁକି ଜାଣି ଜାଣି ନଷ୍ଟ କରିଦେଲ ? ନିଜେ ମଧ୍ୟ ତୁମର ସୁବାସମୟ ଜୀବନ ପ୍ରତି ଟିକିଏ ମାୟା ମମତା ରଖିଲା ନାହିଁ ।

 

ଯୁବତୀଟି ଆଖିରୁ ଅଶ୍ରୁଢ଼ାଳି କ’ଣ ଭାବୁଥିଲା । କେତେବେଳେ ଆଖିରୁ ଲୁହପୋଛି ଉତ୍ତରଦେଲା—ସେତେବେଳେ ମୃତ୍ୟୁକୁ ହିଁ ମୋ ଜୀବନର ଶ୍ରେଷ୍ଠ ବନ୍ଧୁ ବୋଲି ଭାବି ନେଇଥିଲି । ଆଜି ଆଖିରୁ ଲୁହଢ଼ାଳି ଗର୍ଭର ଶିଶୁଟିକୁ କଳଙ୍କ ବୋଲି କହୁଥିଲେ ମଧ୍ୟ ତା’ର ପ୍ରାଣରକ୍ଷା ପାଇଁ ମୁଁ ଅନେକ କିଛି ଭାବିଛି ଡାକ୍ତରବାବୁ ! ନଳିନୀର ପଞ୍ଜରା ଥରାଇ ଘନ ଘନ ନିଶ୍ଵାସ ବାହାରି ଆସିଲା-

 

ଡାକ୍ତରବାବୁ ସମଦୁଃଖୀଭଳି କହିଲେ—ଆଖିରୁ ଲୁହ ଝରାଇ ଆଉ କିଛି ଲାଭ ନାହିଁ ନଳିନୀ ! ଭଗବାନଙ୍କୁ ପ୍ରାର୍ଥନା କର । ତୁମର ଭୁଲପାଇଁ ସେ ତୁମକୁ କ୍ଷମା କରନ୍ତୁ ଆଉ ଫେରାଇ ଆଣନ୍ତୁ ତୁମକୁ ତାଙ୍କର ସୁନ୍ଦର ଦୁନିଆକୁ । ପୁନର୍ବାର ତୁମର କାମନା ବାସନା ପୂର୍ଣ୍ଣ ହେଉ ।

 

ନଳିନୀ ତଳକୁ ମୁହଁପୋତି ଯେପରି ତା’ର କଲାକର୍ମ ପାଇଁ ଅନୁତାପ କରୁଥିଲା ।

 

ଶିଶିରବାବୁ ଘଡ଼ିଟାକୁ ଚାହିଁଲେ ମୋଟେ ଗୋଟାଏ ବାଜିଛି । ତା’ପରେ ଟେବୁଲ ଉପରକୁ ଆଖି ଫେରାଇଲା କ୍ଷଣି ତାଙ୍କର ଆଖି ପଡ଼ିଲା ରସଗୋଲା ପ୍ଲେଟ୍‍ଟି ଉପରେ । ସେ ହଠାତ୍‍ ଉଠିପଡ଼ି ଟେବୁଲ ପାଖକୁ ଯାଉଁ ଯାଉଁ କହିଲେ—ମୋର ଗୋଟିଏ ଅନୁରୋଧ ରଖିବ ନଳିନୀ ! ତୁମେ ଆଜି ଆସିବବୋଲି ସ୍ନେହରେ ତୁମପାଇଁ ଦୁଇଟି ରସଗୋଲା ଆଣି ରଖିଛି । ସେତକ ଗ୍ରହଣ କଲେ ମୁଁ ଭାରି ଖୁସି ହୁଅନ୍ତି ।

 

ନଳିନୀ କୃତଜ୍ଞତାରେ ତରଳି ଗଲାପରି ଆଖି ଛଳଛଳ କରି କହିଲା—ଆପଣଙ୍କର ସ୍ନେହ ମୁଁ ଗୋଟାଏ ଜନ୍ମରେ ନୁହେଁ, ଯଦି ମଣିଷ ଜାଣି ପାରୁଥାନ୍ତା ତେବେ ଅନେକ ଜନ୍ମଯାଏ ଭୁଲି ପାରନ୍ତି ନାହିଁ । ଇନ୍ଦ୍ରଧନୁପରି ଏକ ଛାଇର ଯଦି ସେ ଶକ୍ତି ଥାନ୍ତା....

 

ଡାକ୍ତରବାବୁ ଖୁସି ମନରେ କହିଲେ—ମୁଁ ଜାଣେ, ତୁମର କୌଣସି ଜିନିଷ ଗ୍ରହଣ କରିବାର ଉପାୟ ନାହିଁ । ତୁମେ ଆଜି ଛାଇ ରୂପରେ ମୋ ଆଗରେ ଦେଖା ଦେଲେବି ଆତ୍ମା ଯେ ଅମର ସେ ଧାରଣା ତୁମେ ମୋ ମନରେ ଦୃଢ଼ କରିଛ । ଦେବାଦେବୀଙ୍କୁ ଯେଉଁ ଭାବରେ ମଣିଷ ନିବେଦନ କରେ ମୁଁ ସେହିଭଳି ସ୍ନେହରେ ଏ ମିଠାଇ ଦୁଇଟି ତୁମ ପାଇଁ ଆଣିଛି । ତୁମେ ଗ୍ରହଣ ନ କରିବ କାହିଁକି ?

 

—ସେହିଭଳି ଭାବରେ ଆପଣଙ୍କ ସ୍ନେହକୁ ମୁଁ ଗ୍ରହଣ କରିଛି ଡାକ୍ତରବାବୁ !

 

କାନ୍ଥଘଡ଼ିରେ ବାଜିଲା ସାଢ଼େ ଗୋଟାଏ । ନଳିନୀ ବ୍ୟସ୍ତ ହୋଇ ଉଠି କହିଲା—ଛାଇର ଆଉ ବିଶ୍ରାମ କ’ଣ । ଆପଣ କାଲି ରାତି ସାରା ମୋରି ପାଇଁ ଅନିଦ୍ରା ହୋଇଛନ୍ତି । ଆଜି ଗୋଟାଏ ଆସି ବାଜିଲାଣି, ଆପଣ ଶୋଇପଡ଼ନ୍ତୁ । ଆଉ ଦିନେ ମୋ ଜୀବନ କାହାଣୀ ଶୁଣିବେ ପଛେ ।

 

ଶିଶିରବାବୁ ଆଗ୍ରହମିଶା ସ୍ୱରରେ କହିଲେ—ତା’ ହେବନାହିଁ ନଳିନୀ ! ମୁଁ ତୁମକୁ ଆଖିଆଗରେ ଦେଖି କେତେ ଯେ ଆନନ୍ଦ ଅନୁଭବ କରୁଛି—ତାହା ତୁମେ କଦାପି ବୁଝିପାରିବ ନାହିଁ-। ସାଢ଼େ ଗୋଟାଏ ସମୟ ମୋ ପକ୍ଷରେ କିଛି ନୁହଁ । ଆଜି ତୁମ ମୁହଁରୁ ତୁମ ଜୀବନକାହାଣୀ ଶୁଣିବି ବୋଲି, ମୁଁ ଡାକ୍ତରଖାନାରୁ ଛୁଟିଆଣି ସାରାଦିନ ଶୋଇ ରହିଛି । ତେଣୁ ମୋ’ପାଇଁ ତୁମେ ବ୍ୟସ୍ତ ହୁଅ ନାହିଁ ।

 

ନଳିନୀ କିଛି ସମୟ ନୀରବ ରହି ଥରିଲା ଗଳାରେ ଡାକିଲା, ଡାକ୍ତରବାବୁ ! ...ଆଖି ଦୁଇଟା ତା’ର ଲୁହରେ ପୂରି ରହିଥିଲା ।

 

ଶିଶିରବାବୁ ତା’ ମୁହଁଆଡ଼େ ଚାହିଁ ଅତି ନରମଗଳାରେ ଉତ୍ତରଦେଲେ—କ’ଣ କହିବ କୁହ ! ତୁମେ ସବୁବେଳେ ଯଦି ଇମିତି ଆଖିରୁ ଲୁହ ଗଡ଼ାଇବ ତା’ହେଲେ ତୁମେତ ନିଶ୍ଚୟ ଅସହ୍ୟ ମାନସିକ ଯନ୍ତ୍ରଣା ଭୋଗ କରିବ । ତା’ ସଙ୍ଗେ ମୁଁ ମଧ୍ୟ ଅଶାନ୍ତି ଭୋଗ କରିବି । ଯାହା ଯାଇଛି ତା’ ଫେରିବ ନାହିଁ । ଭଗବାନ ତୁମର ଇଚ୍ଛାକୁ ନିଶ୍ଚୟ ପୂରଣ କରିବେ—ତୁମକୁ ପୁଣି ଫେରାଇ ଆଣିବେ—ଏଇ ଫୁଲଫୁଟା ଦୁନିଆକୁ । କ’ଣ ପଚାରିବ ପଚାର ?

 

ନଳିନୀ ଥଙ୍ଗ୍ ଥଙ୍ଗ୍ ହୋଇ କହିଲା—ମୋ ଗର୍ଭରୁ ଛୁଆଟିକୁ ବାହାର କରିଥିଲେ ପରା-!! କ’ଣ କଲେ ତାକୁ ?

 

କାହିଁକି ? ଦେଖିବାକୁ ଇଚ୍ଛା ହେଉଛି ନୁହେଁ ? ତାକୁ ଆଉ ଦେଖନାହିଁ ନଳିନୀ ! ତାକୁ ଦେଖିଲାକ୍ଷଣି ତୁମର ଦୁଃଖ ଏ ପୁରିରେ ବି ସହସ୍ର ଗୁଣ ବଢ଼ିଯିବ । ସେ ଛୁଆଟିକୁ ବୋତଲରେ ପୂରାଇ ଡାକ୍ତରଖାନାରେ ରଖା ହୋଇଛି ।

 

ନଳିନୀ ସବୁ ଭୁଲି ହଠାତ୍‍ କୋଟିନିଧି ପାଇଲା । ତନ୍ମୟ ହୋଇ କହିଲା—ଆପଣ ତାକୁ ରଖିଛନ୍ତି ତା’ହେଲେ ! କ’ଣ ହୋଇଥିଲା ତା’ର । ତା’ର ନାକ, ଆଖି, ଚିବୁକ ସବୁ ହୋଇଥିବ ନୁହେଁ-। ତା’ର ଗୋଲ ମୁହଁଟି ବେଶ୍‍ ହୋଇଥିବ । ତା’ର ଟିକି ଟିକି ପାଦ, ହାତରେ ପାପୁଲି, ଆଙ୍ଗୁଠି କି ସୁନ୍ଦର ହୋଇ ନଥିବ ! ମୁଁ ଥରେ ଆଖି ପୂରାଇ ଦେଖନ୍ତି ଡାକ୍ତରବାବୁ ।

 

ଶିଶିରବାବୁ ଜଣେ ଗର୍ଭଧାରିଣୀ ମା’ର କରୁଣଝରା ମନର ଆକୁଳତା ବେଶ୍‍ ଅନୁଭବ କରିଥିଲେ । ସେ ଟିକିଏ ନୀରବ ରହି ଉତ୍ତର ଦେଲେ—ତାକୁ ଦେଖି ତୁମର ବା କ’ଣ ଲାଭ ନଳିନୀ ! ତୁମରିଭଳି ସେ ମଧ୍ୟ ଏକ ଛାଇ । ତା’ର ଜଡ଼ ପିଣ୍ଡାଟା କେବଳ କାଚପାତ୍ରରେ ରଖାଯାଇଛି ।

 

ନଳିନୀ ଆହୁରି କଣ୍ଠରେ ଆକୁଳତା ଫୁଟାଇ କହିଲା—ସବୁ ବୁଝୁଛି ଡାକ୍ତରବାବୁ ! ତଥାପି ମୁଁ ଟିକିଏ ଦେଖିବି, ମୋର ଆଗ୍ରହକୁ ଭାଙ୍ଗିଦିଅନ୍ତୁ ନାହିଁ ।

 

ମୋର ଦେଖାଇବାର କିଛି ଆପତ୍ତି ନାହିଁ ନଳିନୀ, ତୁମରି ଆଖିରୁ ଅଧିକ ଲୁହ ନ ଝରାଇବା ପାଇଁ ମୁଁ ମନା କରୁଥିଲି ମାତ୍ର । କାଲି ଦେଖିବ ନିଶ୍ଚୟ ।

 

ଆପଣଙ୍କ ଦୟାକୁ ମୁଁ ଭୁଲିପାରିବି ନାହିଁ ଡାକ୍ତରବାବୁ । ରାତିତ ଦୁଇଟା ବାଜିଲାଣି, ମୋ ଜୀବନ କାହାଣୀ ଆଉ ଶୁଣିବେ କ’ଣ ! ଆଉଦିନେ ଶୁଣିଲେ ହେବ ନାହିଁ ?

 

ନ ହେବ କାହିଁକି ! ମୁଁ ଆଜି ଆଦୌ କ୍ଳାନ୍ତିବୋଧ କରୁନାହିଁ । ଆଜି ଆରମ୍ଭ କର ।

 

ନଳିନୀ କ’ଣ ଭାବୁଥିଲା ପରି ଟିକିଏ ରହି କହିଲା—ଆପଣଙ୍କ ଆଗରେ ମୋ ଜୀବନରେ ଘଟିଥିବା କୌଣସି କଥା ଲୁଚାଇବାକୁ ମୋର ଇଚ୍ଛା ନାହିଁ । କିନ୍ତୁ ଆପଣ ମୋତେ ନିର୍ଲଜୀ ବୋଲି ଭାବନ୍ତୁ ନାହିଁ ଡାକ୍ତରବାବୁ ! ଦୁନିଆ ଯେ ଏତେ ଜଟିଳ, ମଣିଷ ନିଜର ସ୍ୱାର୍ଥପାଇଁ ଯେ ନିଜକୁ ଦେବତା ଭଳି ଏତେ ସୁନ୍ଦର ଅଭିନୟ କରିପାରେ, ତାହା ମୋ କଅଁଳ ମନରେ ଆଦୌ ସ୍ଥାନ ପାଇନଥିଲା । ମୁଁ ଫୁଲର ସୁବାସିତ ଅନ୍ତର ନେଇ ନୀଳ ଚଷମାରେ ଦୁନିଆକୁ ଦେଖିଲାଭଳି ଦେଖୁଥିଲି । ଏଥର ଶୁଣନ୍ତୁ ଡାକ୍ତରବାବୁ—

 

ଶିଶିରବାବୁ ନଳିନୀକୁ ସାନ୍ତ୍ୱନା ଦେଇ କହିଲେ—ମୋର ଭାବିବାର କ’ଣ ଅଛି ନଳିନୀ-! ମଣିଷ ଜାଣି ଜାଣି କେବେ ଭୁଲ୍‍ କରେ ନାହିଁ । କୁହ, ମୁଁ କାହିଁକି କିଛି ଭାବିବି । ମୁଁ ତୁମକୁ ବଡ଼ ସ୍ନେହକରେ ନଳିନୀ !

 

ଶୁଣନ୍ତୁ ତେବେ । ମୁଁ କି ଜାତି ବୋଲି ଆପଣ ଭାବୁଛନ୍ତି କହିଲେ ?

 

ଶିଶିରବାବୁ ଖୁସି ମନରେ କହିଲେ—ମୋ ପାଖରେ, ପୁଣି ଜଣେ ଯୁବକ ଡାକ୍ତର ପକ୍ଷରେ ଜାତି ବୋଲି କିଛି ନାହିଁ । ମଣିଷର ପ୍ରତ୍ୟେକ ଅଙ୍ଗ ଚିରି, ରକ୍ତ, ମାଂସ ପରୀକ୍ଷା କରି କରି ମୋ ମନରେ ଦୃଢ଼ ଧାରଣା ହୋଇଛି, ପୃଥିବୀରେ ଜନ୍ମଲାଭ କରିଥିବା ଏହି ମଣିଷ ଜାତି ଭିତରେ କିଛି ତଫାତ୍‍ ନାହିଁ । ବ୍ରାହ୍ମଣ, କରଣ, ପାଣ ସବୁ ମନଗଢ଼ା । ସମାଜକୁ ଶୃଙ୍ଖଳାଗତ କରିବା ପାଇଁ ଏକ ନିୟମ ମାତ୍ର । ତୁମ ଜାତି କଥା ମୁଁ କାହିଁକି ମନକୁ ଆଣିବି । ଯାହାର ରୂପ ଗୁଣରେ ମୁଗ୍ଧ ହୋଇ ସ୍ୱର୍ଗର ଦେବତା ବି ଏ ମରଲୋକରେ କଳ୍ପଯୁଗ ଯାଏ ରହିବାକୁ ନିଜର ସୌଭାଗ୍ୟ ବୋଲି ମନେ କରିବ, ତା’ର ପୁଣି ଜାତି କ’ଣ ! ସେ ସୁବାସିତ ଫୁଲପରି ପବିତ୍ର । ସମସ୍ତଙ୍କର ଆଦରର ବସ୍ତୁ ।

 

ଯୁବତୀଟି ଉତ୍ତରଦେଲା—ଆପଣଙ୍କର ଏ ବିଷୟରେ ଜ୍ଞାନ ଅଛି ବୋଲି ସିନା ଆପଣ ସମସ୍ତଙ୍କୁ ସମାନ ବୋଲି ଭାବୁଛନ୍ତି । ଦୁନିଆରେ ସମସ୍ତେ କ’ଣ ଆପଣଙ୍କ ପରି ମନର ପବିତ୍ରତା ନେଇ ଜନ୍ମଗ୍ରହଣ କରିଛନ୍ତି । ଜାତିକଥା ଉଠାଇ କେତେ ବା ବିଭ୍ରାଟ ସୃଷ୍ଟି ନ ହୁଏ । ମୁଁ ଜାତିରେ ଥିଲି ମାଳିଘରର ଝିଅ ।

 

ଶିଶିରବାବୁ ଖୁସି ମନରେ ଉତ୍ତର ଦେଲେ—ବେଶ୍‍ତ, ସବୁଠାରୁ ପବିତ୍ରକୂଳରେ ତୁମର ଜନ୍ମ । ଯେଉଁ ଜାତି ହାତରୁ ବାରଜାତି ଫୁଲରେ ଗୁନ୍ଥାହାର ପିନ୍ଧି ପାଷାଣ ଦେବତା ବି ଜୀବନ୍ତ ହୋଇ ହସି ଉଠେ, ସେ ଜାତି ଯେ କେତେ ପବିତ୍ର, ତାହା କଳ୍ପନା କରିପାରୁ ନାହିଁ । ବଂଶ ପରେ ବଂଶଧରି ଫୁଲପରି ପବିତ୍ର ନିର୍ମଳ ଜିନିଷ ସହିତ ଯିଏ କାରବାର କରି ଆସିଛି, ସେ ବଂଶରେ ତୁମଭଳି ଫୁଲକୁମାରୀ ଜନ୍ମ ନହୋଇ ହେବ ଆଉ କେଉଁ ବଂଶରେ ? ତା’ପରେ କ’ଣ ହେଲା କୁହ-?

 

ଦେବୀନଈ କୂଳରେ ଆମଘର । ଗାଁ ନାଁ ବସନ୍ତପୁର । ଗାଁଟି ଖୁବ୍‍ ବଡ଼ ନହେଲେ ବି ଛୋଟ ବି ନୁହେଁ । ବ୍ରାହ୍ମଣ, କରଣ, ଖଣ୍ଡାୟତ ପ୍ରଭୃତି ସବୁଜାତିର ଲୋକେ ବେଶ୍‍ ସୁଖରେ ଚଳିଯାନ୍ତି । ଗାଁର ଶେଷ ମୁଣ୍ଡରେ ଆମଘର । ଚାଳଘର ହେଲେ ବି ଖୁବ୍‍ ଭଲଘର । ଘର ପାଖରୁ ନଇଁ ଯାଏ ବିରାଟ ଫୁଲବଗିଚା । ଅଜା ଗୋସାଁପାଙ୍କ ଅମଳରୁ କେଉଁ ଫୁଲଗଛ ଯେ ସେ ବଗିଚାରେ ନାହିଁ, ଇମିତି କେହି କହିବ ନାହିଁ । ବରଷକରେ ବସନ୍ତ ସିନା ଥରେ ଆସେ, କିନ୍ତୁ ଆମ ବଗିଚାରେ ସବୁଦିନେ ବସନ୍ତ ଲାଗି ରହିଥାଏ । ବାରମାସରେ କେତେ ଜାତିକା ଫୁଲଫୁଟେ । ଧୀର ପବନର ନବ ବସନ୍ତ ସୃଷ୍ଟି କରେ । ଅତି ଛୋଟଟି ଦିନୁ ବଗିଚାରେ ଫୁଲତୋଳି ବିଚିତ୍ର ରଙ୍ଗର ପ୍ରଜାପତିଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ସକାଳ, ସଞ୍ଜ ମୁଁ କିଛି ଜାଣିପାରୁନଥିଲି ଡାକ୍ତରବାବୁ !

 

—ପ୍ରଜାପତି ପଛେ ଗୋଡ଼ାଇ ଗୋଡ଼ାଇ ତୁମେ ବି ଏକ ଅତି ସୁନ୍ଦର ବିଚିତ୍ର ରଙ୍ଗର ପ୍ରଜାପତି ପାଲଟି ଯାଇଥିଲା ନଳିନୀ !

 

—ମୋ ରୂପକୁ ପ୍ରତିକଥାରେ ଏତେ ପ୍ରଶଂସା କରନ୍ତୁନାହିଁ ଡାକ୍ତରବାବୁ ! ଆପଣଙ୍କପରି ଗୁଣବାନ ସୁନ୍ଦର ଯୁବକ ଡାକ୍ତରଙ୍କ ମୁଖରୁ ପ୍ରଶଂସା ଶୁଣିଲେ ଏ ପୁରରେ ବି ମୋର ଛାତି ଆନନ୍ଦରେ ଫୁଲି ଉଠୁଛି ।

 

ହଁ ଶୁଣନ୍ତୁ ଡାକ୍ତରବାବୁ ! ଆମର ଚଳାଚଳ ବେଶ୍‍ ଥିଲା । କେଉଁ ଅମଳରୁ ଗାଁର ପ୍ରଧାନଦେବତା ଗୋପୀନାଥଙ୍କୁ ପ୍ରତିଦିନ ଫୁଲଲାଗି କରାଇବାପାଇଁ କେଉଁ ଜମିଦାର ଦଶମାଣ ବୃତ୍ତି ଖଞ୍ଜି ଦେଇଥିଲେ । ତା’ଛଡ଼ା ଆମର ଆହୁ ବି କେତେମାଣ ଜମି ଥିଲା । ଘରେ ବାପ ମା’ ଭାଇଭଉଣୀ ହୋଇ ଆମେ ଚାରି । କୋଠିଆ ବି ଦି’ଜଣ । ଘରେ ସବୁବେଳେ ତିନିଚାରିଟା ଦୁହାଁଳ ଗାଈ । ଜମିରୁ ବହୁତ ଧାନ ବଳେ । ମନ୍ଦିରରୁ ପ୍ରତିଦିନ ପ୍ରସାଦ ଆସେ । ଖାଇବାକୁ ଘରେ ଆଉ କିଏ । ସବୁଦିଗରୁ ଗାଁର ଅନ୍ୟମାନଙ୍କ ଅପେକ୍ଷା ଆମର ଟିକିଏ ସଚଳ ଅବସ୍ଥା ଥିଲା । ସେଥିପାଇଁ ଆମର ମାଳିଘର ହେଲେ ବି ସମସ୍ତେ ଭଲଆଖିରେ ଆମକୁ ଦେଖୁଥିଲେ ।

 

ସେଥିପାଇଁ ତମର ବାପ ମାଆ ତୁମକୁ ଏଡ଼େ ଗେହ୍ଲାରେ ବଢ଼ାଇଥିଲେ—ନୁହେଁ ? ଶିଶିରବାବୁ ମୁରୁକି ହସି କହିଲେ ।

 

ସତରେ ଡାକ୍ତରବାବୁ ! ଇମିତି ଗେହ୍ଲାରେ ବଢ଼ିଥିବାରୁ ଦୁନିଆର ଛନ୍ଦକପଟ କଥା ମୋ ମନକୁ ଛୁଇଁ ନଥିଲା । ବାପା ଥିଲେ ମୋର ନିର୍ମାୟା ଲୋକ । ଜମିବାଡ଼ି ବୁଝିବା, ଫୁଲଗଛର ଯତ୍ନନେବା, ଦିଅଁଙ୍କପାଇଁ ସୁନ୍ଦର ହାର ଗୁନ୍ଥିବା, ଏଇ ତାଙ୍କର ଥିଲା ନିତିଦିନିଆ କାମ । ଗାଁର ବାଦ-ବିବାଦ କଳିତକାରାରୁ ସେ ଦୂରେଇ ରହନ୍ତି । କିନ୍ତୁ ଗାଁରେ ଯଦି କିଏ ଅଭାବରେ ପଡ଼ି ଧାନ ପାଞ୍ଚଗୌଣି ପାଇଁ ପସରା ନେଇ ଆସିଲା, ତାହା ହେଲେ ତାଙ୍କର ଆନନ୍ଦର ସୀମା ରହେ ନାହିଁ । ଆସିଥିବା ଲୋକଙ୍କୁ କଅଁଳେଇ କହନ୍ତି—ଯଦି ଅଭାବ ହେଉଛି ତେବେ କୋଡ଼ିଏ ଗୌଣି ନେଇ ଯାଅ । ପିଲାଛୁଆ ଘରେ ଭାତ ମୁଠିକପାଇଁ ହଇରାଣ ହେବେ କାହିଁକି ? ମୁଁ କ’ଣ ସୁଧ ନେଉଛି ଯେ ଡରୁଛୁ ? ଧାନ ଅମଳ ହେଲେ ନିଜେ ଆସି ଦେଇଯିବ । ତମର ଏ ଅମାର । ରଖିଥିଲେ ସିନା ଆରସାଲକୁ କାହାର ଦରକାରବେଳେ ନେବ । ସୁଧବାବଦକୁ ମୋ ପୁଅଝିଅଙ୍କୁ କଲ୍ୟାଣ କରିବ ।

 

ଆସିଥିବାଲୋକ ବାପାଙ୍କୁ ଧନ୍ୟବାଦ କରେ । ଈର୍ଷା କରୁଥିବା ଲୋକଙ୍କୁ ଛାଡ଼ିଦେଲେ ସାଧାରଣଲୋକ କୁହାକୁହି ହୁଅନ୍ତି—ଆମର ଏ ଜଗୁମାଳି ମଣିଷ ନୁହେଁ ଦେବତା ମନନେଇ ଜନମ ହୋଇଛି । ଗୋପୀନାଥ ତା’ର ମଙ୍ଗଳ କରନ୍ତୁ ।

 

ତୁମେ ବି ଠିକ୍‍ ବାପର ଗୁଣସବୁ ନେଇ ଜନମ ହୋଇଥିଲ—ଖୁସି ମନରେ କହିଲେ ଶିଶିରବାବୁ ।

 

ରୂପ, ଗୁଣ, ମନ ସବୁଥିଲେ କ’ଣହେବ, କାହାର ଅଭିଶାପଭଳି ସବୁ ଅକାଳରେ ଛାରଖାର ହୋଇଗଲା । ବାପାଙ୍କ ଅପେକ୍ଷା ବୋଉଥିଲା ଆହୁରି ସୁନ୍ଦର । କେହି ଭୋକିରଙ୍କି ଆମ ଦୁଆରୁ କେବେ ନ ଖାଇ ନପିଇ ଫେରିନାହିଁ । ଆଖପାଖ ଗାଁରୁ କେହି ଭୋକିଶୋଷି ହତାଶ ହେଲେ, ମନରେ ପୂରା ଦମ୍ଭଧରି ଆମ ଦୁଆରେ ଆସି ହାଜର ହୁଅନ୍ତି । ବୋଉ ତାଙ୍କୁ କଥା କହି ଖୋଇପେଇ ଛାଡ଼େ । ତା’ଛଡ଼ା ଗାଁର ଅଧିକାଂଶ ପିଲାଙ୍କର ଆମରି ଘରେ ଭିଡ଼ । ବୋଉର କାମ ହେଲା ଫୁଲଗୁନ୍ଥିବା, ରୋଷେଇ ଦି’ଟା କରିବା ଆଉ ମୁଢ଼ି ଉଖୁଡ଼ା ପିଲାଙ୍କପାଇଁ କରି ସାଇତି ରଖିବା । ତା’ ମନରେ ସବୁପିଲା ଯେପରି ତା’ର, କାହା ମୁହଁ ଶୁଖିଲା ଦେଖିଲେ ତା’ ଦିହରୁ ରକ୍ତ ଶୁଖେ । କାଖେଇ, କୁଣ୍ଡେଇ ମୁଢ଼ି ମୁଆଁଟିଏ ହାତରେ ଦେଇ ତା’ ମୁହଁରୁ ହସ ବାହାରିବାଯାଏ ତାକୁ କୋଳରୁ ଛାଡ଼େ ନାହିଁ । ଏଥିପାଇଁ ଗାଁ ମାଇପଙ୍କର ଘରୁ ପୋଖରୀତୁଠ ଯାଏ ବୋଉର କେତେ କେତେ ପ୍ରଶଂସା ।

 

ନଳିନୀ ଟିକିଏ ବନ୍ଦହେଲାରୁ ଶିଶିରବାବୁ କହିଲେ—ଯେଉଁ ଘରେ ବାପ ମା’ ଭାଇଭଉଣୀ ହସ ଖୁସିରେ ଚଳାଚଳ ହୁଅନ୍ତି ଯେଉଁଘରୁ ଭୋକିଶୋଷି ଖାଇପିଇ ସନ୍ତୋଷ ମନରେ ଫେରନ୍ତି, ଯେଉଁ ଘରେ ଗାଈଗୋରୁ ପେଟପୂରା ଖାଇପିଇ ଆରାମ ପରେ ପାକୁଳି କରନ୍ତି, ଯେଉଁ ଗୃହର ବଗିଚାରେ ନାନାଜାତିର ସୁବାସିତ ଫୁଲ ଫୁଟି ନୟନ ମନ ମୁଗ୍ଧ କରେ—ଯେଉଁ ବୃକ୍ଷରେ ସୁସ୍ଵାଦୁ ଫଳ ଲଦି ହେବାଦ୍ଵାରା ଗଛଡାଳରେ ନାନାଜାତିର ପକ୍ଷୀ କଳରବ କରନ୍ତି, ଆଉ ତଳେ ପିଲାମାନଙ୍କର ଆନନ୍ଦର କୋଳାହଳରେ ପୂରି ଉଠେ, ସେ ଗୃହ ନୁହଁ—ମନ୍ଦିର, ମର୍ତ୍ତ୍ୟପୁରୀର ଆନନ୍ଦମୁଖର ବୈକୁଣ୍ଠ ।

 

ନଳିନୀ ନିଜର ଦୁଃଖ ଭୁଲି ସତେଜ ମୁଖରେ ଡାକ୍ତରବାବୁଙ୍କୁ ଚାହିଁ କହିଲା—ଆପଣ ସବୁକଥାକୁ ଏପରି ବାଗେଇ ସୁନ୍ଦର କରି କହିପାରୁଛନ୍ତି ଯେ, ମୁଁ ତାହା ଶୁଣି ମୁଗ୍‍ଧ ହୋଇଯାଉଛି-। ଆପଣ ବହୁତ ଜାଣିଛନ୍ତି, ବହୁତ ପଢ଼ିଛନ୍ତି । ମୁଁ ମଫସଲର ମାଳିଘରର ଝିଅ । ଗାଁ ମାଇନର ସ୍କୁଲରେ ପଢ଼ି ଘରେ ପୋଥିପୁରାଣ ପଢ଼ିବାଛଡ଼ା ଆଉ ମୁଁ କ’ଣ ଜାଣିଛି । ମୋ କଥା କହିବାର ଭଙ୍ଗୀ ଅସୁନ୍ଦର ହେଲେ ବି ଶୁଣନ୍ତୁ ଡାକ୍ତରବାବୁ !

 

ଶିଶିରବାବୁ ଖୁସିମନରେ ଉତ୍ତରଦେଲେ—ମୋ କଥା କହିବା ଭଙ୍ଗୀକୁ ପ୍ରଶଂସା କରୁଛ ନଳିନୀ ! ତମ କଥା ଶୁଣି ମୋତେ ହସ ଲାଗୁଛି, ତା’ ସଙ୍ଗେ ସଙ୍ଗେ ତୁମକୁ ମୋ’କଥା ଭଲ ଲାଗୁଥିବାରୁ ମୁଁ ବି ଭାରି ଖୁସି ହେଉଛି । ଯିଏ ଜୀବନସାରା ଅତି ନିଷ୍ଠୁରଭଳି ମଣିଷର ପେଟଚିରି ଅନ୍ତବୁଜୁଳା ବାହାର କରୁଛି—କଲିଜାକୁ ଟିକି ଟିକି କରି କାଟୁଛି, ତା’ପକ୍ଷରେ କଥାକୁ ସୁନ୍ଦର କରିବାପାଇଁ ଗୋଟି ଗୋଟି ଫୁଲ ଭଳି ଶବ୍ଦ ଯୋଡ଼ିବ କେମିତି...

 

ନଳିନୀ ଖୁସି ମନରେ ଦାନ୍ତଚିପି ଉତ୍ତରଦେଲା—ନା ଡାକ୍ତରବାବୁ ! ଆପଣଙ୍କର କଥା କହିବା ଭଙ୍ଗୀ ଭାରି ସୁନ୍ଦର ।

 

ଶିଶିରବାବୁ ହସି ହସି କହିଲେ—ସେ ଗୁଣର ଅଧିକାରୀ ମୁଁ ନୁହେଁ ନଳିନୀ—ତୁମେ । ଯାହା ମୁଖର ସୌନ୍ଦର୍ଯ୍ୟ ଦେଖି ସ୍ୱର୍ଗର ଗନ୍ଧର୍ବ କୁମାରୀ ଲାଜରେ ମୁଖ ଲୁଚାଇବେ—ଯାହାର ପିୟୁଷଝରା କଣ୍ଠରୁ କଥାଶୁଣି ସୁନାସୀର ବି ଅମରାବତୀ ତ୍ୟାଗ କରିବ, ଯାହାର ସୁରାପୂର୍ଣ୍ଣ ନୟନର ଚାହାଣି ଦନ୍ତର ସୌନ୍ଦର୍ଯ୍ୟ ଦେଖି ମୃତପ୍ରାଣରେ ମୃତ ସଞ୍ଜିବନୀ ଭଳି ପ୍ରାଣ ଝଲସି ଉଠିବ ତା’ର କଥା ସୁନ୍ଦର ନହୋଇ ମୋର ହେବ କେମିତି ?

 

ନଳିନୀ ତଳକୁ ମୁହଁପୋତି ଲାଜ ଲାଜ ହୋଇ କହିଲା—ସବୁ କଥାରେ ଖାଲି ଆପଣଙ୍କର ଇମିତି ଉପମା । ଆପଣ ଶୁଅନ୍ତୁ ଡାକ୍ତରବାବୁ । ରାତିପରା କେତେ ହେଲାଣି ।

 

ମୋ କଥା ମୁଁ ଜାଣେ ନଳିନୀ ! ସତ କହୁଛି, ତୁମକୁ ଆଖିଆଗରେ ଦେଖି, ତୁମ ମୁହଁରୁ କଥାଶୁଣି ମୋ ଆଖିରୁ ନିଦ କୁଆଡ଼େ ଉଭେଇ ଗଲାଣି । ଏଥର ଆରମ୍ଭ କର ତୁମ କଥା ।

 

ନଳିନୀ ସ୍ୱରରେ ସୋହାଗ ଭରି କହିଲା—ଆଜି ବି ଆପଣ ମୋ’ ପାଇଁ ବୃଥାରେ ଅନିଦ୍ରା ହେଲେ । ଶୁଣନ୍ତୁ ତେବେ । ଗେଲବସରରେ ବଢ଼ି ଗାଁ ଚାଟଶାଳୀ ପାଠ ଶେଷ ହେଲା । ଭଲ ପଢ଼ୁଥିଲି ବୋଲି କେତେ ପୁରସ୍କାର ବି ପାଇଛି । ସ୍ୱାଧୀନ ଦିବସରେ କି ଅନ୍ୟକୌଣସି ଉତ୍ସବରେ ମୁଁ ଫୁଲରେ ବେଶ ହୋଇ ଦେବଦାସୀ ରୂପରେ ନାଚି ଯେତେବେଳେ ଫେରୁଥିଲି, ସେତେବେଳେ ମୋର କେତେ ପ୍ରଶଂସା । କେତେ ବାବୁ, ସ୍ନେହରେ କୋଳରେ ବସାଇ ସ୍ନେହ କରୁଥିଲେ ।

 

ଶିଶିରବାବୁ ଖୁସି ମନରେ ତା’ କଥା ଉପରେ କଥା ମଡ଼ାଇ କହିଲେ—

 

ଫୁଲରେ ବେଶ ହୋଇ ନାଚୁଥିବାବେଳେ ତୁମେ ଠିକ୍‍ କେମିତି ଦିଶୁଥିବ ଜାଣ ? ସତେ ଯେମିତି ଗନ୍ଧର୍ବରଜାର କୋଡ଼ପୋଛା, ନୟନ ପିତୁଳି, ଅଲିଅଳ ଜେମାପରି ।

 

ନଳିନୀ ତଳକୁ ମୁହଁପୋତି ହସ ହସ ମୁହଁରେ ଉତ୍ତରଦେଲା—ଆପଣ ମୋ କଥା ଶୁଣିବେ ନା, ଇମିତି ଖାଲି କହିବେ ?

 

ଶିଶିରବାବୁ ହସ ହସ ହୋଇ କହିଲେ—କ’ଣ ମୁଁ ମିଛ କହିଲି । ସେତେବେଳେ କି ସୁନ୍ଦର ଯେ ଦିଶୁଥିବ ତୁମେ, ମୁଁ କଳ୍ପନା କରିପାରୁ ନାହିଁ । ବୟସ କେତେ ହୋଇଥିବ ? ନଅ କି ଦଶ, ନୁହେଁ ?

 

ନଳିନୀ ତଳକୁ ମୁହଁପୋତି ଉତ୍ତରଦେଲା—ଠିକ୍‍ ଦଶବରଷ ହୋଇଥିଲା । ହଁ ଶୁଣନ୍ତୁ, ଗାଁ ସ୍କୁଲରୁ ପାଠ ଶେଷ ହେବାରୁ ଆଉ ବେଶି ପଢ଼ିବି କି ନାହିଁ କିଛି ଠିକ୍‍ ହୋଇନଥିଲା । ବୋଉ କହୁଥିଲା, ଆମର ମାଳିଘର । ବେଶିପାଠ ପଢ଼ି କ’ଣ ହେବ । ଏଥର ଝିଅ ଫୁଲ ଗୁନ୍ଥୁ ଦିଅଁଙ୍କ ପାଇଁ.... । ବାପା ବୋଉକୁ ବୁଝାଇ କହିଥିଲେ, ପିଲାଟା କି ଫୁଲ ଗୁନ୍ଥିବ ସେ । ପାଞ୍ଚକୋଶକୁ ତ ଆଉ ପଢ଼ିବାବୁ ଯାଉନାହିଁ । ଗାଁ ସେ ମୁଣ୍ଡରେ ମାଇନର ସ୍କୁଲ । ଗାଁର କେତେ ଝିଅ ପଢ଼ୁଛନ୍ତି, ସେ ଆଉ କେଇଟା ବରଷ ପଢ଼ୁ । କ’ଣ ବା ଆମର ଖରଚ ହୋଇଯାଉଛି । ବୋଉ ଚୁପ୍‍ ରହେ । କ’ଣ ବା କୁହନ୍ତା ଆଉ ! ମୁଁ ବି ଜିଦ୍‍ଧରେ କାହିଁକି ଆମ ଦି’ଘର ଛାଡ଼ି ରମାଭାଇଙ୍କ ଭଉଣୀ ମେନା ତ ପୁଣି ଏଡ଼େ ବଡ଼ଝିଅ ହୋଇପଢ଼ୁଛି, ମୁଁ ନ ପଢ଼ିବି କାହିଁକି ?

 

ବୋଉ ମୋର ଆଗ୍ରହ ଦେଖି କହେ—ପଢ଼ !

 

ଗାଁ ମାଇନର ସ୍କୁଲରେ ନାଁ ଲେଖା ହେଲା । କାହିଁକି କେଜାଣି ନାଁ ଲେଖାଦିନ ସ୍କୁଲରେ ଯେପରି ଯାତ୍ରା ଦେଖିଲାପରି ଆନନ୍ଦ । ସମସ୍ତଙ୍କର ଆଖି ଯେପରି ମୋରି ଉପରେ ଲାଖି ରହିଥିଲା-। ମୁଁ କିଛି ବୁଝିପାରିନଥିଲି ସେତେବେଳେ, ତଥାପି ମନ ଭିତରେ କିପରି ଧୂଆଁଳିଆ ହୋଇ ମନକୁ ଆସୁଥିଲା—କ’ଣ ଦେଖୁଛନ୍ତି ପିଲାମାନେ ମୋଠୁଁ ! କାହଁକି ଏତେ ହସଖୁସି ! ପୁଣି ହସଖେଳରେ ଭୁଲିଯାଏ ସବୁ । ମୋ ସାଙ୍ଗରେ ପଢ଼ୁଥିବା ଝିଅପିଲା ମେନକା, ରଜନୀ, ଭାଗ୍ୟବତୀ, ମଞ୍ଜୁଳା, ହେରିକା ବି ମୋ ସହିତ କ୍ଷୀରନୀର ପରି ମିଶି ଯାଇଥାନ୍ତି । ମୋ ଦିନଗୁଡ଼ିକ ସ୍ଵପ୍ନ ପରି କଟି ଯାଉଥାଏ । ସେତେବେଳେ ପିଲାମନରେ ମୁଁ କିଛି ବୁଝିନଥିଲି ସିନା, ଯେତେବେଳେ ମୋ ବୟସ ବଢ଼ିଲା, ନୂଆମନ ପ୍ରଥମକରି କାଉଁରିକାଠି ଛୁଆଁ ହେଲାକ୍ଷଣି, ମନରେ ଆପେ ଆପେ କେତେ ସ୍ୱପ୍ନଜାଲ ସୃଷ୍ଟିହେଲା । ସେତେବେଳେ ବୁଝିଲି ସ୍କୁଲର ଟୋକାମାଷ୍ଟରଙ୍କଠାରୁ ଆରମ୍ଭ କରି, ସ୍କୁଲର ଅନ୍ୟ ପୁରୁଷ ପିଲା, ମୋଠୁ ଯେଉଁମାନେ ବୟସରେ ବଡ଼ ସେମାନେ କାହିଁକି ଏତେ ସ୍ନେହ ଶ୍ରଦ୍ଧା କରନ୍ତି । ଗାଁର ପାଠୁଆ ଟୋକବାବୁମାନେ ମୋ ପାଠର, ମୋ ରୂପର କେତେ ପ୍ରଶଂସା କରି ଚିବୁକ ହଲାଇ ଦିଅନ୍ତି, ଆଦରରେ ଆଉଜାଇ ନିଅନ୍ତି ନିଜ ଆଡ଼କୁ । ମୋତେ ବି ତାହା ଖୁବ୍‍ ଭଲ ଲାଗେ-। ସେମାନଙ୍କର ଆଦର ସୋହାଗରେ ମୁଁ ନିଜକୁ ହଜାଇ ଦିଏ ।

 

ଶିଶିରବାବୁ କଥାର ତରଙ୍ଗ ଉଠାଇ କହିଲେ—କିଶୋର ବୟସରେ କିଶୋର ହେଉବା କିଶୋରୀର ହେଉ କେହି ଏଥିରୁ ବାଦ ପଡ଼ନ୍ତି ନାହିଁ । ନୂଆମନ । ପ୍ରଥମ କରି ଯୌବନ କାଉଁରୀଛୁଆଁ ହେଉଥିବାବେଳେ ନାଲି, ନେଳି, ହଳଦି ରଙ୍ଗର ଫୁଲପରି କେତେ ରଙ୍ଗୀନ କଳ୍ପନା ରୂପଧରେ । ନିଜ ବୟସର ସୁନ୍ଦରୀ ଝିଅଙ୍କ ଆଡ଼େ ଅନାଇବା ପାଇଁ ମନରେ କେତେ କୌତୂହଳ ଜନ୍ମେ । ମୁଁ ତାହା ଅଙ୍ଗେ ନିଭେଇଛି ନଳିନୀ ! ତୁମେ ତ ପୁଣି, ଝିଅ । ଦଶ ଏଗାର ବରଷବେଳେ ତୁମର ରୂପ ଠିକ୍‍ ଗୋଲାପ କଢ଼ଟି ଫୁଟି ଆସୁଥିବା ଭଳି ଦିଶୁଥିବ । ସେତେବେଳେ ନ ଆଦର କରିବା ଲୋକ ତୁମକୁ ଆଦର କରୁଥିବେ, ନ ଚାହିଁଲା ଲୋକ ତୁମକୁ ଘଡ଼ିଏ ଚାହିଁଥିବ । ତା’ପରେ କ’ଣ ହେଲା—କୁହ ?

 

ନଳିନୀ ଅଭିମାନ ଭଙ୍ଗୀରେ କହିଲା—ନା, ଆଜି ମୁଁ ଆଉ କିଛି କହିବି ନାହିଁ । ଯେଉଁ ବୃଥାକଥା ଶୁଣି ଆପଣଙ୍କର କିଛି ଲାଭ ହେବ ନାହିଁ, ସେଭଳି କଥା ଶୁଣିବାକୁ ପୁଣି ଏତେ ଆଗ୍ରହ ! ମୁଁ ଆଜି ତୁମକୁ ଅନିଦ୍ରା ରଖିବାକୁ ଚାହେଁ ନାହିଁ । ଘଡ଼ିକୁ ଚାହିଁଲେ କେତେ ଆସି ବାଜିଲାଣି । ଯାଉଛି, ଆଜି ଶୋଇପଡ଼ନ୍ତୁ । —ନଳିନୀ ଉଠି ଠିଆ ହେଲା ।

 

ଶିଶିରବାବୁ ବିସ୍ମିତ ହେଲାପରି କହିଲେ—ତୁମେ ବର୍ତ୍ତମାନ ଚାଲିଯିବ ନା କଅଣ ?

 

ହଁ, ଚାଲିଯିବି ମୁଁ । ମୋ ସାନକୁହା ମାନନ୍ତୁ ଡାକ୍ତରବାବୁ । ଅନିଦ୍ରା ହେଲେ ଦେହ ବି ଖରାପ ହେବ ।

 

ଶିଶିରବାବୁ ଅଟକାଇବା ପାଇଁ କିଛି କହିବା ଆଗରୁ—ଶୁଭିଲା ନମସ୍କାର, ପୁଣି ଆସିବି ଯେ...-। ଖୋଲା ଝରକା ବାଟ ଦେଇ ଛୋଟ ନୀଳ ଆଲୋକଟିଏ ତୀରବେଗରେ ବାହାରି କୁଆଡ଼େ ଅଦୃଶ୍ୟ ହୋଇଗଲା ।

 

ଶିଶିରବାବୁଙ୍କୁ ଲାଗୁଥିଲା ମନକୁ ମୁଗ୍ଧ କରୁଥିବା ଏକ ବିଶିଷ୍ଟ ଦୃଶ୍ୟ ଯେପରି ଦୈବୀଦୁର୍ଘଟଣାରେ ହଠାତ୍‍ ବନ୍ଦ ହୋଇଗଲା । ସେ ଗୋଟାଏ ଦୀର୍ଘନିଶ୍ଵାସ ଛାଡ଼ି ଭାବି ଯାଉଥିଲେ–ନଳିନୀ ଚାଲିଗଲାବେଳେ କାଲି ଆସିବ କି ନାହିଁ କିଛିତ କହିଗଲା ନାହିଁ । ସେ ମଧ୍ୟ କିଛି ପଚାରି ପାରିଲେ ନାହିଁ ।

 

ରାତି ସାଢ଼େ ତିନ । ଶିଶିରବାବୁ ପାଣି ଗ୍ଲାସେ ପିଇ ବିଛଣା ଉପରେ ଦେହକୁ ଲୋଟାଇ ଦେଲେ ।

 

ତୃତୀୟ ରାତ୍ରି

 

ତହିଁଆରଦିନ ଶିଶିରବାବୁ ନିଜ କାମରେ ଯୋଗ ଦେବାକୁ ଡାକ୍ତରଖାନାରେ ପହଞ୍ଚିଲେ-। ରୋଗୀ ଭିଡ଼ ଖୁବ୍‍ ବେଶି । ଶିଶିରବାବୁ ଏହି ଡାକ୍ତରଖାନାକୁ ଆସିଲାଦିନୁ ତାଙ୍କର ମଧୁର ବ୍ୟବହାରରେ ସମସ୍ତେ ମୁଗ୍ଧ ।

 

ରୋଗୀମାନଙ୍କୁ ଔଷଧପତ୍ର ଏବଂ କେତକ ମାମୁଲି ଧରଣର ଅସ୍ତ୍ର ଚିକିତ୍ସା କରିସାରି ହାତ ଧୋଇଲା ବେଳକୁ ବାରଟା ବାଜି ଯାଇଥିଲା । ଶିଶିରବାବୁ ଖଣ୍ଡେ ସିଗାରେଟ ଲଗାଇ ଅଫିସ ଘରେ ବସି ଆଗନ୍ତୁକ ଦୁଇଜଣ ଭଦ୍ରବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ହେଉଚନ୍ତି । କମ୍ପାଉଣ୍ଡର କରୁଣିବାବୁ ପରଦା ଆଡ଼େଇ ଭିତରକୁ ପଶି ଆସିଲେ । ତାଙ୍କୁ ଦେଖି ଶିଶିରବାବୁ ଖୁସି ମନରେ ପଚାରିଲେ—କ’ଣ କରୁଣିବାବୁ ! ଆପଣଙ୍କ କାମ ଶେଷ ହେଲାଣି ବୋଧେ ?

 

କରୁଣିବାବୁଙ୍କର ବୟସ ଡାକ୍ତରବାବୁଙ୍କ ଅପେକ୍ଷା ଢେର ବେଶି, ତେଣୁ ବୟସର ଦାବିରେ ସେ ସମସ୍ତଙ୍କ ଉପରେ ମୁରବିଗିରି କରନ୍ତି । ଶିଶିରବାବୁ କଥା ଶେଷ କଲାରୁ, କରୁଣିବାବୁ ଭାରି ଖପା ହୋଇ କହିଲେ—ଆଉ ଚାକିରି କରି ହେବନି । କିଏ ଏତେ ଖଟିବ ହୋ ! ମୋ ଦିହକ ଏଇ ଡାକ୍ତରଖାନାରେ କଟିଲାଣି । ସେତେବେଳେ ମାଛ ସେରକ ଆଠଅଣା, ଘିଅ ସେର ଟଙ୍କାଏ, ଆଉ ସବୁକଥାକୁ ପଚାରେ କିଏ । ରାତି ପାହିଲାବେଳକୁ ବସା ଦୁଆର ମୁହଁରେ ମାଛ, ଦୁଧ, ଦହି, ଘିଅ ମାଗଣାରେ ଦେଖିବ କ’ଣ ? ଯେଉଁ ଦରମା ଗଣ୍ଡାକ ମିଳୁଥିଲା ସେଥିରେ ହାତ ବାଜୁନଥିଲା ।

 

ଆଉ ଆଜି ! ସେ କଥା କାହାଣୀ ହେଲାଣି । ଖଟଣି ବି ବଢ଼ିଛି ପାଞ୍ଚଗୁଣ । ଦି’ଗଛ ଖଡ଼ା ଦେବାକୁ ଲୋକେ ବି ନାରାଜ । ଖାଲି ମାଗଣାରେ କାମ କରେଇ ନେବାକୁ ସମସ୍ତେ ତତ୍ପର । କାହାକୁ ଟିକିଏ କହିଲେ—ସେ ଓଲଟି ନାଲିଆଖି ଦେଖାଇ କହୁଛି, କ’ଣ ମାଗଣାରେ କାମ କରୁଛକି-? ସରକାର ଘରକୁ କ’ଣ ଆମେ ଟିକସ ଆକାରରେ ପଇସା ଦେଇନୁ । ତମ ନାଁରେ ଏଥର ଏକଦମ ମନ୍ତ୍ରୀଙ୍କ ପାଖକୁ ଲେଖାଯିବ ।

 

କ’ଣ କହିବ କାହାକୁ ! ଏ ବେଳକୁ ସମସ୍ତଙ୍କ ମନ ନନେଲେ ନଚଳେ । ଆଗର ସେ ଉଖୁଡ଼ାଖିଆ କଥା କ’ଣ ଅଛି ? ମିଛ ବୁଝିବ ଆଜ୍ଞା ! ଏଇ ହାତରେ ପୁଞ୍ଜାଏ ଇଲିଶି ଶୁଖୁଆ ମୁଁ ଏ ଗାଁର ଚିହ୍ନା ପରିଚ ଲୋକଙ୍କୁ ଦେଇଛି । ଏବେ ତା’ର ଗନ୍ଧ କିଏ ଶୁଙ୍ଗୋଉଛନ୍ତିନା, କାଳ ହେଇଛି ସେଇଆ; ଦରମାତ ପହିଲା-ଗଲାରେ ଚାରିଦିନେ ଶେଷ । ହାରବୋଉ ବର୍ଷେ ହେଲା କହିଲାଣି, ଗୋଟାଏ ହାର କରିବ । ପେଟରୁ ବଳିଲେ ସିନା ହାର । ସେଥିପାଇଁ ଦି’ଓଳି ଘରେ କୁଟୁକାଟ । ଯାହାହେଉଛି ହେଉ, ଆଉ କେତେଟା ବର୍ଷ ଖଟିଦେଲେ ତେଣିକି ଘରେ ଶାଗ ମୁଗ ଯାହା ମିଳିବ ଖାଇ ଶାନ୍ତିରେ ହରିନାମ ନେବ ।

 

ଶିଶିରବାବୁ ଓ ଆଗନ୍ତୁକ ଦି’ଜଣ ଭଦ୍ରଲୋକ କଥା କ’ଣ କିଛି ବୁଝୁନଥିଲେ ମଧ୍ୟ କରୁଣାକରବାବୁଙ୍କର କହିବା ଭଙ୍ଗୀରେ ବେଶ୍‍ କୌତୂହଳ ବୋଧ କରୁଥିଲେ ।

 

କରୁଣାକରବାବୁ କଥା ବନ୍ଦ କଲାରୁ, ଶିଶିରବାବୁ ହସ ହସ ହୋଇ ପଚାରିଲେ କ’ଣ ହୋଇଛି ଆପଣଙ୍କର ?

 

କରୁଣାକରବାବୁ ଚଷମାଟି ଖୋଳ ଭିତରେ ପୂରାଉ ପୂରାଉ ବଡ଼ ଗମ୍ଭୀର ଆଉ ଖୁସି ମନରେ କହିଲେ—କିଛି ନାହିଁ, କ’ଣ ହେବ । ଆପଣଙ୍କ ପାଇଁ ଏସବୁ କହୁଥିଲି ନା । ଦେଖିଲେ ଘଣ୍ଟାକୁ, ସାଢ଼େବାରଟା ବାଜିଲାଣି । ଆପଣତ ବାବୁ ଲୋକ ! ଏ ଯୁଗରେ ପବିତ୍ର ଅଣ୍ଡାଟାଏ ଆଉ ବିସ୍‍କୁଟ ଦି’ଖଣ୍ଡ ଖାଇ ଆସିଥିବେ । ତେଣେ ଭାତ ଗଣ୍ଡାକ ଆଜି ଶୁଖିବ । ମୋର କ’ଣ ଅଛି । ଖାଣ୍ଟି ଓଡ଼ିଆ ମଣିଷ । ସକାଳୁ ପୂଜାରେ ବସିଲା ବେଳକୁ ହାରବୋଉ ଖଅଙ୍ଗା ଶୁଖୁଆ ଦି’ଖଣ୍ଡରେ ବେଶର ଗୋଳାଇ ଭାଜି ବସିବ । ତେଣିକି ଆଜ୍ଞା ପୂଜା ସଟ୍‍କଟରେ ହୋଇଯାଏ । ସେ ବାସନାରେ କି ମଣିଷ ସମ୍ଭାଳି ହୋଇ ରହିପାରେ । ବାସ୍‍, ପଖାଳ ଦହି ଟିକିଏ ତା’ ସାଙ୍ଗକୁ । ହାରବୋଉ ତଟକା କଞ୍ଚାଲଙ୍କା ବି ଦି’ଟା ଛିଣ୍ଡାଇ ଆଣିଦେବ । ତେଣିକି କଂସାକ ଉପରେ ଆହୁରି ଦି’ଗୁଣ୍ଡା ।

 

ଶିଶିରବାବୁ ଓ ଅନ୍ୟ ଦୁଇଜଣବାବୁ ଖୁବ୍‍ ନ ହସି ରହିପାରିଲେ ନାହିଁ ।

 

କରୁଣାକରବାବୁ ପାନବଟାରୁ ଆଉଖଣ୍ଡେ ପାନ କାଢ଼ି ପାଟିରେ ପୂରାଇ କହିଲେ—ମୁଁ ଏକଥା କାହିଁକି କହୁଛିକି; ଏ ଗଲା ଅଇଲା ବେଳେରେ ପୋଲିସ କେଉଁଠୁ ଗୋଟାଏ ମୁର୍ଦାର ନେଇ ଡାକ୍ତରଖାନା ଆଗରେ ରଖିଲାଣି । ସେ କୁଆଡ଼େ ଆତ୍ମହତ୍ୟା କରିଛି ବୋଲି ପୋଲିସର ସନ୍ଦେହ । ଏଥର ଯାଆନ୍ତୁ, ପେଟରେ ଓଦାକନା ଦେଇ କଟାକଟି କରନ୍ତୁ ।

 

ଶିଶିରବାବୁ ଏତେବେଳକେ କଥାଟା ବୁଝିପାରି ଶାନ୍ତିରେ ଗୋଟାଏ ନିଶ୍ଵାସ ମାରି କହିଲେ—ଏଇ କଥାତ । ଆପଣ ଯେପରି କହିଲେ—ମୁଁ ଛାନିଆ ହୋଇ ଯାଇଥିଲି । ବ୍ୟସ୍ତ କାହିଁକି-? ବେହେରାକୁ ଡାକି ନେଇ ଚାଲନ୍ତୁ ।

 

ଶବ ବିବଚ୍ଛେଦ କୋଠରୀ । ଶବ ମୁହଁରୁ ବେହେରା ଲୁଗାଟା କାଢ଼ି ଦେଲାକ୍ଷଣି ଶିଶିରବାବୁ ଚକିତ ହୋଇ ଉଠିଲେ । କୃଷକ ପରିବାରର ଲୋକ । ବୟସ ଷାଠିଏରୁ ବେଶି ହେବ-। ମୁହଁରୁ କିମିତି ଜଣାଯାଉଛି, ଯେପରି ସେ ମରଣକୁ ବେଖାତିରି କରିଛି । ବୁଢ଼ା ଏ ବୟସରେ ଆତ୍ମହତ୍ୟା କରିବ କାହିଁକି ? ତା’ର ସ୍ୱଭାବିକ ମୃତ୍ୟୁ ହୋଇଛି । କିନ୍ତୁ ସେ ଯାହାହେଉ ତାଙ୍କର ସର୍କାରୀ ଡିଉଟି ଶେଷ କରିଦେଲେ କାମ ଶେଷ । ଶିଶିରବାବୁ ଛୁରିଟା ବେହେରା ହାତକୁ ବଢ଼ାଇ ଦେଲେ ।

 

ଶବ କାଟି କାଟି ବେହେରାଟି ମଧ୍ୟ ଶବକଟାରେ ଧୁରନ୍ଧର ପାଲଟି ଯାଇଛି । ଅଧଘଣ୍ଟା ଭିତରେ କାମ ଶେଷ ହୋଇଗଲା । ମୃତ୍ୟୁର କାରଣ ସର୍କାରୀ କାଗଜରେ ଲିପିବଦ୍ଧ ହେଲା । ଅଫିମ ଖାଇ ଲୋକଟି ପ୍ରାଣତ୍ୟାଗ କରିଛି ।

 

ଶିଶିରବାବୁ ବସାକୁ ଫେରି ଆସିଲାବେଳକୁ କରୁଣାକରବାବୁ ଖୁସି ମନରେ କହିଲେ—ଜାଣିଲେ ଡାକ୍ତରବାବୁ ! ଆମର ଏ ହିନ୍ଦୁଘର । ମୁର୍ଦ୍ଦାରଟା କଟାକଟି କରିଛନ୍ତି । ଆଉ ଥରେ ଟିକିଏ ଗାଧୋଇପଡ଼ି ତୁଳସୀ ପାଇବେ—ବୁଝିଲେ !

 

ଶିଶିରବାବୁ ହସିଦେଇ କହିଲେ—ପାଇବି ନିଶ୍ଚୟ ।

 

କରୁଣାକରବାବୁ ତାଙ୍କ ପଛେ ପଛେ ଯାଇ କହିଲେ, ଟିକିଏ ଅପେକ୍ଷା କରିବେ ଡାକ୍ତରବାବୁ ! କଥା କ’ଣ କି, ମୁଁ ତ ସେସବୁର ଧାର ଧାରେ ନାହିଁ । ତେବେ ମିଳିଲେ ମନାକରେ ନାହିଁ । ଜଣେ ରୋଗୀ ଭଲ ହୋଇଥିଲା ଯେ ତାକୁ ମୁଁ କଥା ପ୍ରସଙ୍ଗରେ କହିଥିଲି ବୋଲି, ଆଜି ସକାଳୁ ଗୋଟାଏ ବଡ଼ କୁକୁଡ଼ା ଆଣି ବନାବନି କରି ଦେଇଥିଲା । ବସାରେ ମୁଁ ଖାଇବା ଲୋକ, ତରକାରୀ ହେଇଛି, ଟିକିଏ ଗରମ କରି ପଠାଉଛି.....

 

ଶିଶିରବାବୁ ହସି ହସି କହିଲେ—ଆପଣଙ୍କର ସ୍ନେହ ପାଇଁ ଧନ୍ୟବାଦ ।

 

ଡାକ୍ତରବାବୁ ଖାଇପିଇ ଆସିଗଲେ । ଅନିଚ୍ଛାସତ୍ତ୍ୱେ ଭାବି ହୋଇ ଯାଉଥାଏ—ଯେଉଁ ବୟସରେ ବୁଢ଼ାଟା ଖାଇପିଇ ଶାନ୍ତିରେ ଟିକିଏ ନିଶ୍ଵାସ ମରିଥାନ୍ତା । ସେ ବୟସରେ ସେ ପୁଣି ଆତ୍ମହତ୍ୟା କଲା । ଆଉ କେଇ ଦିନ ବା ବଞ୍ଚିଥାନ୍ତା ସିଏ !

 

ସେଦିନ ଠିକ୍ ରାତି ନ’ଟା ବେଳକୁ ଖାଇପିଇ ବାରଟାବେଳକୁ ଉଠିବାପାଇଁ ଘଣ୍ଟାରେ ଆଲରାମ ଦେଇ ଶିଶିରବାବୁ ଶୋଇଗଲେ । ଶୋଇବା ପୂର୍ବରୁ ମନରେ ଦୃଢ଼ ପ୍ରତିଜ୍ଞା, ସେ ଆଜି ନଳିନୀ ମୁହଁରୁ ସବୁକଥା ନଶୁଣି କଦାପି ଛାଡ଼ିଦେବେ ନାହିଁ ।

 

ଠିକ୍‍ ବେଳେ ଘଣ୍ଟା ଟଣ ଟଣ ହୋଇ ବାଜିଉଠିଲା । ଶିଶିରବାବୁ ଅଳସ ଭାଙ୍ଗିବାପାଇଁ ବିଛଣାରେ କିଛି ସମୟ ପଡ଼ି ରହି ତା’ପରେ ମୁହଁହାତ ଧୋଇଲେ । ପାଣିଗ୍ଲାସେ ପିଇ, ସିଗାରେଟ ଖଣ୍ଡେ ଲଗାଇ ଖଟକୁ ଆଉଜି ବସି ରହିଲେ । ବାରଟା ତ ବାଜିଲାଣି ପନ୍ଦରମିନିଟ ହେଲା, କାଲି ନଳିନୀ ଏତେବେଳକୁ ଆସି ସାରିଥିଲା । ଆଜି ଡେରି ହେଲା କାହିଁକି ? ତାଙ୍କ ଆଖି ଆଗରେ ଭାସି ଉଠୁଥିଲା—ନଳିନୀର ସୁନ୍ଦର ମୁହଁଟି । ବାହାରେ ଟିପି ଟିପି ବର୍ଷା ପବନ ।

 

—ଡାକ୍ତରବାବୁ ଆଜ୍ଞା, ମୋ କଥା ଟିକିଏ ଶୁଣିବେ ?

 

ବାହାରେ କିଏ ଏତେ ରାତିରେ ଡାକୁଛି ନା କ’ଣ ? ଏତ ତାଙ୍କ ନଳିନୀର ପରିଚିତ ସ୍ୱର ନୁହେଁ । ଶିଶିରବାବୁ ଚକିତ ହୋଇ ଲ୍ୟାମ୍ପଆଡ଼କୁ ମୁହଁ ବୁଲାଇଲେ ।

 

ଇଏ କିଏରେ ବାବା !! ଶିଶିରବାବୁ ଚମକି ଉଠିଲେ ? ଷାଠିଏବରଷର ବୁଢ଼ାଟିଏ । ଦେହରେ ସାଧାଲୁଗା ଆଉ ଚାଦର । ହାତରେ ବାଡ଼ି । ମୁହଁରେ ନୈରାଶ୍ୟର ଚିହ୍ନ ଫୁଟି ଉଠୁଛି । ନୀରବରେ ଠିଆହୋଇଛି ଲ୍ୟାମ୍ପ ପାଖ କାନ୍ଥକୁ ଆଉଜି ।

 

ଶିଶିରବାବୁଙ୍କର ଛାତି ଭୟରେ ପଡ଼ୁଥିଲା । ସେ ତାଙ୍କ ଅନୁମାନକୁ ମନେମନେ ସତ୍ୟରେ ପରିଣତ କରୁଥିଲେ । ହଁ, ଠିକ୍‍ ଏଇ ବୁଢ଼ାର ଶବକୁ ପୋଲିସ ଆଜି ପରୀକ୍ଷା କରାଇବାକୁ ଅଣାଇଥିଲା । ଏ ବୁଢ଼ା ଅଫିମ ଖାଇ ଆତ୍ମହତ୍ୟା କରିଛି । ସେ ଆଜି ତା’ର ଶବ ବିବଚ୍ଛେଦ କରିଥିଲେ । ଏ ବୁଢ଼ାର ପ୍ରେତାତ୍ମା ମୋ ପାଖକୁ ଆସିଛି କାହିଁକି ?

 

ଛାୟାରୂପୀ ବୁଢ଼ାଟି କଣ୍ଠରେ କରୁଣତା ଫୁଟାଇ କହିଲା—ମୋତେ ଡରନ୍ତୁ ନାହିଁ ଡାକ୍ତରବାବୁ ! ଆପଣ ମୋର ପୁଅ ସମାନ । ମୁଁ ବି ଆପଣଙ୍କର ସମୟ ଜମାରୁ ନଷ୍ଟ କରିବି ନାହିଁ-। ଦି’ପଦ କଥା ହୋଇ ଚାଲିଯିବି ଯେ....

 

ଶିଶିରବାବୁ ମନେ ମନେ ପ୍ରତିଜ୍ଞା କରୁଥିଲେ—ଏ ଡାକ୍ତରୀ ତାଙ୍କୁ ହୁଏତ ଛାଡ଼ିବାକୁ ହେବ-। ନଚେତ ପ୍ରେତମାନେ ତାଙ୍କ ଘରେ ବସା ବାନ୍ଧିବେ ।

 

ବୁଢ଼ାଟି ପୁଣି ନରମ ଗଳାରେ କହିଲା—ମୋର ଏଠିକୁ ଆସିବାର କ’ଣ ଦରକାର ଥିଲା-? କେବଳ ମୋର ମୃତ୍ୟୁରେ ଆପଣଙ୍କ ମନ କ୍ଷଣକ ପାଇଁ ସହାନୁଭୂତିରେ ତରଳି ଯାଇଥିଲା ବୋଲି, ଆପଣଙ୍କ ସହିତ ଦି’ପଦ କଥା କହି ମନର ଦୁଃଖ ଘୁଞ୍ଚାଇବି ବୋଲି ଆସିଛି । ଆପଣ ମୋତେ ଦେଖି ବଡ଼ ଅଶାନ୍ତି ବୋଧ କରୁଛନ୍ତିନୁହେଁ ?

ଶିଶିରବାବୁ ବୁଢ଼ାଟିର ନରମକଥା ଶୁଣି, ତାଙ୍କର ଡର ଭୟ ଉଭେଇ ଯାଇଥିଲା । ସେ ଆଗ୍ରହ ଦେଖାଇ କହିଲେ, ମୁଁ ବିରକ୍ତ ହେବି କାହିଁକି । ସତରେ, ଏ ବୟସରେ ଆପଣ ଆତ୍ମହତ୍ୟା କରିବାଯୋଗୁ ମୋ ଅନ୍ତରରେ ମୁଁ ବି ଆଘାତ ପାଇଥିଲି । ଠିଆ ହେଲେ କାହିଁକି, ବସନ୍ତୁ । ଏ କଥା କହିବା ଭିତରେ ସେ ଭାବୁଥିଲେ ଏଇକ୍ଷଣି ଯଦି ନଳିନୀ ଆସି ପହଞ୍ଚିଯାଏ ।

ବୁଢ଼ାଟି ଅଧର ଥରାଇ ପଚରିଲେ—ପରପାଇଁ ଆପଣଙ୍କ ହୃଦୟ ତରଳିଯାଏ ବୋଲି–ଆପଣଙ୍କୁ ପଚାରିବାକୁ ଆସିଛି, ନଚେତ କାହିଁକି ଆସିଥାନ୍ତି ?

ଶିଶିରବାବୁ ଉତ୍ତରଦେଲେ—ଆପଣଙ୍କର ଇଚ୍ଛା ଅନୁସାରେ ପଚାରନ୍ତୁ । ଜାଣିଥିଲେ ନିଶ୍ଚୟ କହିବି ।

ସତ କୁହନ୍ତୁ ଡାକ୍ତରବାବୁ ! ମଣିଷ ମରେ କେତେଥର ?

ଶିଶିରବାବୁ ଟିକିଏ ଚିନ୍ତାକରି ନମ୍ର ସ୍ୱରରେ ଉତ୍ତରଦେଲେ—ଆପଣଙ୍କ ପ୍ରଶ୍ନର ଉତ୍ତର ଅନେକ, କିନ୍ତୁ ସମସ୍ତଙ୍କ ଆଖିରେ ମଣିଷ ଥରେ ଜନ୍ମହୁଏ ଏବଂ ଥରେ ମରେ ।

ଆଗନ୍ତୁକ ବୃଦ୍ଧଙ୍କ ପ୍ରେତାତ୍ମା ଖୁସି ମନରେ ଉତ୍ତରଦେଲେ—ଆପଣ ଠିକ୍‍ ବୁଝିଚନ୍ତି ଡାକ୍ତରବାବୁ । ଅଫିମ ଖାଇ ଯେଉଁଦିନ ମୁଁ ଦୁନିଆରୁ ବିଦାୟ ନେଲି ସେଦିନ ସମସ୍ତଙ୍କ ଆଖିରେ ମଲି ବୋଲି ଗଣା ହେଲି । କାରଣ ମୋର ଏ ରକ୍ତମାଂସର ଶରୀର ସେଦିନ ମାଟିରେ ମିଶିଗଲା । କିନ୍ତୁ ଅନେକ ଦିନ ଆଗରୁ ମୁଁ ମରିଥିଲି ଡାକ୍ତରବାବୁ—ବୃଦ୍ଧ ଟିକିଏ ନୀରବ ରହି ଗୋଟାଏ ଦୀର୍ଘନିଃଶ୍ୱାସ ଛାଡ଼ିଲେ । ତାଙ୍କର ଆଖି ଲୋତକରେ ପୂର୍ଣ୍ଣ ।

ଶିଶିରବାବୁ ତାଙ୍କ ଦୁଃଖରେ ସମଦୁଃଖୀ ହୋଇ କହିଲେ, ଆପଣ ପ୍ରକୃତରେ ବଡ଼ ବିଜ୍ଞ ଲୋକ । ଆପଣଙ୍କ ଜୀବନରେ ଦୁଃଖ କ’ଣ ?

ବୃଦ୍ଧଜଣଙ୍କ ଗଳା ଥରାଇ କହିଲେ—ସେ ଅନେକ କଥା ଡାକ୍ତରବାବୁ ! ସେଥିପାଇଁ ପରା କହୁଛି, ମୋ ଜାଣିବାରେ ମୁଁ ମରିଥିଲି ଅନେକ ଦିନ ଆଗରୁ । ମୁଁ ଗୋଟାଏ ଖିଆଲରେ ଚାଲିଆସିଛି ଆପଣଙ୍କ ନିକଟକୁ । ମୋ ଜୀବନ କଥା ଜାଣି, ଆପଣଙ୍କର ଲାଭବା କ’ଣ ? କାହିଁକି ବୃଥାରେ ସମୟ ନଷ୍ଟ କରିବେ ? ଥାଉ, ଯାଉଛି ଆଜ୍ଞା ।

ଶିଶିରବାବୁ ବୃଦ୍ଧଙ୍କର କଥା ଶୁଣୁ ଶୁଣୁ ତାଙ୍କ ମନରେ କେତେ ପ୍ରଶ୍ନ ଉଠୁଥିଲା । କ’ଣ ତେବେ ତାଙ୍କର ଦୁଃଖ ? କାହିଁକି ଅକାରଣରେ ଏବୟସରେ ଆତ୍ମହତ୍ୟା କଲେ ? ବୃଦ୍ଧଙ୍କୁ ଉତ୍ତରଦେବାକୁ ଯାଇଁ ଶିଶିରବାବୁ କହିଲେ–ନାଁ ଆପଣ ବସନ୍ତୁ ! ଆପଣ ବୃଦ୍ଧ ପୁଣି ମୋର ନମସ୍ୟ-। ଏ ଦୁନିଆ ବିଷୟରେ ମୋର ବା କି ଅଭିଜ୍ଞତା ଅଛି । ଆପଣଙ୍କ ଜୀବନ ବିଷୟରେ ମୁଁ କିଛି ଜାଣିବାକୁ ଚାହେଁ । ଆପଣ ଦୟାକରି ଚୌକିରେ ବସନ୍ତୁ ।

ବୃଦ୍ଧ ଖୁସି ମନରେ ବସି ପଡ଼ୁ ପଡ଼ୁ କହିଲେ—ଆପଣଙ୍କର ମଙ୍ଗଳ ହେବ ଡାକ୍ତରବାବୁ-! ଯାହା ପାଇବା ଆଶାରେ ମଣିଷ ଏ ବିଷମ ଦୁନିଆରେ ବଞ୍ଚି ରହିବାକୁ ମନ ବଳାଏ, ସେହି ଅମୂଲ୍ୟ ଗୁଣର ଅଧିକାରୀ ଆପଣ । ଆପଣଙ୍କ ହୃଦୟରେ ପରପାଇଁ ସ୍ନେହ ଦୟା ପୂରି ରହିଛି-। ଆପଣଙ୍କ ଭଳି ବିବେକୀ ଲୋକ ଖୁବ୍‍ କମ୍‍ ଅଛନ୍ତି ଡାକ୍ତରବାବୁ !

 

ଶିଶିରବାବୁ ନିଜର ପ୍ରଶଂସାରେ ବୃଦ୍ଧଙ୍କ ପ୍ରତି ଆହୁରି ଆକୃଷ୍ଟ ହୋଇ କହିଲେମୁଁ ଆପଣଙ୍କ ପ୍ରଶଂସାର ବହୁ ତଳେ । ଯେଉଁ ବୟସରେ ଆପଣ ନିଜର ଆତ୍ମୀୟସ୍ୱଜନଙ୍କଦ୍ୱାରା ପୂଜିତ ହୋଇ ଭଗବାନଙ୍କ ଆରାଧନାରେ ଦିନ କଟାଇ ଥାଆନ୍ତେ, ସେ ବୟସରେ କାହିଁକି ଅଶାନ୍ତିରେ ଆପଣ ଆତ୍ମହତ୍ୟା କଲେ ?

 

ବୃଦ୍ଧ ଗମ୍ଭୀର ହୋଇ କହିଲେ–ଜୀବନର ସେ ସବୁକଥା ବଖାଣି ବସିଲେ ରାତି ପାହିଯିବି । କାହିଁକି ଆପଣଙ୍କୁ ବୃଥାରେ ଅନିଦ୍ରା କରାଇବି । ତେବେ ଆପଣଙ୍କର ମନର ଆଗ୍ରହ ମେଣ୍ଟାଇବା ପାଇଁ ଦି’ପଦ ନକହି ରହି ପାରୁନାହିଁ ।

 

ବୃଦ୍ଧ କିଛିସମୟ କ’ଣ ଭାବୁଥିଲା ପରି ନୀରବ ରହି ଡାକିଲେ—ଡାକ୍ତରବାବୁ !

 

ଶିଶିରବାବୁ ଖୁସି ମନରେ ଉତ୍ତରଦେଲେ—କ’ଣ କୁହନ୍ତୁ !

 

ମଣିଷ ଏ ବିଚିତ୍ର ଦୁନିଆରେ କାହିଁକି କଳ୍ପଲୋକ ଯାଏ ବଞ୍ଚିରହିବାକୁ ମନ ବଳାଏ କହିଲେ ?

 

ଶିଶିରବାବୁ ଟିକିଏ ନୀରବ ରହି ଉତ୍ତରଦେଲେ–ସେ ବି ଅନେକ କଥା ଆଜ୍ଞା । ମଣିଷ ବିଶେଷକରି ଧନ, କ୍ଷମତା, ସୁନ୍ଦରୀ ସ୍ତ୍ରୀ ଓ ଅନ୍ୟାନ୍ୟ ସୁଖଭୋଗ ପାଇଁ ଦୁନିଆରେ ବଞ୍ଚିରହିବାକୁ ଇଚ୍ଛା କରେ ।

 

ବୃଦ୍ଧଟି ଟିକିଏ ବିଦ୍ରୂପରେ ହସି କହିଲେ—ତା’ ସତ ହେଲେବି ପ୍ରକୃତରେ ସତ ନୁହେଁ । ଧରନ୍ତୁ ଧନ, କ୍ଷମତା ପାଇଁ ଯଦି ଅସଂଖ୍ୟ ହତ୍ୟାକାରୀ ଆପଣଙ୍କ ଚାରିପାଖରେ ଘୂରି ବୁଲନ୍ତି, ତାହାହେଲେ ଆପଣ ସଂସାରର ସବୁ ଧନରତ୍ନର ଅଧିକାରୀ ହେଲେ ବି କ’ଣ ଶାନ୍ତିରେ ନିଦ୍ରା ଯାଇ ପାରିବେ ? ସେହିଭଳି ନିଜର ସୁନ୍ଦରୀ ଯୁବତୀ ସ୍ତ୍ରୀ ଯଦି ଆପଣଙ୍କୁ ପସନ୍ଦ ନକରି ଅନ୍ୟ ଯୁବକ ପ୍ରତି ଆକୃଷ୍ଟ ହୁଏ, ତାହାହେଲେ ସେହି ଯୁବତୀ ସ୍ତ୍ରୀକୁ ଉପଭୋଗ କରିବାର ଅଧିକାରୀ ଆପଣ ହେଲେ କ’ଣ ଶାନ୍ତି ପାଇ ପାରିବେ ?

 

ଶିଶିରବାବୁ ଆକାଶ ପାତାଳ କେତେ କ’ଣ ଭାବୁଥିଲା ପରି ଉତ୍ତରଦେଲେ—କଦାପି ନୁହେଁ ।

 

ବୃଦ୍ଧ ଆହୁରି ଖୁସି ହୋଇ କହିଲେ—ଆପଣ ଠିକ୍‍ ବୁଝିଛନ୍ତି ଡାକ୍ତରବାବୁ ! ଏସବୁ ଧନ, କ୍ଷମତା, ସ୍ତ୍ରୀ ବାହାରକୁ ବେଶି ସୁନ୍ଦର ଦିଶେ ସିନା, କିନ୍ତୁ ସେସବୁ ଯଦି ନିଜର ଅତି ପ୍ରିୟ ନ ହେଲା ତାହାହେଲେ ମଣିଷ ଜୀବନରେ କେଉଁ କାମରେ ଆସିବ ସିଏ ! ମଣିଷବା କାହିଁକି ବା ଏଇସବୁ ଅଶାନ୍ତିକୁ ନେଇ କଳ୍ପ ଲୋକଯାଏ ବଞ୍ଚିବାକୁ ଇଚ୍ଛା କରିବ ? ମଣିଷ କେବଳ ନିଜର ଆତ୍ମୀୟସ୍ଵଜନଙ୍କଠାରୁ ସ୍ନେହ ଶ୍ରଦ୍ଧା, ସମ୍ମାନ ପାଇଁ ଏ ଦୁନିଆରେ ବଞ୍ଚିବାକୁ ମନ ବଳାଏ । ଏ ହେଲା ଅସଲକଥା ଆଜ୍ଞା । ଏଇ କେଇଟି କଥା ପାଇଁ ମୁଁ ଏ ବୟସ ଯାଏ କେତେ ଆଶା ବାନ୍ଧିଥିଲି । କିନ୍ତୁ ଶେଷକୁ ତାହା ବୃଥା ହୋଇଗଲା । ରକ୍ତ ମାଂସର ଶରୀର ଧରି ଅସହ୍ୟ ମାନସିକ ଯନ୍ତ୍ରଣା ସହିବା ଅପେକ୍ଷା, ନିଜକୁ ଏହି ଆକାଶ ପବନ ସହିତ ମିଳାଇ ଦେବା କ’ଣ ଭଲକଥା ନୁହେଁ ?

 

ଡାକ୍ତରବାବୁ ଟିକିଏ ନୀରବ ରହି କହିଲେ—ଆପଣ ବିଜ୍ଞ ଲୋକ । ଆପଣଙ୍କୁ ମୁଁ କ’ଣ ବୁଝାଇବି !

 

ଆତ୍ମହତ୍ୟା କରିବା ମହାପାପ ବୋଲି ପୋଥି ପୁରାଣରେ ଲିପିବଦ୍ଧ ହୋଇ ରହିଛି । ତେଣୁ ଆପଣଙ୍କ ପକ୍ଷରେ ତାହା ଭଲ ହୋଇନାହିଁ । କିନ୍ତୁ ଆପଣ ଯେ କେଉଁ ଅବସ୍ଥାରେ ପଡ଼ି ଏପରି କରିଛନ୍ତି, ସେ କଥା ମୁଁ ଜାଣିଲି କେମିତି ?

 

ଆତ୍ମହତ୍ୟା କରିବା ମହାପାପ ମୁଁ ଜାଣିଥିଲେ ବି ଅଶାନ୍ତିରେ ନିଜକୁ ତିଳ ତିଳ ଦଗ୍ଧ କରିବା ମୁଁ ସହି ପାରିଲି ନାହିଁ । ସାଥୀହୀନ ହୋଇ ଦୁନିଆରେ ବଞ୍ଚିରହିବା କି କଷ୍ଟ ମୁଁ ସେ କଥା ଜଣେ ।

 

ମୋ’କଥା ଶୁଣିଲେ ଆପଣ ବଡ଼ ଦୁଃଖ କରିବେ ଡାକ୍ତରବାବୁ ! ଅନେକଦିନ ପୂର୍ବରୁ ମୋର ସ୍ତ୍ରୀ ମରିଥିଲେ । ସେହିଦିନଠୁ ମୁଁ ବି ସାଥୀଛଡ଼ା ହୋଇ ଅଧା ମରିଯାଇଥିଲି । କିନ୍ତୁ ମୃତ୍ୟୁପୂର୍ବରୁ ଆଠବରଷର ପୁଅକୁ ମତେ ସମର୍ପିଦେଇ ଆଖିରୁ ଲୁହଢ଼ାଳି କହିଥିଲେ—‘‘ନବଘନ ତମକୁ ଲାଗିଲା । ମୁଁ ଯଦି ମରିଯାଏ, ତାହା ହେଲେ ତାକୁ ଇମିତି ପାଳିବ, ସେ ଯେମିତି ମୋତେ ଭୁଲିଯିବ-।’’

 

ମୋ ଭାଗ୍ୟରେ ଆଉ ସୁଖ କାହିଁ ? ସେ ମୋତେ ଏହି ଜ୍ୱାଳାମୟ ସଂସାରରେ ଏକାକୀ ଛାଡ଼ି, ଦୁନିଆରୁ ବିଦାୟ ନେଲା । ମୁଁ ଶେଷକୁ ଛାତିକୁ ପଥରଭଳି କଠିନ କରି ଜୀବନ ଧରି ରହିଲି-। ସମସ୍ତେ ଜାଣିବାକୁ ମୁଁ ଯେପରି ବେଶ୍‍ ସୁଖରେ ଅଛି, କିନ୍ତୁ ମୋର ହୃଦୟ, ସ୍ତ୍ରୀଙ୍କର ଚିତା ସଙ୍ଗରେ ସେହି ଦିନହିଁ ପୋଡ଼ିଜଳି ପାଉଁସ ହୋଇଯାଇଥିଲା ।

 

ବୃଦ୍ଧ କ୍ଷଣକାଳ ନୀରବ ରହି ଯେପରି ଅତୀର କଥା ଭାବୁଥିଲେ ।

 

ତା’ପରେ କ’ଣ ହେଲା ? ଡାକ୍ତରବାବୁ ଆଗ୍ରହରେ ପଚାରିଲେ ।

 

ବୃଦ୍ଧ ଧ୍ୟାନରୁ ଉଠିଲା ପରି କହିଲେ—ଆଉ କ’ଣ ହେବ ବାବୁ, କୌଣସି ପ୍ରକାରେ ଜୀବନ ଧରି ନବଘନକୁ ମଣିଷ କଲି । ଜମିବାଡ଼ିରୁ ଯାହା ଆୟ ହେଉଥିଲା, ତାହା ମୋ ପକ୍ଷରେ ଯଥେଷ୍ଟ ଥିଲା । ମୋର ସମ୍ପତି ଦେଖି, କେତେ ଲୋକ ଦ୍ୱିତୀୟ ଥର ବିବାହ କରିବାକୁ ପ୍ରବର୍ତ୍ତାଇଥିଲେ । କିନ୍ତୁ କାଳେ ମୋ ନବଘନକୁ ସେ ଅବହେଳା କରିବ, ସେଥିପାଇଁ ମୁଁ ସେ କଥାକୁ କାନକୁ ବି ନେଇନାହିଁ । ଠିକ୍‍ ସେତିକିବେଳେ ବି ମୋ କାନ ପାଖରେ ଶୁଭିଯାଏ ନବଘନ ବୋଉର ଆକୁଳ ନିବେଦନ—‘‘ନବଘନ ତମକୁ ଲାଗିଲା । ମୁଁ ଯଦି ମରିଯାଏ, ତେବେ ଛୁଆଟିକୁ ଅଣହେଳା କରିବ ନାହିଁ । ତମ ପାଖରେ ରହି ସେ ଯେପରି ମୋତେ ଭୁଲିଯାଏ....’’

 

ଶେଷକୁ ନବଘନ ହେଲା ଇଞ୍ଜିନିୟର ।

 

ତା’ପରେ..... ।

 

ତା’ପରେ ଶୁଣିବେ ବାବୁ ! ପୁଅକୁ ମୋର ବହୁ ଆଡ଼ମ୍ବରରେ ଏକ କଲେଜରେ ପାସ୍‍ କରିଥିବା ସୁନ୍ଦରୀ ଝିଅ ସାଙ୍ଗରେ ବିବାହ ଦେଲି । ମୋ କର୍ତ୍ତବ୍ୟ ବି ସେହିଦିନଠୁଁ ଶେଷହେଲା ।

 

ଶିଶିରବାବୁ ଖୁସି ମନରେ ପଚାରିଲେ—ବେଶ୍‍, ଏଣିକି ତ ଆପଣ ଖୁବ୍‍ ଆରାମ ପାଇଥିବେ । ଉଚ୍ଚଶିକ୍ଷିତ ପୁଅ ବୋହୂ ଆପଣଙ୍କ ଯତ୍ନ ନିଶ୍ଚୟ ନେଇଥିବେ !

 

ବୃଦ୍ଧଜଣକ ଭିତରେ ଭିତରେ ବିଚଳିତ ହେଉଥିଲା ପରି ଉତ୍ତରଦେଲେ—ଖୁବ୍‍ କରିଥିବେ ବାବୁ ! ଶିକ୍ଷିତ ଯେତେବେଳେ....

 

ବିବାହର ପ୍ରାୟ ଦଶଦିନ ପରେ ନବଘନ ଆସି କହିଲା—ମୋତେ ସରକାରୀ କ୍ୱାଟର ମିଳିଛି, ମୁଁ ପିଲାପିଲିଙ୍କୁ ନେବି ।

 

ଚମକି ପଡ଼ିଲି । ମୋରି ପୁଅ ନବଘନ, ଯାହାକୁ ଏଡ଼େଟି ଦିନରୁ ମା’ ମଲାପରେ କାନ୍ଧରେ ପକାଇ ପକାଇ କେତେ ରାତିଯେ ଅନିଦ୍ରା ହୋଇଛି, ଯାହାପାଇଁ ଜୀବନରେ ସବୁ ସୁଖ ଭୁଲିଛି, ସେଇ ମୋରି ପୁଅ ନବଘନ କହୁଛି, ବୋହୂକୁ ସାଙ୍ଗରେ ନେଇ ଚାକିରି ଗାଁକୁ ଯିବ !

 

ଶୁଣୁ ଶୁଣୁ ମୋ ମୁଣ୍ଡ ଘୂରିଗଲା । ଏ ଘରଦ୍ଵାର ପୁଣି କରିବ କିଏ ? ଚାକିରି ଗାଁ ତ ବେଶି ବାଟ ନୁହେଁ । ଦି’ ଘଣ୍ଟାର ବାଟ ଭୁବନେଶ୍ଵର । ବୋହୂ ବର୍ତ୍ତମାନ କିଛିଦିନ ପାଇଁ ନଗଲେ କ’ଣ ଚଳନ୍ତା ନାହିଁ ।

 

ମୋତେ ସେ ନୀରବ ଦେଖି, ମୁଁ କିଛି କହିବା ଆଗରୁ ସେ କହିଲା—ମୋର ପଅରି ଦିନ ଛୁଟି ପୂରିଯିବ । ମୁଁ ସେଇଦିନ ସାଙ୍ଗରେ ନେଇଯିବ ।

 

ମୁଁ ଆଉ ସେ କଥା ଶୁଣିବା ଅବସ୍ଥାରେ ନଥିଲି । ନବଘନ ଏତକ କହି ଅତି ବେଖାତିର କଲାପରି ଘରୁ ବାହାରି ଚାଲିଗଲା । ନିର୍ବାକ୍‍ ନିସ୍ପନ୍ଦ ହୋଇ ବସିରହିଲି କିଛିକ୍ଷଣ । ଯାହା ପାଇଁ ମୋ ଜୀବନକୁ ତିଳ ତିଳ କରି ସାରିଛି, ସେ ମାସ ଗୋଟାଏ ବି ନିଜର ସ୍ତ୍ରୀକୁ ଏ ଘରେ ରଖିବାକୁ ନାରାଜ । ଗାଁ ଲୋକେ, ବନ୍ଧୁବାନ୍ଧବ କହିବେ କ’ଣ ? ଧନ୍ୟରେ ଏ ଯୁଗର ଅନ୍ତସାରଶୂନ୍ୟ ପାଠ ! ସ୍ନେହ ମାୟାମମତା ଯେପରି ମଣିଷ ହୃଦୟରୁ କୁଆଡ଼େ ଉଭେଇ ଗଲାଣି ।

 

ପୁଅ ବୋହୂ ଭୁବନେଶ୍ୱର ଚାଲିଗଲେ । ମୋ ସୁବିଧା ଅସୁବିଧା କଥା କିଏ ପଚାରେ ? ସ୍ତ୍ରୀକୁ ମନେପକାଇ କେତେ ଆଖିରୁ ଲୁହ ଢାଳିଛି, ମୃତ୍ୟୁ ଦେବତାଙ୍କୁ ଶତ କୋଟି ପ୍ରଣାମ କରି କେତେ ଆକୁଳ ନିବେଦନ କରିଛି ତାଙ୍କ କୋଳରେ ଟିକିଏ ଆଶ୍ରୟ ଦେବାକୁ । କିନ୍ତୁ ଏ ଟାଣ ଜୀବନ ସହଜରେ ଗଲା ନାହିଁ ବାବୁ ।

 

ଇମିତି ପ୍ରାୟ ବର୍ଷଟିଏ କଟିଲା । ନବଘନ ମୋ ସହିତ ସମ୍ୱନ୍ଧ ରଖିଥାଏ ଯେପରି ମାମୁଲି ଧରଣର । ଦିନେ ଚିଠି ପାଇଲି, ହଁ ବାବୁ ଠିକ୍‍ ଚିଠି ନୁହେଁ, ଆଦେଶ ଭଳି ଚିଠି ।

 

ତାଙ୍କର ପୁଅଟିଏ ହୋଇଛି । ଏକୋଇଶା ଦିନ ବି ହାକିମ ହୁକୁମାଙ୍କୁ ଭୋଜି ଦେବାକୁ ପଡ଼ିବ । ତେଣୁ ଘରୁ ସରୁ ଚାଉଳ ଇତ୍ୟାଦି କେତେକ ଜିନିଷ ଘେନି ନିର୍ଦ୍ଦିଷ୍ଟ ଦିନ ଆସନ୍ତୁ ।

 

ଚିଠି ପାଇ ସବୁ ଦୁଃଖ ମୁଁ ଭୁଲିଗଲି ବାବୁ, ତା’ର ମା’ ଥିଲେ ନାତିଟି ପାଇଁ କେତେ ଖୁସି ହୋଇନଥାନ୍ତା ! ମୁଁ ଖୁସିରେ ସବୁ ପଛକଥା ଭୁଲି ବରାଦ ମୁତାବକ ଜିନିଷ ନେଇ ଭୁବନେଶ୍ୱର ବସାରେ ପହଞ୍ଚିଲି ଇଞ୍ଜିନିୟର ସାହେବ ବୋଲି କେତେ ପେଣ୍ଟପିନ୍ଧା ବାବୁଙ୍କର କାରବାର ସେଠି । ପୁଅ ମୋତେ ଦେଖି ମାମୁଲି ନମସ୍କାରଟାଏ ପକାଇଲା । ଯେପରି ତା’ର ଇଚ୍ଛା ନାହିଁ । ବାପା ବୋଲି କାହା ଆଗରେ ପରିଚୟ ଦେବାକୁ ସେ ବି କୁଣ୍ଠାବୋଧ କରୁଛି । ସେହି ଦିନଟି ରହି ମୁଁ ଯେଉଁ ବ୍ୟବହାର ପାଇଲି, ତାହା ମୋ ପକ୍ଷରେ ଶତ ବୃଶ୍ଚିକ ଦଂଶନ ପରିଥିଲା । ତହିଁ ଆରଦିନ ଫେରିଆସିଲି ଘରକୁ । ତା’ପରେ ମୁଁ ବାବୁ ଏକରକମ ପାଗଳ ହୋଇଯାଇଥିଲି । ଘରଦ୍ଵାର, ଜମିବାଡ଼ି ସବୁ ଗାଁଠାକୁରଙ୍କ ନାମରେ ଲେଖିଦେଲି ।

 

ଶିଶିରବାବୁ ମନର ଉଦବେଗରେ କହି ଉଠିଲେ—ତା’ପରେ ଆପଣ ?

 

ସେଇ କେଇଟି ଦିନରେ ମୁଁ କେତେଥର ମୋର ସ୍ତ୍ରୀଙ୍କୁ ଦେଖିଛି ବାବୁ ! ସେ ଲୁହ ଛଳ ଛଳ ଆଖିରେ କହୁଛନ୍ତି—‘‘ମୋରି କଥାମାନି ତମେ ଖୁବ୍‍ କରିଛ । ଏତେ ଆଉ ବ୍ୟସ୍ତ କାହିଁକି, ଚାଲିଆସ ମୋ ପାଖକୁ ।’’ ଆଉ ସମ୍ଭାଳି ପାରିଲି ନାହିଁ ବାବୁ; ଆପଣ କହନ୍ତୁ, ମୋର ଆଉ ସେ ଦୁନିଆରେ ରହିବା କ’ଣ ଦରକାର ଥିଲା...ବୃଦ୍ଧ ନୀରବ ରହିଲେ ।

 

ଶିଶିରବାବୁ କଣ୍ଠରେ ସମବେଦନା ଫୁଟାଇ କହିଲେ—ଆଜିକାଲି ଏ ଶିକ୍ଷିତ ସମାଜରେ ବାପ ପ୍ରତି ଏଭଳି କଦର୍ଯ୍ୟ ବ୍ୟବହାର କିଛି ନୂଆ କଥା ନୁହେଁ । କେତେ ପୁତ୍ର ନିଜର ଜନ୍ମକଲା ବାପକୁ ଠିକ୍‍ ଆପଣଙ୍କ ପରି ବ୍ୟବହାର ଦେଖାଉଥିବା ମୁଁ ଜାଣିଛି । ସେମାନେ ପ୍ରକୃତରେ ମଣିଷ ନୁହନ୍ତି । ସାହେବ ସଭ୍ୟତାର ବିଷ ଜ୍ୱାଳାରେ ସେମାନେ ପାଗଳ, ଅନ୍ଧ—ହୃଦୟହୀନ ।

 

ବୃଦ୍ଧ ଘଡ଼ିକୁ ଚାହିଁଲେ । ଦୁଇଟା ବାଜିବାକୁ କୋଡ଼ିଏ ମିନିଟ ଅଛି । ଚୌକିରୁ ଉଠିପଡ଼ି କହିଲେ—ଅଯଥାରେ ଆପଣଙ୍କର ଏତେ ସମୟ ନଷ୍ଟ କଲି ଡାକ୍ତରବାବୁ । ଏ ବୟସରେ ମୋର ଗୋଟିଏ କଥା ମନେରଖିବେ ବାବୁ ! ଆପଣଙ୍କର ମଙ୍ଗଳ ହେବ । ମାଟି ଧରିଲେ ସୁନା ହେବ । ତାହା ହେଉଛି—ସମସ୍ତଙ୍କ ପ୍ରତି ଦୟା କରିବ । କାହାରି ମନରେ କଷ୍ଟ ହେଲା ଭଳି କିଛି କହିବ ନାହିଁ-। ଆଉ ବାପ ମାଆଙ୍କର ଆଶୀର୍ବାଦ, ଭଗବାନଙ୍କ ଆଶୀର୍ବାଦ ସଙ୍ଗେ ସମାନ, ଆଉ ତାଙ୍କର ଆଖିର ଲୁହ, ଅଗ୍ନିପରି ସହସ୍ରଗୁଣ ତେଜୀୟାନ—ସୃଷ୍ଟିକୁ ଧ୍ଵଂସ କରିଦେବାକୁ ଅଦ୍ଵିତୀୟ । କେବେ ତାଙ୍କ ମନରେ କଷ୍ଟ ଦେବ ନାହିଁ ବାବୁ ! ହଠାତ୍‍ ବୃଦ୍ଧ ଚୁପ୍‍ ରହିଲେ । ତା’ପରେ କହିଲେ—ତମେ ମୋ ଆଶୀର୍ବାଦ ଗ୍ରହଣକର । ଯାଅ ଶୋଇବ । ମୁଁ ଯାଉଛି ।

 

ଆଖି ପଲକରେ ଶିଶିରବାବୁ ଆଗକୁ ଅନାଇଲେ । କିଏ କାହିଁ ? ହଠାତ୍‍ ବୃଦ୍ଧ ଚାଲିଗଲେ । ଶିଶିରବାବୁଙ୍କ ମନରେ ଭାବନାର ପ୍ରବଳ ଝଡ଼ ବହୁଥିଲା । ସେତ ତାଙ୍କ ବାପ ମା’ଙ୍କୁ ଏତେ ସ୍ନେହ କରନ୍ତି । ତାଙ୍କ ଅଜାଣତରେ କେବେ ତାଙ୍କ ମନରେ କଷ୍ଟ ଦେଇ ନାହିଁତ ! ବାପା, ମା’, ଦେବତାଠାରୁ ବଡ଼ । ମନେମନେ ତାଙ୍କ ଚରଣ ଉଦ୍ଦେଶ୍ୟରେ ସେ ମୁଣ୍ଡ ଲଗାଇଲେ ।

 

ଏଣୁ ତେଣୁ ଭାବନା ଭିତରେ ଶିଶିରବାବୁ ବୁଡ଼ି ରହିଲେ କିଛି ସମୟ ! କାନ୍ଥ ଘଡ଼ି ଠନ୍‍ ଠନ୍‍ ଶବ୍ଦରେ ଘୋଷଣା କଲା—ରାତ୍ରି ଦୁଇ । ଶିଶିରବାବୁ ଚମକି ପଡ଼ିଲାପରି ଭାବିଲେ—ମୁଁ ମୋର ଅତି ସ୍ନେହର ନଳିନୀ କଥା ଭୁଲିଯାଇଥିଲି ଏକାବେଳେ । ସେ ତାହାହେଲେ ଆଜି ଆଉ ଆସିବ ନାହିଁ ନା କ’ଣ ! ଯଦି ସେ ଠିକ୍‍ ସମୟରେ ଆସି, ବୃଦ୍ଧ କଥାବାର୍ତ୍ତା ହେଉଥିବାର ଦେଖି ଫେରି ଯାଇଥାଏ କ’ଣ ହେବ ! ପ୍ରେତପୁରୀକୁ ଖବରଦେବାର ବା ଉପାୟ କ’ଣ ? କେବଳ ମନେମନେ ଚିନ୍ତା କରିବା ଛଡ଼ା ଆଉ କିଛି ଉପାୟ ନାହିଁ ।

 

ଶିଶିରବାବୁ ବଡ଼ ବ୍ୟସ୍ତହୋଇ ଶୋଇବାକୁ ଚେଷ୍ଟାକଲେ । ତହିଁ ଆରଦିନ ଡାକ୍ତରବାବୁଙ୍କ ନିଦ ଭାଙ୍ଗିଲା ବେଳକୁ ସାଢ଼େଆଠ । ସେ ବିଛଣାରୁ ଉଠି ବସିବାରୁ ପୂଝାରି ଆସି ପଚାରିଲା—ଆଜ୍ଞା, ଆଜି ଆପଣଙ୍କ ଦେହ ଭଲ ନାହିଁ ନା କ’ଣ ! ଜଳଖିଆ ଆଉ ଖାଇବେ କେତେବେଳେ ! ଭାତ ଡାଲି ହେଲାଣି, ପଇସା କ’ଣ ଦେଲେ ବଜାରରୁ ମାଛ ନେଇ ଆସିବି ।

 

ଶିଶିରବାବୁ କଳରେ ମୁହଁ ଧୋଉ ଧୋଉ ଉତ୍ତରଦେଲେ—କାଲି କାହିଁକି ଭଲ ନିଦ ହେଲା ନାହିଁ । ସେଥିଯୋଗୁ ଆଜି ଡେରିରେ ନିଦ ଭାଙ୍ଗିଲା । ରୋଗୀ ଜମା ହୋଇଯିବେଣି । ତେଲ ଟିକିଏ ଆଣିଲ ? ତକିଆତଳେ ଟଙ୍କା ଅଛି ମାଛ ଯାଇଁ ଆଣିବ ।

 

ପୂଝାରିଟି ବାବୁଙ୍କ ସମବୟସ ହୋଇଥିବାରୁ କଥା ଭିତରେ କଥା ପୂରାଇ କହିଲା—ଆପଣ କହୁଥିଲେ ପରା ଆଠଦିନ ଛୁଟିନେଇ ମା’ଙ୍କୁ ଯାଇଁ ଗାଁରୁ ନେଇ ଆସିବେ ! ଆଣୁ ନାହାନ୍ତି ! ମା’ ନ ଥିବାରୁ ଏ ଘର ନିଛାଟିଆ ଲାଗୁଛି । ସେ ଥିଲେ କେତେ ପିଠାପଣାର ନିତି ବରାଦ ହେଉଥାନ୍ତା । ଆପଣଙ୍କୁ ବି ଘରକଥା ଭାବି ଏମିତି ଅନିଦ୍ରା ହେବାକୁ ପଡ଼ନ୍ତା ନାହିଁ ।

 

ପୂଝାରି ତା’ର ଶେଷ କେଇପଦ କଥାକୁ ବେଶ୍‍ ବାଗେଇ କହିଛି ବୋଲି, ଶିଶିରବାବୁ ମନେମନେ ହସି ଉତ୍ତରଦେଲେ—ଏଥର ଗଲେ ନେଇ ଆସିବି ।

 

ତା’ପରେ ପୂଝାରିଟି କଥା ଢୋକି କହିଲା—ବାବୁ ମୋତେ ଆଠଦିନ ଛୁଟି ଦିଅନ୍ତୁ ! ଘରକଥା ସବୁବେଳେ ମନେପଡ଼ୁଛି । ମା’ ବି ଘଡ଼ି ଘଡ଼ି ଚିଠି ଦେଉଛି, ପୁନରବିବାହ ଗଲାର ପନ୍ଦର ଦିନେ ପରା ଆସିଥିଲି ! ଏଥି ଭିତରେ ତିନିମାସ ବିତିଗଲାଣି, ଆଉ କ’ଣ ଯାଇଛି । …..ଶିଶିରବାବୁ ବିଚରା ପୂଝାରିଟିର ମନକଥା ବୁଝୁଥିଲେ । ଗରିବ ଲୋକ ଚାକିରି କରିଛି ବୋଲି ସେକଥା କ’ଣ ତା’ର ଟିକି ବୋହୂଟି ବୁଝୁଥିବ ! ନୂଆ ମନ, ନୂଆ ଦିହ ତା’ର, ଘନବରଷା ରାତିରେ ତା’ ଅନ୍ତର ନିଶ୍ଚୟ ଆଉଟି ହୋଇ ଯାଉଥିବ—ତା’ର ବିଦେଶୀ ଯୁବକ ସ୍ଵାମୀ ପାଇଁ... । ପୂଝାରି କଥାର ଉତ୍ତର ଦେବାକୁ ଯାଇ କହିଲେ—ତମେ ଘରକୁ ଯିବାରେ ମୋର ଆପତ୍ତି ନାହିଁ, ମୋତେ କିନ୍ତୁ ଉପାସ ରହିବାକୁ ପଡ଼ିବ ।

 

ପୂଝାରିଟି ଅବସ୍ଥାକୁ ବୁଝି ଉତ୍ତରଦେଲା—ସେଇଥିପାଇଁ ପରା, ମୁଁ ଭରସି କହିନଥିଲି । ହଉ, ମା’ ଆସନ୍ତୁ ମୁଁ ଯିବି ପଛକେ । ସେ ତର ତର ହୋଇ ବାହାରିଗଲା ବଜାରକୁ ମାଛ ଆଣିବା ପାଇଁ ।

Unknown

 

ଚତୁର୍ଥ ରାତ୍ରି

 

ସେଦିନ ରାତି ଦଶଟା । ଶିଶିରବାବୁ ନିଜର ସମସ୍ତ କାମ ଶେଷକରି ନଳିନୀର ପ୍ରତୀକ୍ଷାରେ ଖଟଉପରେ ବସି ରହିଥିଲେ । ଘଣ୍ଟାର ପ୍ରତ୍ୟେକ ମୁହୂର୍ତ୍ତ ତାଙ୍କୁ ବହୁ ସମୟପରି ଲାଗୁଥିଲା । ଉଚ୍ଛନ୍ନ ମନରେ ଶିଶିରବାବୁ ଛଟପଟ ହେଉଥିଲେ, କେତେବେଳେ ନଳିନୀ ଆଉ ଆସିବ ! କି ସୁନ୍ଦର ରୂପ ! ତା’ର ସ୍ନେହଭରା ସଜଫୁଲ ପରି ମୁହଁଟିକୁ ଦେଖିଲେ ଆପେ-ଆପେ ଅନ୍ତର ଆନନ୍ଦରେ ଉଲସି ଉଠେ ! କାହିଁ କେତେବେଳେ ଆସିବ ସିଏ ! ଏଗାରଟା ବାଜିବାକୁ ଯେ ମୋଟେ ଆଉ ପଚିଶ ମିନିଟ ବାକି ଅଛି !

 

ପୂଝାରିଟି ବିଛଣା ଧରୁ ଧରୁ ନିଘୋଡ଼ ନିଦରେ ଶୋଇ ଗଲାଣି । ରାତ୍ରି କ୍ରମେ ଗମ୍ଭୀର ଆଉ ନିଶବ୍ଦ ହୋଇ ଆସୁଛି । ଶିଶିରବାବୁ ମନର ଆବେଗରେ ବିଛଣାରୁ ଉଠି ଝରକା ପାଖରେ ଯାଇଁ ଠିଆ ହେଲେ । ଖୋଲା ଝରକାଦେଇ ବାହାରକୁ ନିରେଖି ଚାହିଁଲେ । କାହିଁ ନଳିନୀ ! ସେଦିନ ତ ସେ ଏତେବେଳକୁ ଆସି ସାରିଲାଣି । ବେଳୁ ବେଳ ମେଘ ଆକାଶକୁ ଘୋଟି ଆହୁରି ଗାଢ଼ ଅନ୍ଧାର ହୋଇ ଆସୁଛି ।

 

ଶିଶିରବାବୁ ଝରକାକୁ କିଛି ସମୟ ଧରି ଠିଆ ହୋଇରହିଲେ । ଏଥିଭିତରେ ଟିପି ଟିପି ବର୍ଷା ଆରମ୍ଭ ହୋଇଗଲାଣି । ବାହାରର ଶିର୍‍ ଶିର୍‍ ଥଣ୍ଡାପବନ ଦେହରେ ବାଜି ବେଶ୍‍ ଆରାମ ଲାଗୁଛି । ସେ ଭାବୁଥିଲେ ନଳିନୀ ଯଦି ଆଉ ମୋଟେ ନ ଆସେ ! ଆସିବାର ବା ଠିକଣା କ’ଣ ! ସେ ତ ଆଉ ଜୀବିତ ନୁହଁ ଯେ, ଲୋକ ପଠାଇ ଡକାଇ ଆଣିବେ । ଛାୟା ରୂପରେ ନଳିନୀର ପ୍ରେତାତ୍ମାକୁ ଏଠିକୁ ଆଣିବାର ଉପାୟ କ’ଣ ! ନଳିନୀ କ’ଣ ଏଠିକୁ ଆସିବା କଥା ମନେରଖିଛି ! ଯଦି ସେ ମନେ ରଖିଥାନ୍ତା, ତାହାହେଲେ ସେ କାଲି ଆସିନଥାନ୍ତା କାହିଁକି ? ସେ ତ କେତେକରି ତାକୁ ଆସିବାକୁ ଅନୁରୋଧ କରିଥିଲେ । ଶିଶିରବାବୁ ବି ବ୍ୟସ୍ତରେ ଫେରିଆସିଲେ ବିଛଣାକୁ । ତାଙ୍କ ଆଖିରେ ରୂପ ଧରୁଥିଲା ନଳିନୀର ସ୍ନେହବୋଳା ଫୁଲପରି ସତେଜ ମୁହଁଟି । ମନ ଉଚ୍ଚାଟ, କେତେବେଳେ ସେ ଆଉ ଆସିବ ।

 

ଏଗାରଟା ବାଜି କୋଡ଼ିଏ ମିନିଟ । ଶିଶିରବାବୁ ଅସ୍ଥିର ହୋଇପଡ଼ୁଥିଲେ ନୀଳିନୀର ସାକ୍ଷାତ ଲାଭ ପାଇଁ । ଇସ୍‍—ଆଉ କେତେ ସମୟପରେ ବାରଟା ଯେ ବାଜିବ । କେଡ଼େ କୃତଘ୍ନ ଏ ଘଡ଼ିଟା, କେତେ ଆଦରରେ ତାକୁ ଟାଙ୍ଗିଛନ୍ତି କାନ୍ଥରେ, ସେ ଟିକିଏ ବିଳମ୍ବ କରିବାକୁ ନାଇଁ, ଘୋଡ଼ାପରି ଛୁଟିଛି ଆଗକୁ ।

 

ହଠାତ୍‍ ତାଙ୍କ ଗୋଡ଼ ପାଖରେ କେଉଁଠୁ ପଡ଼ିଲା ଦୁଇଟି ସଦ୍ୟ ରକ୍ତ ଗୋଲାପ । ଶିଶିରବାବୁ ଚକିତ ବିସ୍ମିତ ହୋଇ ଦେଖୁଥିଲେ । କେଉଁଠୁ ଆସିଲା ଏ ଫୁଲ ଦୁଇଟି ! ନଳିନୀ ଆସିଲା ନା କ’ଣ । ସେ ଖୁସି ମନରେ ଅନାଇଦେଲେ ଟେବୁଲପାଖକୁ । ସତକୁ ଶତ ନଳିନୀ ଆସିଯାଇଛି । ଶିଶିରବାବୁ ଭିତରେ ଭିତରେ ଆନନ୍ଦରେ ଫୁଲି ଉଠୁଥିଲେ ବି ଅଭିମାନ ଭଙ୍ଗୀରେ କହିଲେ, କାଲି ସାରା ରାତ୍ରି ମୁଁ ଅନିଦ୍ରା ହୋଇଛି ତୁମ ପାଇଁ । ଆସିଲ ନାହିଁ କାହିଁକି ?

 

ନଳିନୀ, ଯୁବକ ଅନ୍ତରରେ ପୂର୍ଣ୍ଣମୀ ଜୁଆର ଉଠଇଲା ଭଳି ଟିକିଏ ମୁରୁକି ହସି କହିଲା–ମୁଁ ଜାଣିକରି ଆସିନଥିଲି । ଆପଣ ଟିକିଏ ଶାନ୍ତିରେ ଶୋଇବାକୁ ମୁଁ ଚାହିଁଥିଲି । କିନ୍ତୁ ଆପଣ ନ ଶୋଇ ବି ଅନିଦ୍ରା ହେଲେ ! ଆଜି ଆପଣ ମୋ’ପାଇଁ କେତେ ଯେ ମନସ୍ତାପ କଲେଣି ସେକଥା ମୁଁ ଜାଣେ, ତା’ର ପ୍ରତିଦାନ ସ୍ଵରୂପ ମୋର ସେହି ଗୋଲାପ ଫୁଲ ଦୁଇଟି ଗ୍ରହଣ କରନ୍ତୁ ।

 

ଶିଶିରବାବୁ ଅଭିମାନ ଭୁଲି କହିଲେ—ମୋତେ କ୍ଷମାକର ନଳିନୀ, ତୁମର ସ୍ନେହର ଏ ଉପହାର କଥା ମୁଁ ଏକାବେଳକେ ଭୁଲିଯାଇଥିଲି । ମୋର ଅଶେଷ ଧନ୍ୟବାଦ । ଏଥର ଫୁଲ ଦୁଇଟି ତୁମେ ନିଅ ନଳିନୀ ! ଏ ରକ୍ତ ଗୋଲାପ, ମୋ ହାତରେ ରହିବା ଅପେକ୍ଷା ତୁମର ସେହି ଘନ ସଜ୍ଜିତ କବରୀରେ ଶତଗୁଣ ସୌନ୍ଦର୍ଯ୍ୟ ସୃଷ୍ଟି କରିବ । ବସ ନଳିନୀ ! ଠିଆ ହେଲ କାହିଁକି ?

 

ନଳିନୀ, ଶିଶିରବାବୁଙ୍କ କଥା ଶୁଣୁ ଶୁଣୁ ତା’ର ଅନ୍ତର ବ୍ୟଥାରେ ମନ୍ଥି ହୋଇଯାଇଥିଲା-। ଲୁହ ଛଳ ଛଳ ଆଖିରେ ବସି ପଡ଼ୁ ପଡ଼ୁ ଥରିଲା ଗଳାରେ କହିଲା—ସେ ବେଳ ଯାଇଛି ଡାକ୍ତରବାବୁ, ଚିରଦିନପାଇଁ । ମୁଁ ଏଇ ରକ୍ତ ଗୋଲାପକୁ ଖୁବ୍‍ ଭଲପାଏ । ପ୍ରତ୍ୟେକଦିନ ସଞ୍ଜରେ ଦରଫୁଟା ଗୋଲାପ କଢ଼ି କବରୀରେ ଖୋସିବା ଥିଲା ମୋର ଏକ ସଉକ ।

 

ଶିଶିରବାବୁ, ନଳିନୀକୁ ଏପରି ହେବାର ଦେଖି କହିଲେ—ପଛକଥା ତୁମର ମନେପଡ଼ି ଦୁଃଖରେ ତୁମେ ଏପରି ଅଧୀର ହୋଇପଡ଼ିବ ବୋଲି ମୁଁ ଭାବିନଥିଲି । ତୁମ ମନରେ ଦୁଃଖ ଦେବାରେ ମୁଁ ବର୍ତ୍ତମାନ ପ୍ରଧାନ କାରଣ । ସେଥିପାଇଁ କ୍ଷମା ଦେବ ମୋତେ ।

 

ନଳିନୀ ଡାକ୍ତରବାବୁଙ୍କ ଆଡ଼େ କରୁଣ ଅଥଚ କୃତଜ୍ଞତାରେ ପୂରି ରହିଥିବା ଚାହାଣିରେ କହିଲା—ମୋ’ଭଳି ଏକ ଛାର ଯୁବତୀ ପାଖରେ ଆପଣଙ୍କ ଭଳି ହୃଦୟବାନ ଡାକ୍ତର ଟିକିଏ ଟିକିଏ କଥାରେ କ୍ଷମା ମାଗିବାଦ୍ଵାରା ମୋ ମୁଣ୍ଡ ଲଜ୍ୟାରେ ତଳକୁ ନଇଁ ପଡ଼ୁଛି । ଆପଣଙ୍କର ଏ ଅକପଟ ସ୍ନେହ ମୁଁ ଜନ୍ମଜନ୍ମାନ୍ତରରେ ବି ଭୁଲିପାରିବି ନାହିଁ । ସେ ଗୋଲାପ କଢ଼ିଟି ଆପଣଙ୍କ ପାଖରେ ଥାଉ-

 

ଶିଶିରବାବୁ ଗୋଲାପ ଫୁଲଟିଏ ସ୍ନେହରେ ହାତରେ ଧରି ନାକ ପାଖରେ ଘୂରାଉ ଘୂରାଉ, ହସ ହସ ହୋଇ କହିଲେ—ଏଇ ଫୁଲର ସୁବାସରେ ଯେପରି ଅନ୍ତରରେ ଆନନ୍ଦରେ ପୂରି ଉଠୁଛି, ତୁମର ରୂପର ଜ୍ୟୋତିରେ ମଧ୍ୟ ସେହିପରି ହୃଦୟ ଆନନ୍ଦରେ ପୁଲକିତ ହୋଇଉଠୁଛି । କେଉଁ ଶୁଭାକାଂକ୍ଷୀ ଦେବତାର ଆଶୀର୍ବାଦରେ ତୁମେ ଏ ଦେବତାବଞ୍ଚିତ ରୂପ ପାଇଥିଲା ! ଏଥର କୁହ ନଳିନୀ, ସେଦିନ ଯେଉଁଠୁ ଛାଡ଼ିଥିଲ । ତୁମର କଥା ଶୁଣିବାପାଇଁ ମୁଁ ମୋର କାନ ଦୁଇଟାକୁ ସହସ୍ର କାନରେ ପରିଣତ କରି ଚୁମ୍ବକ ଭରି ଦେଇଛି । କୁହ, ତା’ପରେ କ’ଣ ହେଲା ?

 

ନଳିନୀ ଲାଜ ଲାଜ ହୋଇ ତଳକୁ ମୁହଁପୋତି ଆରମ୍ଭ କଲା, ମୁଁ ଯୁବତୀହୋଇ ଆପଣଙ୍କ ଭଳି ଜଣେ ଦରଦୀ ଡାକ୍ତରଙ୍କ ଆଗରେ ମୋ ଜୀବନ କାହାଣୀ ନିର୍ଲ୍ଲଜୀଙ୍କ ଭଳି ଗପି ଯାଉଛି ବୋଲି କିଛି ଭାବିବେ ନାହିଁ ଡାକ୍ତରବାବୁ !

 

ମୋତେ ଭୁଲ ବୁଝନାହିଁ ନଳିନୀ ! ଥରେ ପରା କହିଛି, ମୁଁ ତୁମକୁ ଅତି ସ୍ନେହ କରେ । ତୁମର ପୁଷ୍ପିତ ଜୀବନ ନଷ୍ଟହୋଇ ଯାଇଥିବାରୁ ମୋ ଅନ୍ତର ଭିତରେ ତୁମପାଇଁ ଯେ କେତେ ଦୁଃଖ, ସେକଥା ହୃଦୟ ଖୋଲି ଦେଖାଇ ଦେବାର ଯଦି କିଛି ଉପାୟ ଥାନ୍ତା, ତାହାହେଲେ ମୁଁ ଦେଖାଇ ଦିଅନ୍ତି । କାହିଁକି କିଛି ଭାବିବି, ଏଥର କୁହ ନଳିନୀ ?

 

ନଳିନୀ କଣ୍ଠରେ କରୁଣତା ତୋଳି ଆରମ୍ଭ କଲା—ଆପଣଙ୍କ ହୃଦୟ ଭିତରେ ମୋ’ପାଇଁ ଯେ ଆପଣ କେତେ କଥା ଅନୁଭବ କରୁଛନ୍ତି, ତାହା ଆପଣଙ୍କ କଥାରୁ ମୋତେ କ’ଣ ଅଛପା ଅଛି-! ସେଥିପାଇଁ ତ ମୋ ଜୀବନର ସବୁ ଘଟଣା ଆପଣଙ୍କ ଆଗରେ କହି ମନକୁ ହାଲୁକା କରିବାକୁ ଏଠିକି ଧାଇଁ ଆସିଛି ।

 

ମୁଁ ବି ସେଥିରୁ ବାଦ୍‍ ଯାଇନାହିଁ ନଳିନୀ ! ତୁମ ବିଷୟ ଭାବି ଭାବି ମୋ ମନରେ ବି ପାହାଡ଼ ପରି ଦୁଃଖ ଜମା ହୋଇରହିଛି । ତୁମର ଜୀବନ କାହାଣୀ ଶୁଣିସାରିଲା ପରେ, ତାହା ଅନେକ ଗୁଣରେ ହାଲୁକା ହୋଇଯିବ ବୋଲି ମୋର ଆଶା ରହିଛି । କୁହ ନଳିନୀ ! ଶିଶିରବାବୁ ସ୍ନେହମିଶା ସ୍ୱରରେ କହିଲେ ।

 

ନଳିନୀ ଆରମ୍ଭ କଲା—କହୁଥିଲି ପରା ଡାକ୍ତରବାବୁ, ସେତେବେଳେ ମୋତେ ଦେଖି, ବାଟରେ ଚାଲିଯାଉଥିବା ଲୋକ ଦଣ୍ଡେ ନ ଅନାଇ ରହିପାରୁନଥିଲା । ଗାଁର ମାଇପି ମହଲରେ ମୋ ରୂପର କେତେ ପ୍ରଶଂସା । କିଏ କିଏ ବି ସବୁ ଜାଣିଲାପରି କହୁଥିଲେ—ପୁରାଣ କଥା କ’ଣ ମିଛ ! କେତେ ପୋଥି ପୁରାଣରୁ ତ ମଣିଷ ଶୁଣିଛି, ଇନ୍ଦ୍ରସଭାରେ କେତେ ଗନ୍ଧର୍ବ କନ୍ୟା ନାଚୁ ନାଚୁ ଯୌବନ ଗର୍ବରେ କାହାକୁ ଚାହିଁଦେଲେ—ଦେବରାଜ ଇନ୍ଦ୍ର ତାଙ୍କୁ ମର୍ତ୍ତରେ ଜନ୍ମହେବା ପାଇଁ ଅଭିଶାପ ଦିଅନ୍ତି । ଏ ଝିଅଟି ସେମିତି ଅଭିଶାପ ପାଇ ମାଳିଘରେ ଜନ୍ମ ହୋଇଛି । ଦେଖିବ ରହ କେତେଦିନ ପରେ ପୁଣି ସେ ସ୍ୱର୍ଗର ଇନ୍ଦ୍ରସଭାକୁ ଚାଲିଯିବ ।

 

ଶିଶିରବାବୁ ଖୁସିହୋଇ କହିଲେ—ସେମାନଙ୍କ ଅନୁମାନ ମିଛ ହେବ କାହିଁକି, ମୋର ମଧ୍ୟ ସେଇ ଧାରଣା ।

 

ନଳିନୀ ଟିକିଏ ମୁରୁକି ହସି କହିଲା—ଏତ ଗଲା ମାଇପିଙ୍କ କଥା । ଗାଁର ପାଠୁଆ ପୁଅଙ୍କ କଥା ଛାଡ଼ । ବାଁରେଇ ହୋଇ ଆମ ଘରକୁ ଆସନ୍ତି । ବାପା ବୋଉଙ୍କ ଆଗରେ ମୋ ପାଠର, ଗୁଣର, ରୂପର କେତେ ପ୍ରଶଂସା କରନ୍ତି । ପୁଅ ଝିଅଙ୍କର ପ୍ରଶଂସା ଶୁଣିଲେ କେଉଁ ବାପ ମା’ଙ୍କର ମନ ଆନନ୍ଦରେ ବା କୁରୁଳି ନଉଠିବ ! ତା’ପରେ କେଡ଼େ ଶରଧାରେ ସେମାନେ ମୋ ଚିବୁକକୁ ହଲାଇ ଦିଅନ୍ତି । ନିଜ ଆଡ଼କୁ ଆଉଜାଇ ଆଣି ଅମୂଲ୍ୟ ସମ୍ପଦ ଚୋରିକଲା ପରି ଚାରିଆଡ଼କୁ ଚାହିଁ ମୋ ଗାଲରେ ଗେଲ କରି ଦିଅନ୍ତି । ସେମାନଙ୍କର ଏହି ଆଦର ସ୍ନେହ ସେତେବେଳେ ମୋତେ ଖୁବ୍‍ ଭଲ ଲାଗୁଥିଲା ।

 

ଶିଶିରବାବୁ ଗର୍ବ କଲା ପରି କହିଲେ—ସେମାନେ ବଡ଼ ଭାଗ୍ୟବାନ ନଳିନୀ ।

 

ନଳିନୀ ଦୀର୍ଘନିଃଶ୍ୱାସ ଛାଡ଼ି କହିଲା—ସେମାନେ ଭାଗ୍ୟବାନ କି ନୁହନ୍ତି, ମୋର ବୁଝିବାର କିଛି ନଥିଲା । କିନ୍ତୁ ମୋର ନୂଆ ମନରେ ସେ ଆଦର, ପରଶ ଖୁବ୍‍ ଭଲ ଲାଗୁଥିଲା ।

 

ଦିନେ ଦିନେ ସନ୍ଧ୍ୟାବେଳେ କିମ୍ବା ସ୍କୁଲ ଛୁଟିଦିନ ମୁଁ ବୋଉ ସାଙ୍ଗରେ ଦିଅଁଙ୍କ ପାଇଁ ଫୁଲହାର ଧରି ଯାଉଥିଲି ଗୋପୀନାଥଙ୍କ ମନ୍ଦିରକୁ । ସେଠି ମଧ୍ୟ ସେଇକଥା । ଦିଅଁଙ୍କ ଦର୍ଶନ ଲାଗି ଆସିଥିବା ଲୋକଙ୍କ ଭିତରୁ ବୁଢ଼ା ବୁଢ଼ୀଙ୍କ କଥା ଛାଡ଼ିଦେଲେ, ଯୁବକ ଯୁବତୀମାନେ ଦିଅଁଙ୍କୁ ଦର୍ଶନ କଲାବେଳେ ମଧ୍ୟ ମୋରି ଆଡ଼କୁ କଣେଇ କଣେଇ ଚାହୁଁଥିଲେ । ଯୁବକମାନେ, ମୁଁ ନଜାଣିଲା ଭଳି ମୋତେ ବାଁରେଇ ହୋଇ ଦେଖିବାରେ କେତେ ଫିକର କରୁଥିଲେ । କେତେକ ଯୁବତୀ ଓ ମୋରି ବୟସର ଝିଅମାନେ ବୋଧହୁଏ ମୋ ଅପେକ୍ଷା ତାଙ୍କର ସୁନ୍ଦର ରୂପ ଊଣା ବୋଲି ମନେମନେ ତୁଳନା କରି ଚାହୁଁଥିଲେ ବଲବଲ କରି । ମୁଁ ଏସବୁ ଜାଣି ମନେମନେ ଭାବନାର ଜାଲ ବୁଣୁଥିଲି । ଆନନ୍ଦ ବି ଆସୁଥିଲା ମନରେ ମୁଁ ସମସ୍ତିଙ୍କ ଅପେକ୍ଷା କେଡ଼େ ସୁନ୍ଦର ସତେ !

 

ସେଦିନ ଦିଅଁଙ୍କ ଆଳତି ସରିଲା । ଯୁବକ ପୂଝାରି କର୍ପୂର ଆଳତି ଧରି ଦର୍ଶକମାନଙ୍କ ପାଖକୁ ଆସିଲାବେଳେ ତାଙ୍କର ଆଖି ଦୁଇଟି ମୋରି ଉପରେ ଲାଖି ରହିଥିଲା । ସମସ୍ତଙ୍କ ପରି ମୋ ହାତକୁ ପାଦୁକ ଦେଲାବେଳେ ହସି ହସି ପଚାରିଥିଲେ—ଆଜି ଏ ଗଜରା ଫୁଲ କିଏ ଗୁନ୍ଥିଛି-? ବୋଉ ପାଖରେ ଥିଲେ ବି, ମୁଁ ସଙ୍କୋଚ ଛାଡ଼ି କହିଲି କ’ଣ ହୋଇଛି କି ନନା ! କ’ଣ ଖରାପ ହୋଇଛି ?

 

ସେ ହସି ହସି କହିଲେ, ଖରାପ କଥା କହିଲି ? ଆଜି ଏ ଗଜରା ଫୁଲମାଳ ଏଡ଼େ ସୁନ୍ଦର ହୋଇଛି ଯେ ସତେ ଯେପରି ଗୋପୀନାଥ ଆଜି ହସି ଉଠୁଛନ୍ତି । ଦିଅଁ ତୋ ଉପରେ ଆଜି କେତେ ସନ୍ତୁଷ୍ଟ ହୋଇନଥିବେ ।

 

ମୁଁ ଆନନ୍ଦରେ ଆତ୍ମହରା ହୋଇ ଦିଅଁଙ୍କ ଆଡ଼କୁ ଚାହିଁଲି । ସତରେ କ’ଣ ଗୋପୀନାଥ ମୋ ଫୁଲମାଳ ନାଇ ଆଜି ହସୁଚନ୍ତି ! କିଛିକ୍ଷଣ ମୁଁ ତାଙ୍କରିଆଡ଼େ ଅପଲକ ନେତ୍ରରେ ଚାହିଁ ରହି ଅବାକ ହେଲି । କାହିଁକି କେଜାଣି ଫୁଲର ମହକ ପରି ଅନ୍ତର ମୋର ମହକି ଉଠିଲା । ପୂଝାରିଙ୍କ କଥା ମିଛ ହେବ କାହିଁକି, ସତରେ ଆଜି ଗୋପୀନାଥଙ୍କ ଅଧରରେ ଉଚ୍ଛୁଳା ହସର ରେଖା ଯେପରି ଫୁଟି ଉଠୁଛି । ସେତିକ ନୁହେଁ, ସେ ଯେପରି ମୋରି ଆଡ଼କୁ ବି ଅନାଇ ରହିଛନ୍ତି । ଆନନ୍ଦରେ ଛାତି ମୋର ଫୁଲିଉଠେ । ମନେମନେ ଭାବେ ଅନ୍ୟ ଯୁବକଙ୍କ ପରି ଗୋପୀନାଥ ମଧ୍ୟ ମୋ ରୂପ ଦେଖିବାକୁ ଚାହୁଁଞ୍ଚନ୍ତି ନା କ’ଣ ! ତାଙ୍କରି ବାମ କରରେ ତ ଚିନ୍ମୟୀ ରାଧା ହସ୍ତରେ ତାମ୍ୱୁଳ ଧରି ଠିଆ ହୋଇଛନ୍ତି ! ଖୁସି ମନରେ ମୁହଁ ଫେରାଏ ଦର୍ଶକମାନଙ୍କ ଆଡ଼କୁ ।

 

ସେଦିନ ଦର୍ଶନସାରି ଫେରିଲାବେଳକୁ ଆର ଗାଁର କେଉଁ ବାବୁ, ମୁଁ ଚିହ୍ନିନାହିଁ ଆଦୌ-। ବୟସ ତାଙ୍କୁ ସତୁରି ଟପିଲାଣି, ଆଖିକୁ ଭଲକରି ଦିଶୁନାହିଁ । ସାଙ୍ଗରେ ତାଙ୍କର ସ୍ତ୍ରୀ ଆଉ ଷୋଳ ବରଷର ନାତୁଣୀ, ଆମରି କର ଦେଇ ଯାଉ ଯାଉ ପୂଝାରିକୁ ପଚାରିଲେ—ଏ କାହା ଝିଅ କି-?

 

ପୂଝାରି ଖୁସି ମନରେ ଉତ୍ତରଦେଲା—ଏ ଆମ ଠାକୁରଙ୍କ ମାଳି ଜଗବନ୍ଧୁଙ୍କ ଝିଅ ।

 

ବୁଢ଼ାବାବୁଟି ଖୁସିରେ ମୋ ମୁଣ୍ଡରେ ହାତ ବୁଲାଇ କହିଲେ—ବେଶ୍‍ ଜଗବନ୍ଧୁକୁ ମୁଁ ଭଲକରି ଚିହ୍ନିଛି । ଝିଅଟି ଠିକ୍‍ ଲକ୍ଷ୍ମୀ ପ୍ରତିମା । ମାଳିମାନେ ବି ସ୍ୱର୍ଗର ଗନ୍ଧର୍ବ ଅଂଶରେ ଜନ୍ମ । ଅଭିଶାପ ପାଇ କେଉଁ ଗନ୍ଧର୍ବି କନ୍ୟା ଜଗବନ୍ଧୁ ଘରେ ଜନ୍ମ ହୋଇଛି.....

ବୁଢ଼ାବାବୁ ମୋତେ ଆଶୀର୍ବାଦ କରି ଚାଲିବାକୁ ଲାଗିଲେ । ତାଙ୍କ ସାଙ୍ଗରେ ଥିବା ଷୋଳ ବରଷର ଝିଅଟି ମୋରି ରୂପର ପ୍ରଶଂସାରେ ଯେପରି ମନେମନେ ହତାଶ ହୋଇପଡ଼ୁଥିଲା-

ଆଳତି ଇତ୍ୟାଦି ଶେଷ ହେଲାରୁ ବୋଉ କହିଲା—ଯାଉଛୁ ନନା, ଘରେ କେତେ କାମ-। କାଲି ପୂର୍ଣ୍ଣିମା ପରା, ଦିଅଁଙ୍କର ବେଶି ଫୁଲ ଦରକାର ହେବ ।

ନନା ମୋରି ଆଡ଼କୁ ସତୃଷ୍ଣ ନୟନରେ ଚାହିଁ ରହି କହିଲେ—ସଞ୍ଜବେଳ । ଜହ୍ନ ପଡ଼ିଛି, ଗାଁ ମୁଣ୍ଡରେ ତ ଘର । ତର ତର କାହିଁକି ? ଆଉ ଟିକିଏ ଅପେକ୍ଷା କର । ଝିଅ ସଙ୍ଗରେ ଆସିଛି, ଭୋଗ ନନେଇ ଯିବ ? ମୁଁ ତ ଯାଉଛି ଭୋଗ କରିବାକୁ ।

ନନା ଭୋଗ କରିବାକୁ ଚାଲିଗଲେ, ମୁଁ ଦେଉଳ ଭିତରେ ଥିବା, କାଳୀୟଦଳନ, ଦଶଅବତାର ପ୍ରଭୃତି ଛବିଗୁଡ଼ିକ ଦେଖୁଥାଏ ।

ଅଳ୍ପସମୟ ପରେ ଠାକୁରଙ୍କ ଦରଜା ଫିଟିଲା । ମୋତେ ଲାଗୁଥାଏ, ସେଦିନ ଯେପରି ନନା ମୋତେ ଭୋଗ ଦେବାପାଇଁ ଠାକୁରଙ୍କ ପାଖରେ ପୂଜାପାଠ ଅଳପ ସମୟ ଭିତରେ ଶେଷକରି ଦେଇଛନ୍ତି ।

ଦିଅଁଙ୍କ ପିତଳ ଥାଳିଟିରେ ଉଖୁଡ଼ା, କାକରା, ଜିଲାପି, କଦଳୀ, ମଗଜଲଡ଼ୁ ପୂରି ରହିଛି-। ସେ ବୋଉ ହାତକୁ ବାଢ଼ିଇଦେଇ କହିଲେ—ତମ ଝିଅର ଗଜରାହାର ନାଇ ଦିଅଁ ଆଜି ଭାରି ଖୁସି, ତାଙ୍କ ଭୋଗସବୁ ନେଇ ଯାଅ । କାଲି ସକାଳେ ଥାଳି ପଠାଇଦେବ ।

ବୋଉ ଚମକିଲାପରି ହୋଇ କହିଲା—ସବୁ କାହିଁକି ଦେଲ ? ରଖିଲ ନାହିଁ ।

ନନା ହସି ହସି କହିଲେ—ମୁଁ ତ ସବୁଦିନେ ରଖୁଛି, ଝିଅ ଆଜି ଆସିଛି; ନେଇଯାଅ । ଠାକୁରେ ତାକୁ ଆଜି ତାଙ୍କର ନିଜ ପ୍ରସାଦ ପୁରସ୍କାର ଦେଇଛନ୍ତି ।

ବୋଉ ମୁହଁ ବୁଲାଇଲା ଆସିବାକୁ । ନନାଙ୍କର ସ୍ନେହଶ୍ରଦ୍ଧାରେ ତାଙ୍କରି ଆଡ଼କୁ ମନ ମୋର ଢଳି ପଡ଼ିଥିଲା—ଚାହିଁବାକୁ ଇଚ୍ଛା ହେଉଥିଲା ଥରକୁ ଥର । ମୁଁ ବୋଉ ପଛରେ ଚାଲିବା ଆଗରୁ ଲାଜ ଲାଜ ହୋଇ କହିଲି—ଯାଉଛି ନାନା !

ସେ କେଡ଼େ ଆଦରରେ ମୋର ଓଠଟିକୁ ହଲାଇଦେଇ କହିଲେ—ଯା, କାଲି ନିଶ୍ଚୟ ବୋଉ ସଙ୍ଗରେ ଆସିବୁ । କାଲି ପୂର୍ଣ୍ଣିମା, ଠାକୁର ସୁନାବେଶ ହେବେ, ତା’ ସାଙ୍ଗକୁ ତୋ ହାତର ଗଜରା ଫୁଲମାଳ ପିନ୍ଧିଲେ ତାଙ୍କର ଆନନ୍ଦର ଆଉ ସୀମା ରହିବ ନାହିଁ । ସ୍ୱର୍ଗର ପାରିଜାତ ବି ହେବ ତୋର ଫୁଲମାଳ ତୁଳନାରେ ଅତି ତୁଚ୍ଛ ।

ମୁରୁକି ହସୁ ହସୁ ବୋଉ ସଙ୍ଗରେ ଫେରିଆସିଲି ଘରକୁ । ମନ ମୋର ଗୋଳେଇ ଘାଣ୍ଟି ହେଉଥାଏ—ଏ ନନାଟି କେଡ଼େ ଭଲ ମଣିଷ । ରୂପ ଯେମିତି, ଗୁଣ ବି ସେମିତି ।

 

ଦିନପରେ ଦିନ ଗଡ଼ିଲା । ତା’ ସଙ୍ଗେ ସଙ୍ଗେ ମୋ ରୂପ ବି ହେଲା ଦିନୁ ଦିନୁ ସୁନ୍ଦର । ମାଳିଘର ଝିଅ ମୁଁ ! ବନ୍ଧୁବାନ୍ଧବ ସ୍କୁଲକୁ ଯିବାକୁ ଆଉ ପସନ୍ଦ କଲେ ନାହିଁ । ମୁଁ ବି ନିଜେ ଅନୁଭବ କଲି, ସ୍କୁଲ କ’ଣ, ବାଟ ଘାଟରେ କ’ଣ ଯେପରି ସମସ୍ତଙ୍କ ଆଖି ମୋରି ଉପରେ । ସେସବୁ ଆଖିର ଚାହାଣିରେ ମୁଁ ନିଜେ ଯେପରି ଜାଲରେ ଛନ୍ଦି ହେଲାପରି ବୋଧ କଲି । ପଢ଼ିବାକୁ ବି ଆଉ ଇଚ୍ଛା ହେଲା ନାହିଁ । ଘରେ ରହି, ଫୁଲ ଗୁନ୍ଥା, ଘରକାମ, ପୋଥିପୁରାଣ ପଢ଼ାରେ ମନ ଦେଲି ।

 

ଶିଶିରବାବୁ ମନ୍ତ୍ରମୁଗ୍ଧ ପରି ନଳିନୀ ଜୀବନର କିଶୋରୀବେଳ କାହାଣୀ ଶୁଣୁଥିଲେ । ନଳିନୀ କଥା ବନ୍ଦ କଲାରୁ ସେ ସ୍ୱପ୍ନରାଇଜରୁ ଫେରି ଆସିଲାପରି ଦୁଃଖକରି କହିଲେ—ତୁମେ ବନ୍ଦ ହେଲ କାହିଁକି ନଳିନୀ ! ଆରବ୍ୟ କାହାଣୀପରି ଏହା ମୋ ପକ୍ଷରେ ଅତି ମଧୁର । ସହସ୍ର ରଜନୀ ତୁମେ ଏହିପରି କହୁଥିଲେ ବି ମୁଁ ଟିକିଏ କ୍ଳାନ୍ତିବୋଧ କରିବି ନାହିଁ । ମୁଁ ଏତେବେଳ ଯାଏ କଳ୍ପନା ଚକ୍ଷୁରେ ତୁମର କିଶୋରୀବେଳର ରୂପକୁ ନେଇ ଆନନ୍ଦରେ ବିଭୋର ହୋଇ ରହିଥିଲି ।

 

ନଳିନୀ ଶିଶିରବାବୁଙ୍କୁ ଆକଟିଲା ଭଙ୍ଗୀରେ କହିଲା—ଆପଣତ ସବୁବେଳେ ମୋରି ରୂପର ପ୍ରଶଂସା କରୁଛନ୍ତି । ସେ ରୂପର କେଉଁ ମୂଲ୍ୟ ବା ରହିଲା । ବଣମଲ୍ଲୀ ବଣରେ ଫୁଟି ଅଲୋଡ଼ା ଅଖୋଜା ଭାବରେ ସକାଳକୁ ମଉଳି ଗଲାପରି, କାହାର ଅଭିଶାପରେ ମୋର ସେ ରୂପ ଯୌବନ ଆପେ ଆପେ ପୋଡ଼ି ପାଉଁଶ ହୋଇଗଲା । ଛାଡ଼ନ୍ତୁ ସେ କଥା ଡାକ୍ତରବାବୁ ! ଘଣ୍ଟାକୁ ଚାହିଁଲେ ! ଆଉ କେତେବେଳ ଯାଏ ଅନିଦ୍ରା ରହିବେ ! ଶୋଇପଡ଼ନ୍ତୁ ଏଥର ! ମୁଁ ଯାଏ.....

 

ଶିଶିରବାବୁ ହସ ହସ ହୋଇ କହିଲେ—ତା’ ଆଜି ହୋଇପାରିବ ନାହିଁ ନଳିନୀ ! ତୁମେ କଥା ଆରମ୍ଭ କଲାବେଳୁ ମୋ ଆଖିରୁ ନିଦ କୁଆଡ଼େ ଉଭେଇ ଗଲାଣି । ବଣମଲ୍ଲୀପରି ତୁମର ରୂପ ଯୌବନ ଅକାଳରେ ନଷ୍ଟ ହୋଇଗଲା ବୋଲି ତୁମେ କ’ଣ ନିଜକୁ ହେୟ ମନେକରୁଛ-?

 

ସଞ୍ଜ ପହରର ବଣମଲ୍ଲୀ ଘଡ଼ିକ ପାଇଁ ନିଜର ସୌରଭରେ କେତେ ଲୋକଙ୍କୁ ବା ମୁଗ୍ଧ ନ କରେ ! ସେଇତ ତା’ ଜୀବନର ପରମ ସାର୍ଥକତା । ସକାଳକୁ ଝଡ଼ି ଭୂଇଁରେ ଲୋଟିଗଲେ ବି ତା’ର ମନରେ ଶୋଚନା ନ ଥାଏ । ସେହିଭଳି ତୁମ ରୂପର ଜ୍ୟୋତିରେ ଯେଉଁମାନେ ମୁଗ୍ଧ ହୋଇଛନ୍ତି, ଯେଉଁମାନେ ତୁମକୁ କେନ୍ଦ୍ରକରି ଆଶାର ସାତ ମହଲା ସପନପୁରୀ ଗଢ଼ି ତା’ ଭିତର ପୁଷ୍ପ ସିଂହାସନରେ ତୁମକୁ ରତ୍ନ ମୁକୁଟ ପିନ୍ଧାଇ ବସାଇଛନ୍ତି, ସେମାନଙ୍କ ପାଖରେ ତୁମେ କେଡ଼େ ସମ୍ମାନର ଅଧିକାରିଣୀ । ଏସବୁ କ’ଣ ତୁମ ପକ୍ଷରେ ଗୌରବର କଥା ନୁହେଁ ? କୁହ ନଳିନୀ, ତା’ପରେ...

 

ନଳିନୀ ଅଭିମାନ ଭଙ୍ଗୀରେ କହିଲା—ମୁଁ ଯେତେ ପ୍ରଶଂସା ପାଇବାର ଯୋଗ୍ୟ ନୁହେଁ ତା’ ଅପେକ୍ଷା ବେଶି ପ୍ରଶଂସା କରିବାଦ୍ଵାରା ମୋ ଭିତର ସବୁ ଗୋଳମାଳ ହୋଇଯାଉଛି । ଶୁଣନ୍ତୁ ତେବେ । ମାସ ପରେ ମାସ ବିତିଲା । ମୋ ଅଜାଣତରେ ସରାଗ ରାଇଜର କେଉଁ ଦୁଷ୍ଟ ତରୁଣ ଯାଦୁକରର କାଉଁରି କାଠି ପରଶରେ, ମୋ ଦିହ ମନରେ ହେଲା କେତେ ପରିବର୍ତ୍ତନ । ଏଣିକି ଚାନ୍ଦିନୀରାତି, ନିଛାଟିଆ ଖରାବେଳ, ଶ୍ରାବଣର ଘନ ଅନ୍ଧାର ରାତ୍ରି, ବସନ୍ତର ସୁବାସଭରା ଖିଲ୍ ଖିଲ୍ ପବନ, ମୋ ଅନ୍ତରରେ କେତେ ସୁନେଲି କଳ୍ପନା ଖୁନ୍ଦି ଦେଇଗଲା ।

 

ଶିଶିରବାବୁ ଭାବବିହ୍ୱଳ ହୋଇ କହିଲେ—ତା’ପରେ...

 

ନଳିନୀ ହସିଦେଇ କହିଲା—କେଉଁ କଥା ପାଇଁ ଏଡ଼େ ଆଗ୍ରହ ? ଏଣିକି କେଉଁ କାମରେ ଆଦୌ ମନ ଲାଗିଲା ନାହିଁ । ନିରୋଳାରେ ବସି ଏଣୁତେଣୁ ଭାବିବାରେ ଥିଲା ଭାରି ଆନନ୍ଦ । କାହାଣୀ ରାଇଜର ରଜାପୁଅ ଯେପରି ରଜାଝିଅକୁ ପକ୍ଷୀରାଜ ଘୋଡ଼ାରେ ବସାଇ ରାତି ରାତି କୁଆଡ଼େ ଅନ୍ତର୍ଦ୍ଧାନ ହେବାକଥା ମନେପକାଇ ଭାରି ଆନନ୍ଦ ଲାଗୁଥିଲା । କାହିଁକି କେଜାଣି ମନ ବି ହେଉଥିଲା ଭାରି ଛନ ଛନ । ନିରୋଳାରେ ଶୋଇ ନିଜକୁ ହଜାଇ ମନେମନେ ଭାବୁଥିଲି–ସେ କାଳର ପକ୍ଷୀରାଜ ଘୋଡ଼ା କ’ଣ ଏକାଳକୁ ଆଉ ନାହାନ୍ତି ! ମୁଁ ଆମ ଫୁଲ ବଗିଚାରେ ବୁଲୁବୁଲୁ ଯଦି କେଉଁ ମନ୍ତ୍ରୀପୁଅ ଗଛ ଆଢ଼ୁଆଳରୁ ହଠାତ୍‍ ବାହାରିପଡ଼ି ମୋତେ ଘୋଡ଼ାରେ ବସାଇ ନେଇ ଚମ୍ପଟ ଦିଅନ୍ତା, ତେବେ ହୁଅନ୍ତା କ’ଣ ?

 

ଘରଦ୍ଵାର ଛାଡ଼ିବା ଯୋଗୁ କ୍ଷଣକାଳ ମନ ସ୍ଥିର ହୋଇ ଗଲେବି ପରମୁହୂର୍ତ୍ତରେ ମନ ଆନନ୍ଦରେ କୁରୁଳି ଉଠେ । ଘୋଡ଼ା ଛୁଟିଥିବ ପବନ ବେଗରେ । କେତେ ନଈ ନାଳ, ପାହାଡ଼ ପାରିହେବା ପରେ ସେ ଏକ ଖିଆଲରେ ଚାହିଁବ ପଛକୁ । ମନରେ କେଡ଼େ ଆଗ୍ରହ, ସେ ଯାହା କୋଳରେ ବସି ପକ୍ଷୀରାଜ ଘୋଡ଼ାରେ ଉଡ଼ି ଚାଲିଛି—ତାଙ୍କର ରୂପ କେମିତି ? ବୟସ କେତେ ?

 

ପଛକୁ ଚାହିଁଦେଇ ସେ ହେବ ଆତ୍ମହରା । ଦେବକୁମାର ପରି ମନଲୋଭା ରୂପ । ବୟସ ଏକୋଇଶ ବାଇଶ ଭିତରେ । ମୋ ଚାହିଁବା ଭିତରେ ଚାରୋଟି ଚୁମ୍ବକଦିଆ ଚକ୍ଷୁ ପରସ୍ପରକୁ ଚାହିଁ ରହିବ ଅନେକକ୍ଷଣ । ତାଙ୍କର ସ୍ଵପ୍ନଜାଲବୁଣା ଚାହାଣିରେ ମୋ ଅଧରରେ ହସ ମଣ୍ଡିହୋଇ ଆଖି ଆପେ ଆପେ ତଳକୁ ନଇଁ ଆସିବ । ସୁଲୁ ସୁଲୁ ମଳୟ ପବନ ଠେଲି ପକ୍ଷୀରାଜ ଘୋଡ଼ା ଛୁଟିଥିବ ଆଗକୁ । ସେ ପ୍ରଥମ କରି କଥାରେ ଅମୃତ ଭରି ନିଜର ବକ୍ଷ ଉପରକୁ ତାକୁ ଆଉଜାଇ ମୃଦୁ ହସି କହିବେ—ଏତେ ବେଳକେ ମୋତେ ଦେଖିଲ—ନଳିନୀ ! ତୁମ ରୂପ ତୁଳନାରେ ମୋର ବା କି ରୂପ ! ମୋତେ ପାଇ ତୁମେ ଧନ୍ୟା ହୋଇନାହଁ ଯେ ମୁଁ ତୁମକୁ ପାଇ ଧନ୍ୟ ହୋଇଛି-। ମୋତେ ଯଦି ସ୍ଵର୍ଗର ଇନ୍ଦ୍ରପୁରୀ କିଏ ଦାନ କରନ୍ତା, ତାହାହେଲେ ମୁଁ ଯେତେ ଖୁସି ହୁଅନ୍ତି, ତାହା ଅପେକ୍ଷା ମୁଁ ସହସ୍ରଗୁଣରେ ଖୁସି ହୋଇଛି ତୁମକୁ ପାଇ ।

 

ଆନନ୍ଦ ଆଉ ଗର୍ବରେ ତାଙ୍କର ପୁଷ୍ପ କୋମଳ ଛାତିକୁ ଆଉଜି ରହି ମୁଁ କହିବି, ମୋ ରୂପ ତୁମ ଗୋଡ଼ର କାଣି ଆଙ୍ଗୁଠି ସହିତ ବି ତୁଳନା ହେବ ନାହିଁ । ତୁମକୁ ପାଇ ମୋର ଇହକାଳ ପରକାଳ ସାର୍ଥକ ହୋଇଛି । ସେ ମାନସ କୁମାର ସୋହାଗରେ ମୋର ଚିବୁକକୁ ହଲାଇଦେଇ କହିବେ—ମୋର ବି ।

 

ଘୋଡ଼ା ଛୁଟିଥିବ ବଉଦ କାଟି କାଟି ଆଗକୁ । ଅପୂର୍ବ ଆରାମରେ ଆଖି ମୋର ବୁଜି ହୋଇ ଆସୁଥିବ । ମନ ଚାହୁଁଥିବ ଇମିତି ଯଦି ତାଙ୍କ କୋଳରେ ଆଉଜି ରହନ୍ତି ଅନନ୍ତକାଳ ଯାଏ...-!

 

ନଳିନୀର ଅନ୍ତର ଚହଲା କଥାରେ, ଶିଶିରବାବୁଙ୍କ ଛାତି ଉଠୁଥିଲା ପଡ଼ୁଥିଲା । ମନ ଉଡ଼ୁଥିଲା ଠିକ୍‍ ପକ୍ଷୀରାଜ ଘୋଡ଼ା ପାରି । ସେ ନଳିନୀ କଥା ଉପରେ କଥା ମଡ଼ାଇ କହିଲେ—ଟିକେ ରହ ନଳିନୀ ! ତୁମର ଘୋଡ଼ା ଅନନ୍ତ କାଳ ଯାଏ ଛୁଟିଥିଲେ ତୁମେ ଯେତିକି ଆନନ୍ଦ ପାଇଥାନ୍ତ, ତା’ ଅପେକ୍ଷା ବେଶି ଆନନ୍ଦ ପାଇବାକଥା ମୁଁ କହୁଛି, ଶୁଣ—

 

ତୁମ ପକ୍ଷୀରାଜ ଘୋଡ଼ା ଇମିତି କେତେ ନଈ, କେତେ ପାହାଡ଼ ଟପି ଛୁଟିଲା ପରେ, ତା’ର ପକ୍ଷ ହାଲିଆ ହୋଇଯିବ । ସେ ଅଟକିବ ସମୁଦ୍ର ଭିତରେ ଗୋଟିଏ ଛୋଟଆ ଦ୍ୱୀପରେ । ସେ ଦ୍ୱୀପ ଖାଲି ଫୁଲର ଦ୍ୱୀପ । ବାସନାରେ ଚାରିଆଡ଼େ ମହକି ଉଠୁଥିବ । ଅସଂଖ୍ୟ ନୀଳ ନାଲି ହଳଦି ରଙ୍ଗର ପ୍ରଜାପତି ଘୂରି ବୁଲୁଥିବେ । ଦ୍ୱୀପ ମଝିରେ ଥିବ ସୁନ୍ଦର ଏକ ମହଲା ନଅରଟିଏ । ଘୋଡ଼ା ସେଇଟି ଅଟକିଲାକ୍ଷଣି, ତୁମ ଦୁହିଁଙ୍କୁ କେତେଗୁଡ଼ିଏ ଯୁବତୀ କନ୍ୟା ସୁବର୍ଣ୍ଣ ଥାଳିରେ ଦୀପ, ଫୁଲମାଳ ଦେଇ ପାଛୋଟି ନେବେ । ନଅର ଭିତରେ ଗୋଟିକ ପରେ ଗୋଟିଏ ଦରଜା ପାର କରାଇ ତୁମ ଦୁହିଁଙ୍କୁ ପହଞ୍ଚାଇବେ ସପ୍ତଦ୍ଵାରକୁ ଲାଗିରହିଥିବା ଗୋଟିଏ ସୁନ୍ଦର ଶଙ୍ଖମଲମଲ କୋଠରୀରେ । କୋଠରୀ ମଝିରେ ଗଜଦନ୍ତ ପଲଙ୍କ-ପଲଙ୍କରେ କୋମଳ ଶଯ୍ୟା । ସାରା କୋଠରୀଟି କେତେ ଜାତିର ଫୁଲରେ ସଜା ହୋଇଥିବ । ଅଗରୁ ଚନ୍ଦନ, ଆଉ ଅଗର ବତୀର ମହାକରେ ମନରେ ଆଣୁଥିବ ଅପୂର୍ବ ଉଲ୍ଲାସ । ଯୁବତୀଗୁଡ଼ିକ ଖିଲି ଖିଲି ହସି ତୁମ ଦୁହିଁଙ୍କୁ ପଲଙ୍କ ଉପରେ ବସାଇ ଦେବେ, ଖାଇବାକୁ ଦେବେ ଆଣି ଭୋଗ୍ୟ ଖାଦ୍ୟ । ତା’ପରେ ଦୁଇ ଜଣକ ହାତରେ ଦୁଇଟି ଅମୃତ ଫଳ ଧରାଇଦେଇ କହିବେ—ଜୀବନକୁ ଉପଭୋଗ କରିବା ପାଇଁ ତୁମେ ଦୁହେଁ ପରା ପାଗଳ ? ଏ ଫଳ ଦୁଇଟିକୁ ଖାଇଦିଅ । ଦେଖିବ ଏ ଫଳର ଗୁଣ କେଡ଼େ ଚମତ୍କାର । ତା’ପରେ ସେମାନେ ଦୁଷ୍ଟାମୀ ହସ ହସି କବାଟ ଆଉଜାଇ ବାହାରି ଯିବେ ସେ କୋଠରୀରୁ । ଶିଶିରବାବୁ ଗୋଟିଏ ଦୀର୍ଘନିଶ୍ଵାସ ପକାଇ ଚୁପ୍‍ ହୋଇଗଲେ ।

 

ନଳିନୀ ତନ୍ମୟ ହୋଇ ଶିଶିରବାବୁଙ୍କ ମୁହଁରୁ, ସେ ଭାବିଥିବା ସୁନେଲି କଳ୍ପନାର ଶେଷକଥା ଶୁଣିସାରି ଉଦାର ଗଳାରେ ଉତ୍ତରଦେଲା, ଯେତେହେଲେ ବି ମୁଁ ନାରୀ, ଏକଥା ଆପଣଙ୍କ ଆଗରେ କହିବାକୁ କ’ଣ ମୋ ଜିଭ ଲେଉଟି ଥାନ୍ତା ? ଆପଣ ମୋ ମନକଥା ଜାଣିଲା ପରି ଠିକ୍‍ କହିଛନ୍ତି ଡାକ୍ତରବାବୁ । ମୁଁ କାହିଁକି, ମୋରି ବୟସର ଝିଅମାନେ କ’ଣ ଇମିତି ଭାବୁନଥିବେ....

 

କାନ୍ଥ ଘଡ଼ିରେ ବାଜିଲା—ତିନି ।

 

ନଳିନୀ ଠିଆହୋଇ ପଡ଼ି, କଣ୍ଠରେ ବ୍ୟଗ୍ରତା ପ୍ରକାଶକରି କହିଲା—ଯାଉଛି ଡାକ୍ତରବାବୁ-! ଆଉ ଘଣ୍ଟାକ ପରେ ଯେ ରାତି ପାହିଯିବି । ଆପଣ ଆଉ ଶୋଇବେ କେତେବେଳେ-? ଆପଣଙ୍କ ସ୍ତ୍ରୀ ଯଦି ଏଠାରେ ଥାନ୍ତେ, ସେ କ’ଣ ଆପଣଙ୍କୁ ଏତେ ରାତିଯାଏ ଅନିଦ୍ରା ହେବାକୁ ଦେଇଥାନ୍ତେ-। ଆପଣ ମୋତେ ସ୍ନେହ କରନ୍ତି ପରା ? ମୋର କଥା ମାନି ଶୋଇପଡ଼ନ୍ତୁ-!

 

ଶିଶିରବାବୁ କହି ଉଠିଲେ—ତୁମେ ପୁଣି ବିଶ୍ରାମ ନେବ କେଉଁଠି ? ଯେଉଁଠୁ ତୁମ ଜୀବନର ଅସଲ କାହାଣୀ ଆରମ୍ଭ ହେବ, ସେଉଠୁ ଅଧାକରି ଚାଲିଯିବ ? କୁହ ନଳିନୀ, ମୁଁ ଆଦୌ କ୍ଳାନ୍ତିବୋଧ କରୁନାହିଁ ।

 

ନଳିନୀ ନିଜକୁ ତୁଚ୍ଛ ମନେକରି କହିଲା—ଗୋଟାଏ ଛାଇର ବା ବିଶ୍ରାମ କ’ଣ ! ତା’ର କେଉଁ ଉପାଦାନ ବିଶ୍ରାମ ନେବ ? ଆପଣ କ’ଣ ଜାଣି ନାହାନ୍ତି ଡାକ୍ତରବାବୁ, ମୋର ଆଉ କ’ଣ ଅଛି ! ନଳିନୀର ଆଖିପତା ଓଦା ହୋଇଆସିଲା । ଟିକିଏ ନୀରବ ରହି କହିଲା, ଆପଣଙ୍କର କିନ୍ତୁ ବିଶ୍ରାମ ଲୋଡ଼ା । ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ । ପୁଣି ଦିନେ ଆସି ମୋ ଜୀବନର ନିଉଁଛୁଣା କାହାଣୀ କହିବି ଯେ ! ଶୋଇପଡ଼ନ୍ତୁ ।

 

ଶିଶିରବାବୁ ନଳିନୀର ସୁନ୍ଦର ମୁହଁଟିକୁ ସତୃଷ୍ଣ ନୟନରେ ଚାହିଁ ରହି କହିଲେ—ଭଗବାନ ମଣିଷକୁ ଯଦି ଖୁସିରେ କିଛି ଦାନ କରିଥାନ୍ତି, ତାହା ହେଉଛି ଯୌବନ । ସେହି ପବିତ୍ର ଯୌବନକୁ ଯଦି ଯୁବକ ଯୁବତୀ ହସ ଖୁସିରେ ଉପଭୋଗ କରିପାରନ୍ତି ତାହାହେଲେ ସେହି ଉପଭୋଗର ଦିନଗୁଡ଼ିକ ଏକ ମଧୁର ସ୍ମୃତିସ୍ତମ୍ଭ ରୂପେ ରହିବ ଜୀବନର ଶେଷଦିନ ଯାଏ । ବାସି ଗୋଲାପ ପରି ଯୌବନ ଯେତେବେଳେ ମଉଳିବ, ଅନ୍ତରର ପିୟୁଷଭରା ସ୍ଵର୍ଣ୍ଣ-କୁମ୍ଭରୁ ଯେତେବେଳେ ପିୟୁଷ ଶେଷ ହେବ, ସେତେବେଳେ ଜୀବନରେ ଥିବ କେଉଁ ସରସତା ? ତେଣିକି ତେଲ, ଲୁଣର ଜଞ୍ଜାଳ ଭିତରେ ମଣିଷ ଘାଣ୍ଟିଚକଟି ହୋଇ ନାହିଁନଥିବା ଅଶାନ୍ତି ଭୋଗ କରିବ । ଏହି ଅଶାନ୍ତି ଭିତରେ ଯୌବନର ସେହି ସ୍ମୃତିହିଁ ଦୁହିଁଙ୍କୁ ସ୍ନେହ ଶ୍ରଦ୍ଧାରେ ବାନ୍ଧି ରଖିବ ଜୀବନର ଶେଷଦିନ ଯାଏ ।

 

ନଳିନୀ ଗଭୀର ଭାବନାରେ ବୁଡ଼ି ରହିଥିଲା ପରି କହିଲା—ଏହା ଯଦି ସମସ୍ତଙ୍କ ଜୀବନରେ ସମ୍ଭବ ହୁଅନ୍ତା, ତାହାହେଲେ ଏ ସଂସାର ସ୍ଵର୍ଗରେ ପରିଣତ ହୁଅନ୍ତା । ମୁଁ କ’ଣ ତାହା ଇଚ୍ଛା କରିନଥିଲି ଡାକ୍ତରବାବୁ ! କିନ୍ତୁ ମୋ ଜୀବନରେ ହେଲା କ’ଣ ? ମୋର ଆଶାର ସୁନାଘର ଗୋଟାଏ ମୁହୂର୍ତ୍ତରେ ଭାଙ୍ଗି ଚୁରମାର ହୋଇଗଲା । ....ଏଥର ଯା’ନ୍ତୁ ଶୋଇବେ । ନମସ୍କାର !

 

ଶିଶିରବାବୁ ଆଖି ପିଛୁଳାକେ ଟେବୁଲ ପାଖକୁ ଅନାଇଲେ ।

 

ନଳିନୀ ବସିଥିବା ଚେୟାରଟି ଶୂନ୍ୟ । ଟେବୁଲ ଉପରେ ଜଳୁଥିବା ଲ୍ୟାମ୍ପଟିର ଚାରିପାଖରେ ମଶାଣିର ଏକ ବୀଭତ୍ସ ଦୃଶ୍ୟ । ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ କେଡ଼େ ଆଶାବାନ୍ଧି ଆସିଥିବା ଛୋଟ ଛୋଟ ପତଙ୍ଗଗୁଡ଼ିକର ସେଠି ମୃତ୍ୟୁ ଘଟିଛି ଅତି ଶୋଚନୀୟ ଭାବେ ; ଆଉ କେତେକ ପକ୍ଷୀ, ପକ୍ଷ ହରାଇ ମୁମୂର୍ଷୁ ଅବସ୍ଥାରେ ପଡ଼ି ଛଟପଟ ହେଉଛନ୍ତି ।

 

ଶିଶିରବାବୁ ଆଉ ସେ ଦୃଶ୍ୟ ବେଶି ସମୟ ଦେଖିପାରିଲେ ନାହିଁ । ଆଖି ନିଦରେ ମାଡ଼ିମାଡ଼ି ପଡ଼ିଥିଲା । ଲ୍ୟାମ୍ପଟି କମାଇଦେଇ ବିଛଣାରେ ଆସି ପଡ଼ିଗଲେ । ବାହାରେ ଶୁଭୁଛି—ବାଦୁଡ଼ିଗୁଡ଼ାଙ୍କର ଚେଁ ଚାଁ ଫଡ଼୍‍ ଫାଡ଼୍‍ ଶବ୍ଦ ।

 

ପଞ୍ଚମ ରାତ୍ରି

 

ତହିଁ ଆରଦିନ ରାତି ବାରଟା । ଶିଶିରବାବୁଙ୍କର ଗତ ରାତିର ଅନିଦ୍ରା ଯୋଗୁ ଆଖିପତା ବୁଜିହୋଇ ଆସୁଥିଲେ ବି, ସେ ନଳିନୀର ଆଗମନକୁ ଅତି ଆଗ୍ରହରେ ଅପେକ୍ଷା କରୁଥିଲେ । ଘଡ଼ିର ମିନିଟ କଣ୍ଟା ଆଗକୁ ଟିକି ଟିକି ହୋଇ ଚାଲିବା ସଙ୍ଗେ ସଙ୍ଗେ ସେ ହତାଶ ହୋଇ ଭାବୁଥିଲେ—କାହିଁ ନଳିନୀ ! କାଲିତ ଏତେବେଳକୁ ସେ ଆସି ସାରିଲାଣି । କ’ଣ ହେଲା ତା’ ଜୀବନରେ ତେଣିକି । କିଏ ସେ ଭାଗ୍ୟବାନ ଦେବକୁମାର ! ଯାହାର କୋଳରେ ମୁଣ୍ଡରଖି ନଳିନୀ କେତେଦିନ ସ୍ଵର୍ଗସୁଖ ଅନୁଭବ କରିଥିବ । ସେ କଥା ଯେ ଅଧା ରହିଗଲା । କାହିଁ, କେତେବେଳେ ଆଉ ସେ ଆସିବ !!

 

ଶିଶିରବାବୁ ନିଜ ଅଜାଣତରେ ଭାବୁ ଭାବୁ ନିଘୋଡ଼ ନିଦରେ ଶୋଇଗଲେ ।

 

ଡାକ୍ତରବାବୁ ! ଡାକ୍ତରବାବୁ ! ଉଠନ୍ତୁ ଭଲା ଟିକିଏ । …କାହାର କରୁଣ କ୍ରନ୍ଦନ ।

 

ଶିଶିରବାବୁ ନିଦ୍ରା ବିହ୍ଵଳିତ କଣ୍ଠରେ ଉତ୍ତରଦେଲେ—କିଏ !

 

ଉଠନ୍ତୁ ଭଲା ଟିକିଏ ! ଛୁଆ ଦୋ’ଟି ମୋର କାନ୍ଦି କାନ୍ଦି ହାଲିଆ ହେଇଯିବେଣି ! ଆପଣଙ୍କ ଗୋଡ଼ ଧରୁଛି, ମୋ କଥା ଶୁଣନ୍ତୁ ଟିକିଏ । ମୋତେ ବଞ୍ଚାଇ ଦିଅନ୍ତୁ । ଆପଣଙ୍କ ଋଣ ମୁଁ କେବେ ସୁଝିପାରିବି ନାହିଁ । ଆପଣଙ୍କ ପିଲାପିଲିଙ୍କର ଭଗବାନ ମଙ୍ଗଳ କରିବେ ।

 

ନାରୀ କଣ୍ଠର କରୁଣ ନିବେଦନରେ ଶିଶିରବାବୁଙ୍କର ନିଦ ପୂରାପୂରି ଭାଙ୍ଗି ଯାଇଥିଲା । ସେ ମନେମନେ ଚିନ୍ତା କରୁଥିଲେ, ବାହାରେ ନିଶ୍ଚୟ କିଏ ଜଣେ ନାରୀ ମହାବିପଦରେ ପଡ଼ି ଡାକୁଛି । ଏତେ ରାତିରେ କ’ଣ ବା ସେ କରିବ ! ଔଷଧପତ୍ର ଯାଇଁ ଡାକ୍ତରଖାନାରେ । ସକାଳ ନ ହେଲେ ଉପାୟ କ’ଣ ।

 

ସେ ଖଟ ଉପରେ ବସି ଲ୍ୟାମ୍ପ ତେଜି ବାହାରକୁ ଯିବାକୁ ମନସ୍ଥ କରିଛନ୍ତି । ପୁଣି ସେହି କରୁଣ ନିବେଦନ । ମୋତେ ବଞ୍ଚାଇ ଦିଅନ୍ତୁ ଡାକ୍ତରବାବୁ ! ଛୁଆ ଦୋ’ଟି ମୋର ଅନାଥ ହୋଇଯିବେ ।

 

ଶିଶିରବାବୁ ନିଜ କୋଠରୀ ଭିତରେ ସେ ଶବ୍ଦ ଶୁଭୁଥିବା ଜାଣି, ଲ୍ୟାମ୍ପ ପାଖକୁ ଚାହିଁ ଚମକି ପଡ଼ିଲେ ! ଏ କିଏ ! ଭୟରେ ତାଙ୍କର ଛାତି ଉଠିଲା ପଡ଼ିଲା । ସେ ନିଶ୍ଚୟ ଏ ବସାକୁ ଛାଡ଼ି ଚାଲିଯିବେ, ଏ ବସା ଭୂତପ୍ରେତଙ୍କ ଆଡ଼ା ପାଲଟି ଯିବ । ସେ ମନେମନେ ଭଗବାନଙ୍କୁ ସ୍ମରଣ କଲେ ।

 

—ଡରୁଛନ୍ତି ଡାକ୍ତରବାବୁ ! ଆପଣ ଭଲଲୋକ ବୋଲି ମନରେ କେଡ଼େ ଭରସା କରି ଦଉଡ଼ି ଆସିଛି ଏଠାକୁ । ଦୟା କରନ୍ତୁ ଡାକ୍ତରବାବୁ !

 

ଶିଶିରବାବୁ ନଳିନୀ ବଦଳରେ ଏ ସ୍ତ୍ରୀଲୋକଟିର ପ୍ରେତାତ୍ମାକୁ ଦେଖି ମନେମନେ ବିରକ୍ତ ହେଉଥିଲେ ବି ପରେ ବାରମ୍ବାର ତା’ର କରୁଣ ନିବେଦନ ଶୁଣି ତାଙ୍କ ଅନ୍ତର ବି ତରଳି ଗଲା । ସେ ତାକୁ ସାନ୍ତ୍ୱନା ଦେଇ କହିଲେକ’ଣ ହୋଇଛି ତୁମର ? ମୁଁ ବା ତୁମର କି ଉପକାର କରିପାରିବି ।

 

ସ୍ତ୍ରୀଲୋକଟି ଆହୁରି କୋହ ଉଠାଇ କହିଲା—ପାରିବେନି ଆପଣ ! ମୁଁ ଯେ କେଡ଼େ ଆଶାବାନ୍ଧି ଦଉଡ଼ି ଆସିଛି । ଛୁଆ ଦୋ’ଟି ମୋର କାନ୍ଦି କାନ୍ଦି ମାଟିରେ ଲୋଟି ପଡ଼ୁଥିବେ । ତାଙ୍କ ପିଠି ଆଉଁସି ଦେଇ ମୁଠାଏ ଖାଇବାକୁ ଦେବାକୁ ଆଉ କିଏ ଅଛି । ମୋତେ ବଞ୍ଚାଇ ଦିଅନ୍ତୁ ଡାକ୍ତରବାବୁ !

 

ଶିଶିରବାବୁ ଅଧରରେ ଟିକିଏ ହତାଶର ଭାବ ଫୁଟାଇ କହିଲେ—ବଞ୍ଚାଇ ଦେବାକି ଆଉ ସମ୍ଭବ ! ଯେଉଁ ଭଗବାନ ଜୀବନ ଦେଇଛନ୍ତି, ସେଇ ଇଚ୍ଛାକଲେ କେବଳ ବଞ୍ଚାଇଦେଇ ପାରିବେ । ତୁମେ ଯେ ମୃତ । ତୁମର ଶରୀର ମାଟି ସହିତ ମିଶି ଗଲାଣି ।

 

ଯୁବତୀଟି ଶିହରି ଉଠିଲା । ସେ ଯେପରି ମରିବାକୁ କେବେ ଇଚ୍ଛା କରି ନଥିଲା । କିଏ ତାକୁ ଜବରଦସ୍ତ ମାରି ଦେଇଛି । ତେଣୁ ସେ ଯେ ମରିଯାଇଛି, ସେ ଧାରଣା ତା’ର ମନକୁ ଏପର୍ଯ୍ୟନ୍ତ ବି ଆସିନାହିଁ ।

 

ଯୁବତୀଟି କ୍ଷଣକାଳ ନିର୍ବାକ୍‍ ହୋଇ ଠିଆହୋଇ କୋହ ଉଠାଇ ରହି ରହି କହିଲା—ତା’ହେଲେ ଆଉ ହେବ କ’ଣ ଡାକ୍ତରବାବୁ ! ମୋ ପିଲା ଦୁଇଟି ଯେ....

 

ଶିଶିରବାବୁ ତା’ର ଦୁଃଖରେ ସମଦୁଃଖୀ ହୋଇ କହିଲେ ଆଉ ହେବ କ’ଣ । ତୁମର ଗୋଟାଏ ଜନ୍ମ ଶେଷ ହୋଇଛି ।

 

ଯୁବତୀଟି କଣ୍ଠରେ ଦୃଢ଼ତା ପ୍ରକାଶ କରି କହିଲା—ନା, ତା’ କେବେ ହେବ ନାହିଁ । ମୁଁ ତ ମୋ ଜନମକୁ ଶେଷ କରିବାକୁ କେବେ ଇଚ୍ଛା କରିନଥିଲି ! ମୋର ପୁଅକୁ ବିବାହ କରାଇଥାନ୍ତି-। ….ତା’ର ସୁଖର ସଂସାର ଦେଖି ମୁଁ ଆତ୍ମହରା ହୋଇଥାନ୍ତି ।

 

ଶିଶିରବାବୁ ଗୋଟାଏ ଦୀର୍ଘଶ୍ଵାସ ଛାଡ଼ି ଉତ୍ତରଦେଲେ, ତୁମର ସେ ଆଶା ମରୀଚିକାରେ ପରିଣତ ହୋଇଛି । ମୁଁ ତ ତୁମର କଥା କିଛି ବୁଝିପାରୁନାହିଁ ! କିଏ କ’ଣ ତୁମକୁ ତୁମର ଅଜାଣତରେ ଦୁନିଆଁରୁ ବିଦାୟ କରି ଦେଇଛି ?

 

ଯୁବତୀଟି କ୍ଷଣକାଳ ନୀରବ ରହି ଅଧୀର ସ୍ଵରରେ କହିଲା—ମୁଁ ନାରୀ ! ଲହୁଣୀ ପରି କୋମଳ ଉପାଦାନରେ ମୋର ହୃଦୟ ଗଢ଼ା । ପୁରୁଷର ଅନ୍ତରରେ ସୁଧା ଧାରା ବୁହାଇବା ହିଁ ନାରୀର ପରମ ସୌଭାଗ୍ୟ । କିନ୍ତୁ ମୋତେ ଯଦି କୌଣସି ଉପାୟରେ ଦିନକ ପାଇଁ ବଞ୍ଚାଇ ଦିଅନ୍ତେ ଡାକ୍ତରବାବୁ, ତାହାହେଲେ ମୁଁ କରୁଣାମୟୀ ନାରୀ ଅନ୍ତର ଘେନି ବି ଗୋଟାଏ ପ୍ରତାରକ, ନୀଚ ପୁରୁଷର କଲିଜାକୁ ଟିକି ଟିକି କରି ଚୋବାଇ ଯିବାକୁ ତିଳେ ହେଲେ କୁଣ୍ଠାବୋଧ କରନ୍ତି ନାହିଁ-

 

ଶିଶିରବାବୁ ପାଗଳୀପରି ହେଉଥିବା ସେହି ଯୁବତୀଟିକୁ ସାନ୍ତ୍ୱନା ଦେଇ କହିଲେଇମିତି ଅଧୀର ହେଲେ ଆଉ ଉପାୟ କ’ଣ ଅଛି ! ତୁମ ଦୁଃଖରେ ମୁଁ ବଡ଼ ଦୁଃଖିତ । ତୁମ ଜୀବନର ଏ ମର୍ମନ୍ତୁଦ କାହାଣୀ ଶୁଣିବାକୁ ମୁଁ ବଡ଼ ବ୍ୟଗ୍ର ହୋଇଉଠିଛି । ଯଦି ସେ ସବୁକଥା ମୋ ଆଗରେ କହିବାକୁ ତୁମର କିଛି ଆପତ୍ତି ନଥାଏ, ତେବେ ନିଃସଂକୋଚରେ କୁହ ?

 

ଯୁବତୀଟି ଅଧର ଥରାଇ ବିକଳ ହୋଇ ଲୁହ ଢାଳୁଥିଲା । ଶିଶିରବାବୁଙ୍କର ଆଶ୍ଵାସନା ବାଣୀ ଶୁଣି ନିଜର ପଣତରେ ନିଜେ ଲୁହ ପୋଛି କହିଲା—ମୁଁ ଏକ ନୁହେଁ; ମୋ’ଭଳି ଅନେକ ଭଉଣୀ ଦେଶସାରା ଆଗଭର ହୋଇ ସେବା କାମରେ ହାତ ଦେଇଛନ୍ତି । ସେମାନଙ୍କୁ ମୋ ଜୀବନର କାହାଣୀ କହି ସାବଧାନ କରି ଦେବାହିଁ ମୋର ଧର୍ମ । ଦେଶରେ ବିରାଡ଼ିବୈଷ୍ଣବ ସାଜି ମିଥ୍ୟା ଅଭିନୟ କରିବା ଲୋକମାନଙ୍କର ଅଭାବ ନାହିଁ । ତାଙ୍କ ପ୍ରତି ସାବଧାନ ନ ହେଲେ ମୋରି ଦଶା ଅନେକଙ୍କୁ ଭୋଗ କରିବାକୁ ପଡ଼ିବ....ଆହା, ମୋ ଜୀବନ ଯାଇଥିଲେ କିଛି ଚିନ୍ତା ନଥିଲା, ମୋରି ନିରୀହ ଛୁଆ ଦୋ’ଟି....

ଶିଶିରବାବୁ ଦୁଃଖରେ ଦୀର୍ଘନିଃଶ୍ୱାସ ଛାଡ଼ି କହିଲେ—ଆଉ ଏପରି ଅଧୀର ହେଲେ କ’ଣ ହେବ ଭଉଣୀ ! ଭଗବାନ ହିଁ ତୁମର ଛୁଆ ଦୋ’ଟିଙ୍କର ଭରସା । ତାଙ୍କରି ଉପରେ ନିର୍ଭର କର । କାଲିପରି ତୁମର ଛୁଆ ଦୋ’ଟି ଦାଣ୍ଡରେ ମଣିଷ ହୋଇ ଠିଆ ହେବେ । କୁହ ଭଉଣୀ ! ସେ ଘୃଣ୍ୟ ଲୋକଟାର କଥା ।

ଯୁବତୀଟି ଆରମ୍ଭ କଲା—ଶୁଣନ୍ତୁ ଡାକ୍ତରବାବୁ ! କେଉଁ ପାପ ଫଳରୁ ମୁଁ ଚବିଶ ବରଷରେ ବିଧବା ହୋଇଥିଲି । ସେତେବେଳକୁ ମୋର ଗୋଟିଏ ପୁଅ, ଗୋଟିଏ ଝିଅ ଜନ୍ମ ହୋଇଥିଲେ । ଜମିବାଡ଼ି ବି ସେମିତି କିଛି ନଥିଲା । ଶାଶୁ ବୁଢ଼ୀଟି ଛଡ଼ା ଘରେ ବି ଆଉ କେହି ନଥିଲେ । ଯାହାହେଉ ଦୁଃଖେ କଷ୍ଟେ ଆମ ଦିନ ସରି ଯାଉଥିଲା ।

ପିଲା ଦୋ’ଟି ଟିକିଏ ବଡ଼ ହେଲାଠୁ ଖର୍ଚ୍ଚ ବି ବଢ଼ିଲା । ତାଙ୍କ ଭବିଷ୍ୟତ କଥା ଭାବି, ସେହି ଚିନ୍ତାରେ ମୁଁ ଅଧୀର ହେଲି । କି ଉପାୟ କଲେ ପିଲା ଦୋ’ଟି ମୋର ମଣିଷ ହେବେ, ସେହି ଉପାୟ ଚିନ୍ତା କରିବାକୁ ଦିନ ରାତି ଅଣ୍ଟିଲା ନାହିଁ ।

ଦିନେ ଖବରକାଗଜରୁ ଦେଖିଲି ଆମ ସରକାର ଗାଁ ଗହଳିରେ ସେବାକାମ କରାଇବାପାଇଁ ଅନେକ ଗ୍ରାମସେବିକା ଦରକାର କରୁଛନ୍ତି । ମାଇନର ଯାଏ ପଢ଼ିଥିଲେ ହେବ ।

ସେହି ସମ୍ବାଦ ମୋ ମନରେ ବାରମ୍ବାର ଡମ୍ବରୁ ପରି ବାଜି ଉଠିଲା । ମନରେ ଆଶା ବାନ୍ଧିଲି, ମୁଁ କାହିଁକି ଗ୍ରାମସେବିକା ନ ହୋଇପାରିବି ! ଶହେ ଟଙ୍କା ଦରମା । ଆମ ସଂସାର ବେଶ୍‍ ସୁରୁଖୁରୁରେ ଚାଲିବ ।

ଛୁଆ ଦୋ’ଟିଙ୍କୁ ଶେଷକୁ ଶାଶୁଙ୍କ ପାଖରେ ରଖି ମୁଁ ହେଲି ଗ୍ରାମସେବିକା । ମୋଟା ଦରମା ପାଇ, ଭଲ ଖାଇ, ଭଲ ପିନ୍ଧିବାରୁ ମନ ଫୁର୍ତ୍ତିରେ, ମୋର ମଳିନ ପଡ଼ିଥିବା ରୂପ ପୁଣି ଫୁଟି ଉଠିଲା । ଏଣିକି ବେଳେବେଳେ ବିବାହ ସ୍ମୃତିକଥା ମନେପଡ଼ି ଅସଂଯତ ଭାବନାରେ ମୁଁ ଅସ୍ଥିର ହୋଇପଡ଼ୁଥିଲି । ଏସବୁ ଭାବିଲାବେଳେ ମୁଁ ଚମକି ପଡ଼ି ସଂଯତ ହେଉଥିଲି । ମୁଁ ଯେ ବିଧବା ! କ’ଣ ଭାବୁଛି ମୁଁ !

ଦିନ ପରେ ଦିନ ଗଡ଼ିଲା । ମୁଁ ମୋର କେତେ ସହକର୍ମୀ ଓ ଗାଁର କେତେକ ପାଠୁଆଟୋକାଙ୍କର ମୋ’ପ୍ରତି ସ୍ନେହ ଶ୍ରଦ୍ଧା ତଳେ ପ୍ରଚ୍ଛନ୍ନ ଭାବରେ ଲୁଚିରହିଥିବା ଭୋକିଲା ମନର ଆଶାକୁ, ବଡ଼ କଷ୍ଟରେ ଏଡ଼ି ଦେଉଥିଲି ।

କିନ୍ତୁ ସେ ବାବୁଙ୍କର ନାଁ କହି ଆଉ ଲାଭ ନାହିଁ । ତାଙ୍କ ନାଁ ତୁଣ୍ଡରେ ଧରିବାକୁ ଘୃଣା ଲାଗୁଛି—ପ୍ରତିଶୋଧ ନେବାକୁ ମୋର ପ୍ରତି ଶିରା-ପ୍ରଶିରାର ରକ୍ତ ଉତ୍ତେଜିତ ହୋଇଉଠୁଛି । ଛି, କେଡ଼େ ଘୃଣ୍ୟ ଲୋକ ସିଏ । ବୟସ ତାଙ୍କର ପ୍ରାୟ ପଇଁତିରିଶ କି ଛତିଶ ପାଖାପାଖି ହେବ । ଦେଖିବାକୁ ସୁନ୍ଦର, ଗୌରବର୍ଣ୍ଣ । ସେ ଅଞ୍ଚଳରେ ସେ ଏକରକମ ବଡ଼ଲୋକ । ମାମଲତକାରରେ ତାଙ୍କୁ କେହି ଟପିଯିବ ନାହିଁ । ତେଣୁ ବନ୍ୟା କୁହ, ମହାମାରୀ କୁହ, ସାହାଯ୍ୟ ଦାନ କୁହ, ଯେତେ ସରକାରୀ ବା ବେସରକାରୀ ଦାନ ଲୋକଙ୍କୁ ବାଣ୍ଟିବାକୁ ଆସେ, ତାହା ତାଙ୍କରି ହାତ ଦେଇ ଆସେ-। ସେଥିପାଇଁ ଲୋକଙ୍କର ମଧ୍ୟ ତାଙ୍କୁ ଡର ।

ଦିନକର କଥା । ସେ ଆମ ଅଫିସକୁ ଆସିଥାନ୍ତି । ଗାଉଁଲି ଅଫିସର ଯେଉଁ ତିନି ଚାରିଜଣ କର୍ମଚାରୀ ଥିଲେ, ତାଙ୍କୁ ଦେଖି ସବୁଯାକ ସମ୍ମାନ ଓଜାଡ଼ି ଦେଲେ । ସମ୍ମାନ ନ ଦେଖାଇଲେ କେତେବେଳେ କେଉଁକଥା କିଏ କହିବ । ବାବୁଙ୍କର ହାକିମ ହୁକୁମାଙ୍କ ସହିତ ସାଙ୍ଗସାଥୀଙ୍କ ପରି ଚିହ୍ନା ପରିଚୟ । ଯିଏ ଆସିଲା ତାଙ୍କୁ ଡାକିଲା । ଖାଇବା ପିଇବା ସବୁ ତାଙ୍କରି ଘରେ । ତେଣୁ ତାଙ୍କ ମନ ନ ନେଲେ, ଦରକାର ପଡ଼ିଲେ ଚାକିରି ଖଣ୍ଡିକ ବି ରହିବ ନାହିଁ । ସେଥିପାଇଁ ତାଙ୍କୁ ଏତେ ଖାତିର ।

ସେ ବାବୁ ଅଫିସରେ ହାକିମ ନ ହୋଇ ବଡ଼ ହାକିମ ପରି ବସିଥାନ୍ତି । ଆମେ ସବୁ ଚାକର ବାକର ପରି ଠିଆହୋଇ ସେ ଉପଦେଶ ଦେଉଥିବା କଥାକୁ ଗିଳି ଦେଉଥାଉ । କେତେବେଳକେ ଉଠିବା ଆଗରୁ ମୋ ଆଡ଼କୁ ଅନାଇ କହିଲେ—ମୁଁ ଦି’ଦିନ ତଳେ ମୁକୁନ୍ଦପୁର ଯାଇଥିଲି । ସେଠିକାର ଗାଁ ସମିତି ତୁମ କାର୍ଯ୍ୟର ବି ପ୍ରଶଂସା କରୁଥିଲେ । ମୁଁ ତୁମରି ଭଳି ଏ ଅଞ୍ଚଳରେ ଜଣେ ଗ୍ରାମସେବିକା ଚାହୁଁଥିଲି, ଯାହାହେଉ ମୋ ମନ ମୁତାବକ ମିଳିଥିବାରୁ ମୁଁ ବଡ଼ ଖୁସି ।

ସମସ୍ତଙ୍କ ଆଗରେ ମୋର ପ୍ରଶଂସା ଶୁଣି ମୋ ମନ କୁଣ୍ଢେମୋଟ ହୋଇଯାଇଥିଲା । ସେ ଚେୟାର ଛାଡ଼ି ଯାଉ ଯାଉ କହିଲେ—ରବିବାର ଦିନ ଆମ ଗାଁ ଆଡ଼େ ଯିବେ, ଆମ ଗ୍ରାମ ସମିତିର କେତେକ କାମ ମଧ୍ୟ ଅଛି ।

କୃତଜ୍ଞତା ଭଙ୍ଗୀରେ କହିଲି—ହଉ ଆଜ୍ଞା ।

ଶିଶିରବାବୁ କାହାଣୀ ପରି ଶୁଣି ଯାଉଥିଲେ ଯୁବତୀଟିର କଥା । ଖଣ୍ଡେ ସିଗାରେଟ୍‍ ଲଗାଇ କହିଲେ—ମୁହଁରେ ମଧୁବୋଳି ଅନ୍ତରରେ ହଳାହଳ ରଖିଥିବା ଲୋକ ଆଜିକାଲି ସମାଜରେ ଅଭାବ ନାହାନ୍ତି । ସେଉଠୁ କ’ଣ ହେଲା କୁହ—

ଯୁବତୀଟି ଆଖିରୁ ଲୁହ ପୋଛିଲା । ଏତେ କୂଟ କପଟ କଥା ମୁଁ ଯଦି ଜାଣିଥାନ୍ତି.... । ତାଙ୍କ କହିବା ମୁତାବକ ରବିବାର ଦିନ ସକାଳୁ ଗାଧୋଇ, ମୁଁ ଯେଉଁ ଲୁଗାଟିକୁ ପିନ୍ଧିବାକୁ ଭଲପାଏ ସେଇ ଲୁଗାଟିକୁ ପିନ୍ଧିଲି । ମୁଣ୍ଡଟି ଭଲକରି କୁଣ୍ଡାଇ ଆଇନା ଆଗରେ ଠିଆହୋଇ ନିଜର ମୁହଁକୁ ଦେଖି ମୁଁ ଚମକି ପଡ଼ିଲି । ଖାଇ ପିଇ କେଡ଼େ ସୁନ୍ଦର ମୁଁ ହେଇଗଲିଣି । ମୋର ଏ ଲୋଭନୀୟ ସ୍ୱାସ୍ଥ୍ୟ ପାଇଁ ବୋଧହୁଏ ଏତେ ଆଖି ମୋରି ଆଡ଼କୁ ଚାହିଁ ରହିଛି ।

ଚମଡ଼ା ବ୍ୟାଗରେ କିଛି ପଇସା ସଙ୍ଗରେ ନେବାକୁ ସୁଟକେସ୍‍ ଫିଟାଉଛି, ଦାଣ୍ଡରେ କିଏ ଡାକୁଥିବାର ଶୁଣିଲି । କିଏ ଡାକୁଛି ବୋଲି ଦାଣ୍ଡ କବାଟ ଫିଟାଇ ଦେଖିଲି, ଜଣେ ମୂଲିଆ ଶ୍ରେଣୀର ଯୁବକ । ପଚାରିଲି—କାହାକୁ ଖୋଜୁଛ ?

ସେ ନମସ୍କାର କରି କହିଲା—ବାବୁ ଆପଣଙ୍କୁ ରବିବାର ଦିନ ଆମ ଗାଁକୁ ଯିବାକୁ କହିଥିଲେ । ମୁଁ ଆଜ୍ଞା ତାଙ୍କ ଘରର କୋଠିଆ । ମୋତେ ସକାଳୁ ଡାକି କହିଲେ—ଆପଣଙ୍କୁ ଆସି ସଙ୍ଗରେ ନେଇ ଯିବାକୁ । ବାବୁ କହିଛନ୍ତିଆପଣ ଆଜି ତାଙ୍କ ଘରେ ଖାଇବେ । ରୋଷେଇବାସର କିଛି ବ୍ୟବସ୍ଥା କରିବେ ନାହିଁ ।

 

ମନେମନେ ନିଜକୁ ବଡ଼ ମନେକରି କହିଲି—ହଉ, ଟିକିଏ ଅପେକ୍ଷା କର ! କ’ଣ ଖାଇଚ-? ଚୁଡ଼ା, ପାଚିଲା କଦଳୀ, ଚିନି ଅଛି—ଗଣ୍ଡେ ଖାଇଦିଅ । ତା’ପରେ ବାହାରିବା ।

 

କୋଠିଆ ଟୋକାଟି ଟିକିଏ ମୃଦୁ ହସି ସମ୍ମତି ଜଣାଇଲା । ମୁଁ ଖଣ୍ଡେ ସିଲଭର ବାସନରେ ସବୁ ଦେଇ କୂଅରୁ ପାଣିନୋଟା ଆଣିବାକୁ ଗଲି ।

 

କିଛି ସମୟପରେ ଆମେ ବାହାରିଲୁ । ବଡ଼ ସଡ଼କରେ କିଛି ବାଟ ଗଲାପରେ, ସାନ ସଡ଼କରେ ବାଙ୍କେଇ ଯିବାକୁ ପଡ଼ିବ । ସାନ ସଡ଼କଟି ବଡ଼ ନିଛାଟିଆ; କେତେବେଳେ କିଏ ଜଣେ କଂସାରି, ଚୁଡ଼ାଭୁଜା ବିକିବା ଗୁଡ଼ିଏ ଦେଖାଯାଉଥାନ୍ତି ।

 

ସରୁ ରାସ୍ତାଟି ଗୋଟାଏ ବଡ଼ ତୋଟା ଦେଇ ଆଗକୁ ପଡ଼ିଥାଏ । କାହିଁକି କେଜାଣି କୋଠିଆ ଟୋକାଟି କହିଲା—ଆଜ୍ଞା, ଶୁଣିଲେଣି ?

 

ମୁଁ ସେତେବେଳକୁ ମୋ ବାବୁଙ୍କର ମୋ’ପ୍ରତି ଏତେ ଅନୁଗ୍ରହ ଥିବାରୁ ମନେମନେ ତାଙ୍କର ବହୁତ ପ୍ରଶଂସା କରୁଥିଲି । ଯୁବକଟିର ଡାକରେ ମୁଁ ହଠାତ୍‍ ବୁଲି ପଡ଼ି ତା’ ଆଡ଼କୁ ଅନାଇଲି-। ମୁହଁରେ ତା’ର ସରସତା ଲାଖି ରହିଛି । କ୍ଷଣକ ଭିତରେ ମନେମନେ ଆକାଶ ପାତାଳ କେତେ କ’ଣ ଭାବିଗଲି । କୋଠିଆଟିର ଯେପରି ବେପରବାଏ ବୟସ ହୋଇଛି, ତା’ ସାଥିରେ ଏକୁଟିଆ କେଉଁ ଯୁବତୀ ପୁଣି ନିଛାଟିଆ ରାସ୍ତାରେ କେବେ ଯିବାକୁ ପସନ୍ଦ କରିବ ନାହିଁ । ଡିଟେକ୍‍ଟିଭ ଉପନ୍ୟାସ ପରି ଏ ମୋତେ ଆଉ ଡାକିଆଣି ନାହିଁ ତ ! ସାହସ ବାନ୍ଧି କହିଲି—କ’ଣ କହୁଛ-?

 

ସେ ଖୁସି ମନରେ ଉତ୍ତରଦେଲା—ଆପଣ ଏ ଯେଉଁ ତୋଟା ଦେଇ ଯାଉଛନ୍ତ, ସେ ତୋଟା ହେଉଛି ଆମ ବାବୁଙ୍କର । ଏ ବର୍ଷ ଆମ୍ବ ପଣସ ଭାରି ହୋଇଯାଇଥିଲା । ବାବୁ ଆଜି କେତେଲୋକଙ୍କ ଆଗରେ ଆପଣଙ୍କ ପ୍ରଶଂସା କରୁଥିଲେ । ଆପଣ ଆଜି ତାଙ୍କ ଘରେ ଖାଇବେ ବୋଲି ସେ ଯୋଗାଡ଼ଯନ୍ତ୍ର କରିବାରେ ଭାରି ବ୍ୟସ୍ତ ଅଛନ୍ତି ପରା ! ଆଠଟା ପୂର୍ବରୁ ସେ କେବେ ଉଠନ୍ତି ନାହିଁ । ଆଜି କେବଳ ଆପଣଙ୍କ ପାଇଁ ସକାଳ ୬ଟାରୁ ଉଠି ମୋତେ ପୋଖରୀରୁ ମାଛ ଧରାଇବା ପାଇଁ କେଉଟକୁ ଡାକି ଆଣିବାକୁ କହିଲେ । ମୁଁ ବାଟେ ବାଟେ ଡାକିଦେଇ ତ ଆପଣଙ୍କ ପାଖକୁ ଆସିଛି ।

 

ତାଙ୍କର ମୋ’ପ୍ରତି ଯେ ଏତେ ସମ୍ମାନ ସେକଥା ମୁଁ ଭାବି ବିସ୍ମିତ ହୋଇଯାଉଥିଲି । ଖୁସି ହୋଇ ଉତ୍ତରଦେଲି—ତୁମ ବାବୁ ଖୁବ୍‍ ଭଲଲୋକ । ତାଙ୍କ ଘରେ ଆଉ କିଏ ?

 

ସେ ସଙ୍ଗେ ସଙ୍ଗେ କଥା ଆରମ୍ଭ କଲା—ସମ୍ପତ୍ତିବାଡ଼ିତ ବାବୁଙ୍କର ଯାହା ଅଛି, ତାହା ଏ ପାଞ୍ଚଖଣ୍ଡି ଗାଁରେ କାହାରି ନଥିବ । ଆମ୍ବ ନଡ଼ିଆ ବଗିଚା, ତିନି ତିନିଟା ମାଛ ପୋଖରୀ । ସରକାରଠୁଁ ଟଙ୍କା ଆଣି ପରା ମାଛଚାଷ ହେଉଛି ? ବରଷକୁ ତିନିହଜାର ଟଙ୍କାର ମାଛ ବିକା ହେଉଛି । ଘରେ ଖାଇବାକୁ ଆଉ କିଏ ? ତାଙ୍କର ବୁଢ଼ୀମା’, ଗୋଟିଏ ବିଧବା ପିଉସୀ, ବାର ବରଷରେ ପୁଅଟିଏ କଟକରେ ଯାଇଁ ପଢ଼ୁଛି । ଏହାଛଡ଼ା ଚାକର, କୋଠିଆ ହୋଇ ସାତ ଆଠଜଣ-ଚାକରାଣୀଟିଏ ମଧ୍ୟ ।

 

ବିସ୍ମିତ ହୋଇ ପଚାରିଲି—ବାବୁଙ୍କର କ’ଣ ସ୍ତ୍ରୀ ନାହାନ୍ତି ?

 

କୋଠିଆଟା ଦୁଃଖକରି କହିଲା—ସେ ଥିଲେ ସାକ୍ଷାତ ଲକ୍ଷ୍ମୀ ପରି । ମୋଟେ ଦୁଇ ବରଷ ହେଲା, କି, ଜ୍ୱର ହେଲା କେଜାଣି, ମୋଟେ ଦୁଇଟା ଦିନରେ ଏ ସଂସାର ଛାଡ଼ି ଚାଲିଗଲେ । ସେଦିନଠୁଁ ବାବୁଙ୍କର କ’ଣ ଆଉ ଘରେ ମନ ଲାଗୁଛି ।

 

କହିଲି—ଏ କଥାକୁ ମଣିଷର ହାତ କ’ଣ ? ଆଉ ବିବାହ ହେଉ ନାହିଁ ! ତାଙ୍କର ତ ବୟସ ଅଛି, ଝିଅ କ’ଣ ଅଭାବ ହେବେ ?

 

କୋଠିଆଟି ଗମ୍ଭୀର ହୋଇ କହିଲା—ଏକଥା କିଏ କହିବ ତାଙ୍କୁ, ତାଙ୍କର ମନ ।

 

ତାଙ୍କ ଘର ପାଖହୋଇ ଆସିଥିଲା । ଏସବୁ କଥା ଶୁଣି ମନର କେଉଁ ଅନ୍ଧାରି କୋଣରେ ଭାବନା ଉଙ୍କି ମାରୁଥିଲା—ତାଙ୍କର ଦି’ବରଷ ହେଲା ସ୍ତ୍ରୀ ମରିଯାଇଛି ! ଏତେ ସ୍ନେହ ସମ୍ମାନ ତଳେ ତାଙ୍କର ଭୋକିଲା ମନ ମୋର ଏ ଦେହ ଉପରେ ଆଖିପକାଇ ନାହିଁ ତ ! ପୁଣି ମନକୁ ବୁଝାଇ ନେଲି । ସେ ବଡ଼ଲୋକ, କେତେଲୋକ ତାଙ୍କୁ ସମ୍ମାନ କରୁଛନ୍ତି । ସେ ଇଚ୍ଛାକଲେ ତାଙ୍କୁ କେଉଁ କଥା ଅଭାବ ? ପୁଣି ମନ ଓଲଟା ଭାବେ । ବିବେକର କଷ ଦଉଡ଼ିରେ ବନ୍ଧା ହୋଇଥିବା ମନ ମୁକୁଳିବାକୁ ଛାଟିପିଟି ହୁଏ । କେଡ଼େ ଭଲ ମଣିଷ ସିଏ । ତାଙ୍କ ଚେହେରା ବି କେଡ଼େ ସୁନ୍ଦର !

 

ତାଙ୍କ ଘର ପାଖ ହୋଇଗଲା । କୋଠିଆଟି କହିଲା—ଆଜ୍ଞା, ଏଇ ଯେଉଁ ଉଚ୍ଚ ପଥର ପିଣ୍ଡା ଦିଶୁଛି, ସେଇ ବାବୁଙ୍କ ଘର ।

 

ମୁଁ ସେଇ ଆଡ଼କୁ ଅନାଇ, ମନେମନେ ଭାବୁଥିଲି ନିଶ୍ଚୟ ତାଙ୍କର ଖାନଦାନି ଘର । ସେ ବାବୁଙ୍କ ସହିତ ଦେଖାହେବ ବୋଲି, ଲୁଗାପଟା ଭଲକରି ଟିକିଏ ସଜାଡ଼ି ନେଲି । ପବନରେ କାଳେ ମୁଣ୍ଡର ବାଳ ଅଡ଼ୁଆ ହୋଇଯାଇଥିବ ସେଥିପାଇଁ ମୁଣ୍ଡରେ ଟିକିଏ ହାତ ମାରିଦେଲି ।

 

ମୁଁ ଦାଣ୍ଡ ଦୁଆର ମୁହଁରେ ପହଞ୍ଚିଛି କି ନାହିଁ, ସେ ଯେପରି ମୋ ବାଟକୁ ଚାହିଁଥିଲେ, ବାରଣ୍ଡାକୁ ବାହାରି ଆସି ପାଛୋଟି ନେବା ପାଇଁ ଦି’ ପାହାଚ ତଳକୁ ଓଲ୍ଲାଇ ଆସି ହସ ହସ ହୋଇ କହିଲେ—ଆସନ୍ତୁ, ଆସନ୍ତୁ । ଏତେ ଡେରି ଦେଖି ମୁଁ ଚିନ୍ତିତ ହୋଇପଡ଼ିଥିଲି ।

 

ତାଙ୍କରି ସାମନାରେ ମୁଁ ନିଜକୁ ହଜାଇ ଦେଇଥିଲି । କୃତଜ୍ଞତା ଭଙ୍ଗୀରେ ଲାଜ ଲାଜ ହୋଇ ତାଙ୍କୁ ସଭକ୍ତି ନମସ୍କାର ଜଣାଇଲି । ତା’ପରେ ସେ ମୋତେ ତାଙ୍କ ଶୋଇବା ଘରକୁ ବାଟ କଢ଼ାଇ ନେଲେ ।

 

କୋଠରୀଟି ଆଧୁନିକ ଓ ପୁରୁଣା ଉଭୟ ପ୍ରଣାଳୀରେ ବେଶ୍‍ ସଜା ସଜି ହୋଇଥିଲା । ମୋତେ ସେ ଗୋଟିଏ ଆରାମ ଚେୟାରରେ ବସିବାକୁ ଅନୁରୋଧ କରି, ସେ ନିଜେ ଗୋଟିଏ ଚେୟାରରେ ବସିଲେ ।

 

ସେ କିଛି କଥା ଆରମ୍ଭ କରିବା ଆଗରୁ ମୁଁ କହିଲି—ଆପଣ ପଠାଇଥିବା କୋଠିଆଠାରୁ ମୁଁ ସମସ୍ତ କଥା ଶୁଣି ଭାରି ଦୁଃଖିତ ହେଲି । ମା’ କେଉଁଠି ଅଛନ୍ତି ? ତାଙ୍କ ପାଖକୁ ଯାଇଁ ଆଗେ ମୋର ନମସ୍କାର କରିବା କଥା ।

 

ସେ ଉଠିପଡ଼ି କହିଲେ—ଏହିସବୁ ଭଲଗୁଣ ପାଇଁ ସବୁ ଗ୍ରାମରେ ଆପଣଙ୍କୁ ପ୍ରଶଂସା କରୁଛନ୍ତି । ଚାଲନ୍ତୁ ମା’ଙ୍କ ପାଖକୁ ।

 

ସେ ଆଗେ ଆଗେ ଚାଲିଲେ । ମୁଁ ପଛରେ ଗୋଡ଼ର ଚଟି ରଖିଦେଇ ତାଙ୍କ ପଛେ ପଛେ ଚାଲିଲି । ଆର ଖଞ୍ଜାରେ ତାଙ୍କ ମା’, ବୟସ ଷାଠିଏରୁ ଉପର ହେବ; ପୂଜାସାରି ଠାକୁର ଘରୁ ବାହାରୁଥିଲେ । ମୁଁ ଯାଇ ତାଙ୍କ ପାଦତଳେ ମୁଣ୍ଡ ଲଗାଇ ନମସ୍କାର ହେଲି ।

 

ସେ ବୋଧହୁଏ ସେ ବାବୁଙ୍କଠାରୁ ମୋ କଥା ଶୁଣିଥିଲେ, ତଥାପି ବିସ୍ମିତ ହେଲାପରି ପଚାରିଲେ—ତୁ ପୁଅ ଯେଉଁ ଗ୍ରାମସେବିକାଙ୍କ କଥା କହୁଥିଲୁ, ଇଏ ସେହି ହେବେ—ନୁହେଁ ?

 

ତାଙ୍କ ପୁଅ ଉତ୍ତରଦେଲେ—ହଁ ବୋଉ ! ଭଲ କାମପାଇଁ ବଡ଼ ବଡ଼ ହାକିମ ହୁକୁମ ୟା’ଙ୍କୁ ଭାରି ପ୍ରଶଂସା କରୁଛନ୍ତି ।

 

ବୁଢ଼ୀ ହସି ହସି ମୋ ମୁହଁକୁ ଭଲକରି ଚାହିଁ ଦୁଃଖକରି କହିଲେ—ଠିକ୍‍ ମୋରି ବୋହୂର ବୟସ ହେବ । ମୁହଁର ଢାଞ୍ଚାବି ଅବିକଳ ସେମିତି । ମୁଁ ପରା ପ୍ରଥମ କରି ଦେଖି ଚିହ୍ନିପାରିଲି ନାହିଁ-! ଆଖିକୁ ବି ଜାଲୁ ଜାଲୁଆ ଦିଶିଲାଣି । ହଉ ଯା’ ମା’ ବହୁତ ବେଳ ହେଲାଣି, ଖିଆ ପିଆ କରିବ-। ତୁମେ ଆମ ଘରେ ମୁଠିଏ ଖାଇବ ବୋଲି, ପୁଅ ସକାଳପହରୁ ବରାଦ କରିବାରେ ଲାଗିପଡ଼ିଛି-

 

ତାଙ୍କ କଥା ଶୁଣୁ ଶୁଣୁ, ଲାଜରେ ମୋ ମୁହଁ ଲାଲା ପଡ଼ି ଯାଇଥିଲା । ପାଖରେ ତାଙ୍କର ପୁଅ । ଚାରିମାସ ହେବ ସ୍ତ୍ରୀ ତାଙ୍କର ମରିଯାଇଛନ୍ତି । ତାଙ୍କରି ଆଖିରେ ମୁଁ ତାଙ୍କର ବୋହୂର ବୟସ ସଙ୍ଗେ ଠିକ୍‍ ସମାନ ... ବୋହୂପରି ଅବିକଳ ଚେହେରା ଇତ୍ୟାଦି କହିବାରେ କିଏବା ଲାଜରେ ଜଡ଼ସଡ଼ ନ ହୋଇଯିବ ! ଯାହା ହେଉ କିଛି ନକହି ତଳକୁ ମୁହଁପୋତି ମୁହଁ ଲେଉଟାଇଲି । ବାବୁ ପୁଣି ଆଗେ ଆଗେ ଚାଲିଲେ । ମୁଁ ତାଙ୍କ ପଛେ ପଛେ ଫେରିଆସିଲି ତାଙ୍କ ଶୋଇବା ଘରକୁ । ମନରେ କେତେ ଭାବନା, ପୂର୍ଣ୍ଣିମାର ଜୁଆର ପରି ଉଠି ପୁଣି କୁଆଡ଼େ ମିଳାଇ ଯାଉଥାଏ । ମୁଁ ସାମାନ୍ୟ ଗ୍ରମସେବିକା । ଏ ବାବୁ ଖୁବ୍‍ ବଡ଼ଲୋକ, ଏ ମୁଲକରେ ନାମଜାଦା—ମାମଲତକାର । ସରକାରୀ ମହଲରେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ଅଫିସରଙ୍କର ଚିହ୍ନାପରିଚ । ସେ କାହିଁକି ମୋ’ଭଳି ଏକ ଗ୍ରାମସେବିକାକୁ ଏତେ ସମ୍ମାନ ଆଦର କରୁଛନ୍ତି ! କ’ଣ ଅଛି ୟା ମୂଳରେ ! ସେ କ’ଣ ଚାହାନ୍ତି, ମୋତେ ତାଙ୍କର ଶଯ୍ୟାଶାୟିନୀ କରିବାକୁ !! ଯଦି ତାହା ତାଙ୍କର ମନର ବାସନା ହୋଇଥାଏ, ତେବେ ମୋର ଉପାୟ ବା କ’ଣ !

 

ସେ ଚେୟାରରେ ବସି—ମୋତେ ବସିବାକୁ କହିଲେ । ମୁଁ ବସିଲି । ଭିତରେ ଭାବନାର ସୁଅ ଚାଲିଥିଲେବି ମନରେ ଦମ୍ଭଧରି ପଚାରିଲି, ଆପଣଙ୍କ ଗ୍ରାମର ସ୍ତ୍ରୀମାନଙ୍କ ସମିତି କଥା କ’ଣ ପରା ଆପଣ କହୁଥିଲେ ? ସମିତି ସଭ୍ୟମାନଙ୍କ ସହିତ ଟିକିଏ ଚିହ୍ନା ପରିଚୟ ହେବା ଦରକାର । ସମିତିରେ କି କାମ ହେଉଛି, ତାହା ଜାଣି ମୋ କ୍ଷୁଦ୍ର ବୁଦ୍ଧିରେ ଯଦି କିଛି ପରାମର୍ଶ ବା ସାହାଯ୍ୟ କରିପାରନ୍ତି ତେବେ ଭଲ ହୁଅନ୍ତା । ଆପଣ ଯେଉଁଠି ଅଛନ୍ତି, ସେଠି ମୁଁ ବା ଅଧିକ କି ପରାମର୍ଶ ଦେବି ।

 

ସେ ବାବୁ ମୃଦୁ ହସି କହିଲେ, ଘଣ୍ଟାକୁ ଚାହିଁଲେ କେତେ ବାଜିଲାଣି ? ବାରଟା ଆସି ବାଜିବ ! ତୁମେ ଆଜି ମୋ ଘରେ ଅତିଥି । ନଖାଇ ବିଶ୍ରାମ ନ ନେଇ କି କାମ କରିବେ ଏଇକ୍ଷଣି !

 

ତାଙ୍କ କଥାରେ କୃତଜ୍ଞତା ପ୍ରକାଶ କରି କହିଲି—ମୋ’ପ୍ରତି ଆପଣଙ୍କର ଏତେ ଅନୁଗ୍ରହ ପାଇଁ ପ୍ରଶଂସା କରିବାକୁ ମୋ ମୁଖରେ ଭାଷା ନାହିଁ ।

ସେ ଆପଣାର ଲୋକପରି କହିଲେ—ସେମିତି କିଛି ଭାବନ୍ତୁ ନାହିଁ, ମୁଁ କ’ଣ ବା କରିଛି ତୁମପାଇଁ !

ମୋ’ପାଇଁ ଅନ୍ୟ ଏକ ଘରେ ଖାଇବା ବଢ଼ାଗଲା । ପାଞ୍ଚରକମ ତରକାରୀ, ଦହି ଇତ୍ୟାଦି କେତେ କ’ଣ । ମୋ ଜୀବନରେ ଏଭଳି ଖାଇବା ବା ସମ୍ମାନ ପାଇବା ଏଇ ପ୍ରଥମ । ମୁଁ ଖାଇବାକୁ ବସିବାକୁ ସଂଙ୍କୋଚ କରିବାରୁ, ସେ ହସ ହସ ହୋଇ କହିଲେ—ସର୍କାରୀ ଚାକିରି କରି ଏତେ ସଂଙ୍କୋଚ କଲେ ଚଳିବ ? ଆଚ୍ଛା ମୁଁ ଯାଉଛି, ଖାଇ ବସ ।

ଖିଆ ସରିଲା । ମୁଁ ପୁଣି ଫେରିଆସିଲି ତାଙ୍କ ଘରକୁ । ସେ ସେତେବେଳକୁ ଅନ୍ୟଘରେ ଖାଉଥିଲେ । ମୁଁ ଚେୟାରରେ ବସି ଆକାଶ ପାତାଳ ଭାବୁଥିଲି ।

କିଛି ସମୟ ପରେ ସେ ଫେରିଲେ । ମୁଁ ସଂଯତ ଅବସ୍ଥାରେ ବସିରହି କହିଲି, ଆଜି ଦିନଟିକୁ ମୁଁ କେବେ ଭୁଲିପାରିବି ନାହିଁ । ମୁଁ ସାମାନ୍ୟ ଗ୍ରାମସେବିକା । ମୋ’ପାଇଁ ଆପଣ ଆଜି ଖୁବ୍‍ ବ୍ୟସ୍ତ ହୋଇଛନ୍ତି ।

ସେ ପାନଖଣ୍ଡେ ପାଟିରେ ପୂରାଉ ପୂରାଉ କହିଲେ—ସମସ୍ତଙ୍କ ଅପେକ୍ଷା ଯିଏ ଲୋକର ସେବାପାଇଁ ଜୀବନ ଉତ୍ସର୍ଗ କରିଛି, ତା’ର ସମ୍ମାନ ବେଶି ।

ମୁଁ ନୀରବ ରହିଲି ।

ସେ କ’ଣ କହିବାକୁ ଭାବୁଥିଲା ପରି, କିଛି ସମୟ ନୀରବ ରହି ପଚାରିଲେ–ଏତେ ଆତ୍ମୀୟତା ଭିତରେ, ତୁମ ବିଷୟରେ ମୁଁ ତ କିଛି ଜାଣିଲି ନାହିଁ ? ଯାହା ଶୁଣାଶୁଣିରେ ଜାଣିଛି ସିନା-!

ମୁଁ ବଡ଼ ଅଡ଼ୁଆରେ ପଡ଼ିଲି । ନ କହିବାକୁ ବି ଉପାୟ ନାହିଁ, ଡାକ୍ତରବାବୁ ! ତାଙ୍କ କଥାର ଉତ୍ତର ଦେବାକୁ ଯାଇ କହିଲି—ମୁଁ ବଡ଼ ଗରିବ, କପାଳ ମଧ୍ୟ ଛୋଟ, ଖଣ୍ଡାୟତ ଘରେ ମୋର ଜନ୍ମ । ଅଳ୍ପ ବୟସରେ ବିଭା ହୋଇଥିଲି । ସ୍ୱାମୀ ଅକାଳରେ ମଲେ, ଆଉ ମୋରି ଜିମା ଛାଡ଼ିଦେଇ ଗଲେ—ପୁଅଟିଏ, ଝିଅଟିଏ । ସେମାନଙ୍କ ତୁଣ୍ଡରେ ଭାତ ମୁଠିଏ ଦେବାପାଇଁ ମୁଁ ଗ୍ରାମସେବିକା ବାଧ୍ୟହୋଇ ହୋଇଛି । ଏଇ ମୋର ପରିଚୟ ।

ସେ ମୋ ଦୁଃଖରେ ସମଦୁଃଖୀ ଭଳି କହିଲେ—ଦୈବ ଯୋଗକୁ ମଣିଷର ହାତ କ’ଣ ! ଖୁବ୍‍ ସାହାସ ଓ ପ୍ରଶଂସାର କାମ କରିଛ ! ତା’ପରେ ସେ ଟିକିଏ ରହି କହିଲେ—ମୋ କଥାତ ଆମ କୋଠିଆଠାରୁ ଶୁଣିଛ ବୋଲି କହିଲ ! ମୋ ସ୍ତ୍ରୀ ଚାରିମାସ ହେବ ମରିଯାଇଛନ୍ତି । ସେଇ ଦିନଠୁ ଏ ଧନ ଦଉଲତ ଉପରୁ ମୋର ସ୍ପୃହା କମି ଯାଇଛି । ଏ ସଂସାର ବି ମୋତେ ଆଉ ଭଲଲାଗୁନି ।

ମୁଁ ତାଙ୍କୁ ପରାମର୍ଶ ଦେଇ କହିଲି—ଆପଣଙ୍କ ପକ୍ଷରେ କେଉଁ କଥା ବା ଅସମ୍ଭବ । ଆଉ ଥରେ ସଂସାର କରିବାରେ ଆପତ୍ତି କ’ଣ ।

ସେ ଟିକିଏ ନୀରବ ରହି କହିଲେ—

 

ଆପତ୍ତି ନାହିଁ, କିନ୍ତୁ ମୋ ମନ ମୁତାବକ ଏବଂ ଏ ଧନ ଦଉଲତ ସମ୍ଭାଳିବା ଭଳି ମୋର ଲୋକ ଦରକାର । ମୁଁ କହୁଛି ବୋଲି କିଛି ଭାବିବେ ନାହିଁ । ତୁମରି ଭଳି ମୁଁ ଜଣକୁ ଜୀବନରେ ପାଇଲେ ଖୁବ୍‍ ଖୁସି ହୁଅନ୍ତି ! ତାହା କ’ଣ ମିଳିବା ସହଜ !

 

ତାଙ୍କ କଥା ଶୁଣି ମୁଁ ଶିହରି ଉଠିଲି । ତାଙ୍କ ମନକଥା ବୁଝିବାରେ ମୋର ଆଉ କୌଣସି ସନ୍ଦେହ ନଥିଲା । କି ଉତ୍ତର ଦେବି ମୁଁ କିଛି ଭାବିପାରିଲି ନାହିଁ । ବାଧ୍ୟ ହୋଇ ନୀରବ ରହିଲି ।

 

ମୋତେ ସେ ବହୁତକ୍ଷଣ ନୀରବ ରହିବା ଦେଖି କହିଲେ, ମୁଁ ମନେମନେ ଅନେକଦିନରୁ ତୁମ ବିଷୟରେ ବୁଝିବାକୁ ଚେଷ୍ଟା କରୁଥିଲି । ଦେଖୁଛତ ଯୁଗ କିପରି ବଦଳୁଛି ! ତୁମେ ଏ ଘରର ପୂରାପୂରି ଦାୟିତ୍ୱ ନେଲେ ମୋର ଆନନ୍ଦର ସୀମା ରହନ୍ତା ନାହିଁ । ପିଲା ଦୋ’ଟି ବି ମଣିଷ ହୋଇଯାଆନ୍ତେ ।

 

ହଠାତ୍‍ ତାଙ୍କ ମୁହଁରୁ ଏକଥା ଶୁଣିବି ବୋଲି ମୁଁ କଳ୍ପନା କରି ନଥିଲି । ସଙ୍ଗେ ସଙ୍ଗେ ତାଙ୍କୁ ମୁଁ କି ଉତ୍ତର ଦେବି କିଛି ଠିକ୍‍ କରିପାରିଲିନି ।

 

ମୋତେ ବହୁତ ସମୟ ନୀରବ ରହିବା ଦେଖି ସେ ପୁଣି କହିଲେ, ଏ କିଛି ନୂଆକଥା ନୁହେଁ ! ତୁମେ ଗ୍ରାମସେବିକା ହୋଇ ରହିବା ମୁଁ ଆଦୌ ପସନ୍ଦ କରୁନାହିଁ । ବର୍ତ୍ତମାନ ମୋତେ କିଛି କହିବା ଦରକାର ନାହିଁ । ଭାବିଚିନ୍ତି କହିବ ।

 

ସେହି ମୁହୂର୍ତ୍ତରୁ ମୁଁ ଯେପରି ମଉନାବତୀ ପାଲଟି ଯାଇଥିଲି । ସେ ମୋର ଅବସ୍ଥାକୁ ବୋଧହୁଏ ବୁଝିପାରିଲେ । କହିଲେ—

ଆର ଘରେ ତୁମର ବିଶ୍ରାମ ପାଇଁ ବ୍ୟବସ୍ଥା ହୋଇଛି । ବିଶ୍ରାମ ନେଇ ଉଠିଲେ ଆମ ଶଗଡ଼ ବଳଦ, ବସାଠିଁ ପହଞ୍ଚାଇଦେଇ ଆସିବେ ।

ତାଙ୍କୁ ଉତ୍ତର ଦେବାକୁ ମୋର ଯେପରି କିଛି ନଥିଲା । ନିଶ୍ଚିନ୍ତରେ କିଛି ସମୟ ଭାବିବା ପାଇଁ ମୁଁ ବିନା ଆପତ୍ତିରେ ଆର ଘରକୁ ଚାଲିଗଲି । ଶୋଇବା ଭିତରେ ଭାବନା ମୋର ଦି’କୂଳ ଖାଉଥିଲା । ସେ ଯେଉଁ ପ୍ରସ୍ତାବ ଦେଇଛନ୍ତି ଖରାପ କ’ଣ । ଆମ କୁଳରେତ ଏ ପ୍ରଥା ଅଛି । ଅନ୍ତର ଭିତରୁ କିଏ କୁହାଟ ମାରୁଥିଲା—ଭାରି ଭଲହେବ ! ପର ମୁହୂର୍ତ୍ତରେ ଭାବୁଥିଲି ମୋର ଆଗ ସ୍ଵାମୀଙ୍କ କଥା । ଶାନ୍ତ ସରଳ କେଡ଼େ ସୁନ୍ଦର ସିଏ । କେଡ଼େ ସ୍ନେହ ଶ୍ରଦ୍ଧା କରୁଥିଲେ ତାକୁ ! ସେ ବି କେଡ଼େ ଶ୍ରଦ୍ଧା କରୁନଥିଲା ତାଙ୍କୁ । ଯେଉଁ ପୁଅଟି ସେ ତା’ ପାଖରେ ଛାଡ଼ିଦେଇ ଯାଇଛନ୍ତି, ସେ ପିଲାଟି ଠିକ୍‍ ତାଙ୍କରି ମୁହଁର ରୂପ ନେଇଛି । ଅତୀତର ଏ ସବୁକଥା ସେ ଭୁଲିଯାଇ ପୁଣି ନୂଆ ସଂସାର କରିବ !!

ପୁଣି କ୍ଷଣକରେ ମନର କେଉଁ କୋଣରେ ଏ କଥା ଚାପା ପଡ଼ିଯାଏ । ମନ ଉଚ୍ଚାଟ ହୁଏ-। ଅଯଥାରେ କାହିଁକି ମୋର ଯୌବନ ତିଳ ତିଳ କରି ନଷ୍ଟ କରିବି ! ଲାଭ ବା ହେବ କ’ଣ-!

ମନ ଧ୍ୟାନଦେଇ ଶୁଣୁ ଶୁଣୁ ଶିଶିରବାବୁ ପଚାରିଲେ—ଶେଷକୁ ତୁମକୁ ନେଇ ସେ ତାଙ୍କର ନୂଆ ସଂସାର ଗଢ଼ିଲେ, ନୁହେଁ ?

ଯୁବତୀଟି କୋହ ଉଠାଇ କହିଲା—ନିଜର କାମନା ପୂରଣ କରିବା ପାଇଁ ଯେ ମଣିଷ ଏତେ ଛଳନା କରେ, ମୁହଁରେ ମଧୁ ବୋଳି ନାରୀ ମନକୁ ଭୁଲାଏ ସେ କଥା ବା ମୁଁ କଳ୍ପନା କରନ୍ତି କାହିଁକି ? ଆଉ ଦି’ପଦ କଥା, ମୁଁ ଅଯଥାରେ ଆପଣଙ୍କୁ ଆଜି ଅନିଦ୍ରା କରାଇଲି ।

 

ଶିଶିରବାବୁ ଯୁବତୀଟିକୁ ଉତ୍ତରଦେଇ କହିଲେ—ମୁଁ ତୁମର କଥା ଶୁଣିବାକୁ ଆଦୌ ବ୍ୟସ୍ତ ହେଉନି । କୁହନ୍ତୁ କ’ଣ ହେଲା ।

 

ମୁଁ ଆଉ କ’ଣ କହିବି ଡାକ୍ତରବାବୁ ! ନାରୀ ମୁଁ ! ତାଙ୍କର କଅଁଳ ଆଶ୍ଵାସନାରେ ମୁଁ ଭୁଲିଗଲି । ଶେଷକୁ ତାଙ୍କର କାମନା ବାସନାର ପ୍ରିୟ ଶିକାର ହେଲି ମୁଁ ।

 

କେତେଦିନ ସ୍ଵପ୍ନ ପରି କଟିଗଲା । ଗର୍ଭରେ ଧରିଲି ମୁଁ ନୂତନ ଅତିଥି । ଏକଥା ତାଙ୍କୁ ମୁଁ ଜଣାଇ ଦେଲି । କାହିଁକି କେଜାଣି ସେହି ଦିନଠୁ ମୁଁ ଲକ୍ଷ କରିଛି, ସେ ଯେପରି ଖାପଛଡ଼ା କଥା କହିବାକୁ ଲାଗିଲେ ।

 

ଦିନପରେ ଦିନ ଗଡ଼ିଲା । ଦୁଇମାସ ମୁଁ ଗର୍ଭଧାରିଣୀ ହୋଇ ସମସ୍ତଙ୍କ ଆଖି ଆଗକୁ କଥା ଆସିବା ପୂର୍ବରୁ ଦିନେ ତାଙ୍କୁ ପଚାରିଲି—ଆଉ ଡେରି କାହିଁକି କରୁଛନ୍ତି ? ଦିନଗଡ଼ିଲେ କଥା ଅସୁନ୍ଦର ହେବ ।

 

ସେଦିନ ସେ ମୋତେ ଯେଉଁ କଥା କହିଲେ—ମୁଁ ଚମକି ପଡ଼ିଲି । ଚାରିଆଡ଼ ମୋତେ ଅନ୍ଧାର ଦିଶିଲା ! ମୋତେ ଲାଗିଲା ମୋ ଗୋଡ଼ତଳେ ଯେପରି ମାଟି ନାହିଁ । ଦୁନିଆ କ୍ଷଣକରେ ଧ୍ଵଂସ ହୋଇଯିବ । ହେ ଭଗବାନ ! ସେ କ’ଣ କହିଲେ ଜାଣନ୍ତି ?

 

—କ’ଣ କହିଲେ ? ଶିଶିରବାବୁ ଆଗ୍ରହରେ ପଚାରିଲେ ।

 

—ସେ କହିଲେ, ସବୁକଥା ମୁଁ ବୁଝୁଛି । ତୁମକୁ ଗ୍ରହଣ କରିବାକୁ ମୋର ଇଚ୍ଛା ସମ୍ପୂର୍ଣ୍ଣ ଥିଲା-। କିନ୍ତୁ ବଡ଼ ଦୁଃଖର କଥା ତୁମ ଆଡ଼ୁ ତୁମେ ତାହା ଭଙ୍ଗ କରିଛ । ମୋତେ କେଉଁ କଥା ଅଛପା ନାହିଁ ! ଏ ଗର୍ଭ ପାଇଁ ମୁଁ ଆଦୌ ଦାୟୀ ନୁହଁ । ତୁମର ଅନ୍ୟ ସହିତ ମଧ୍ୟ ସ୍ନେହ ଶ୍ରଦ୍ଧା ଅଛି-

 

ମୁଁ କିନ୍ତୁ କହିପାରିଲି ନାହିଁ । କାନ୍ଦି କାନ୍ଦି ରାଗରେ ତମ ତମ ହୋଇ କହିଲି—ଆପଣଙ୍କ ମନରେ ଏଭଳି ଥିଲା ବୋଲି ମୁଁ ଜାଣିନଥିଲି । କେତେ ସାଙ୍ଘାତିକ ଲୋକ ଆପଣ । ଜଣେ ନିରୀହା ଯୁବତୀର ସର୍ବନାଶ କରି ତାକୁ ଜ୍ୱଳନ୍ତ ଅଗ୍ନିକୁ ଠେଲି ଦେବାକୁ ଆପଣ ଟିକେ ବି କୁଣ୍ଠାବୋଧ କରୁନାହାନ୍ତି ?

ସେ ଉତ୍ତେଜିତ ହୋଇ କହିଲେ—ମୁଁ ତୁମର ଉପଦେଶ ଶୁଣିବାକୁ ଚାହେଁ ନାହିଁ । ମୁଁ ତୁମକୁ ଅତି ଭଲବୋଲି ଧାରଣା କରିଥିଲି, କିନ୍ତୁ ତୁମେ ମୋତେ ବୋକା ବନାଇ ଅନ୍ୟ ସହିତ ମଧ୍ୟ ଦିନ କାଟିଛ ।

ରାଗରେ ମୋର ସର୍ବାଙ୍ଗ ଥରି ଉଠିଲା । ମନେ ହେଉଥିଲା ଲୋକଟାର ତଣ୍ଟି କଣାକରି ରାକ୍ଷସୀପରି ରକ୍ତ ପିଇ ଯାଆନ୍ତି । କିନ୍ତୁ ମୋର ଉପାୟ କ’ଣ । ନିଜକୁ ସମ୍ଭାଳି ନେଇ କହିଲି–ମୋର ସର୍ବନାଶ କରି ଆପଣ ନିଜକୁ ନିର୍ଦ୍ଦୋଷ ବୋଲି କଦାପି ପରିଚୟ ଦେଇପାରିବେ ନାହିଁ । ମୁଁ ଯାହା କରିବାର କଥା କରିବି । ଏଥିପାଇଁ ନିଶ୍ଚୟ ଦାୟୀ ହେବ ।

ସେ ବିଦ୍ରୂପରେ ହସି ଚାଲିଗଲେ । ବସାକୁ ଫେରିଆସି ଅଖିଆ ଅପିଆ ବିଛଣାରେ ପଡ଼ି କାନ୍ଦିବାକୁ ଲାଗିଲି ।

ପ୍ରାୟ ପନ୍ଦରଦିନ ପରେ ମୁଁ କ’ଣ କରିବି କିଛି ଠିକ୍‍ କରି ପାରୁନଥାଏ । କେବଳ କାନ୍ଦି କାନ୍ଦି ନିଜକୁ ଧିକ୍‍କାର କରିବା ଥିଲା ମୋର ଯେପରି କାମ । ସେଦିନ ରାତି ପ୍ରାୟ ଗୋଟାଏ ହେବ-। ସଞ୍ଜ ପହରୁ ବର୍ଷା ଲାଗି ରହିଛି ଯେ ଛାଡ଼ିବାକୁ ନାହିଁ । ଯେଉଁ ବୁଢ଼ା ପୁଅଟି ମୋ ବସାରେ ଶୋଉଥିଲା ସେ ତା’ ଘରକୁ ଛୁଟିନେଇ ଯାଇଥାଏ ଦି’ଦିନ ହେଲା । ମୁଁ ବସାରେ ଏକୁଟିଆ-। ବାହାରେ କବାଟରେ କିଏ ହାତମାରି ଡାକିବାର ଶୁଣାଗଲା ।

ଲନ୍‍ଠନ୍‍ ତେଜିଉଠି ଆସୁ ଆସୁ ପଚାରିଲି କିଏ ? ସଙ୍ଗେ ସଙ୍ଗେ ସେ ବାବୁଙ୍କ ନାଁ ଧରି ଜଣେ କହିଲା–ଜରୁରୀ ଦରକାର । ବାବୁ ନିଜେ ଆସିଛନ୍ତି । କବାଟ ଫିଟାଅ ।

ବାବୁ ନିଜେ ଆସିଛନ୍ତି ଶୁଣି ବିସ୍ମିତ ହେଲି, ଅଭିମାନରେ ମନ ଭାଙ୍ଗିପଡ଼ୁଥିଲେ ମଧ୍ୟ, କାଳେ ତାଙ୍କ ମନ ବଦଳିଥିବ ଭାବି କବାଟ ଖୋଲିଦେଲି ।

ଭିତରକୁ ପଶି ଆସିଲେ ତିନିଜଣ ଯମଦୂତ ପରି ଲୋକ । ଭୟରେ ମୁଁ କାଠ ପାଲଟି ଗଲି । ତା’ ଭିତରୁ ଜଣେ ମୋ ଉଦ୍ଦେଶ୍ୟରେ ବିଦ୍ରୂପ କରି କହିଲା—ଏ ବଡ଼ ବଦମାସ ମାଇକିନା ! ଗର୍ଭବାସ ହୋଇ ଆମ ବାବୁଙ୍କ ନାଁ କହୁଛି, ନୁହେଁ ?

ଆଉ ଜଣେ ତା’ ଉପରେ ବିରକ୍ତ ହୋଇ କହିଲା—ତୁ ଚୁପ୍‍ ରହ । ଯାହା କରିବାର କଥା ମୁଁ କରୁଛି । ତା’ପରେ ମୋତେ ଅନାଇ କହିଲା—ଡରୁଛ କାହିଁକି, ଯାହା ହବାର ହୋଇଛି । ଭୟ କରିବାର କିଛି କାରଣ ନାହିଁ । ନିଅ ଏ ଗ୍ଲାସରେ ଔଷଧ ଅଛି ଖାଇଦିଅ । ସବୁ ପରିଷ୍କାର ହୋଇଯିବ ।

ମୋ ଦେହରେ ଜୀବ ଥିଲା କି ନାହିଁ ମୁଁ କିଛି ବୁଝିପାରୁନଥିଲି । ଗୋଟାଏ ହୋସରେ କହିଲି, ତୁମ ବାବୁର ଦୋଷ ଲୁଚାଇବା ପାଇଁ ମୁଁ ସେ ଔଷଧ ଖାଇପାରିବି ନାହିଁ । ଏତେ ରାତିରେ କିଏ କହିଲା ମୋ ଘରକୁ ଆସିବାକୁ ?

ତା’ ଭିତରୁ ଗୋଟିଏ ଲୋକ ଭୀମ ପରି ମୋ ଉପରକୁ କୁଦିପଡ଼ି ମୋ ବେକକୁ ଚାପି ଧରିଲା । ଆଉ ଜଣେ ପିଠିରେ ବଜ୍ରମୁଠା ମାରି କହିଲା–ପିଇ ?

ହୁଏତ ମୁଁ ଭୟ ଆଉ ଯନ୍ତ୍ରଣାରେ ଢକ ଢକ କରି ପିଇଥିଲି । ତା’ପରେ କ’ଣ ହେଲା ମୁଁ ଜାଣିନି । ଆପଣ ପରା କହୁଛନ୍ତି ଡାକ୍ତରବାବୁ ମୁଁ କୁଆଡ଼େ ମରିଛି ! ସତରେ ମୁଁ କ’ଣ ମରିଛି ? ମୋତେ ବଞ୍ଚାଇ ପାରିବେ ନାହିଁ । ମୋ ଛୁଆ ଦୋ’ଟି କି ନାରଖାର ହେଉଥିବେ । ଯୁବତୀଟି କାନ୍ଦିବାକୁ ଲାଗିଲା ।

ଶିଶିରବାବୁ ଛଳ ଛଳ ଆଖିରେ ଉତ୍ତର ଦେଲେ–ଆମ ସମାଜରେ ମଣିଷଖିଆ ବାଘଙ୍କର ଅଭାବ ନାହିଁ । ତୁମ ଭଳି ଯୁବତୀଙ୍କୁ ଶେଷକରି ତାଙ୍କ ମନରେ ଦୁଃଖ ଆସେ ନାହିଁ, ଓଲଟି ସେମାନେ ଗର୍ବ କରନ୍ତି । ଆଉ କ’ଣ ଅଛି ତୁମର ? ତୁମେ ଯେ ମୃତ !

ଯୁବତୀଟି କଇଁ କଇଁ ହୋଇ କାନ୍ଦି କହିଲା–କେତେ ଆଶାରେ ଆସିଥିଲି ଆପଣଙ୍କ ପାଖକୁ । ବଞ୍ଚାଇ ପାରିଲେନି ମୋତେ ! ଫେରି ଯାଉଛି ମୁଁ ! ଆପଣଙ୍କର ମଙ୍ଗଳ ହେଉ ଡାକ୍ତରବାବୁ !

ରାତି ସେତେବେଳକୁ ସାଢ଼େ ଦୁଇଟା ।

 

ଶେଷ ରାତ୍ରି

 

ରାତ୍ରି ଏଗାରଟା । ସେଦିନ ଆକାଶ ନିର୍ମଳ ଥିବାରୁ ଚନ୍ଦ୍ର ଜ୍ୟୋତ୍ସ୍ନାରେ ଚାରିଆଡ଼େ ବେଶ୍‍ ସୁନ୍ଦର ଦିଶୁଥିଲା । ଶିଶିରବାବୁ ମନରେ ଖୁବ୍‍ ଆଶାବାନ୍ଧି ବସି ରହିଥିଲେ, ଆଜି ନଳିନୀ ନିଶ୍ଚୟ ଆସିବ ! କାଲି ସେ ବୋଧହୁଏ ମୋତେ ଅନିଦ୍ରା ନ ରଖିବା ପାଇଁ ଜାଣି ଜାଣି ଆସିନାହିଁ ।

ବାରଟା ବାଜିବାକୁ ପନ୍ଦର ମିନିଟ ବାକି । ଶିଶିରବାବୁ ବେଳୁ ବେଳ ହତାଶ ହୋଇପଡ଼ୁଥିଲେ । ସେ ମନେମନେ ଭଗବାନଙ୍କୁ ଡାକୁଥିଲେ, ତାଙ୍କ ନଳିନୀ ବଦଳରେ କାଲି ରାତି ଭଳି ଯେପରି ଅନ୍ୟ କେହି ନ ଆସୁ ।

ନମସ୍କାର ଡାକ୍ତରବାବୁ ! ମୋତେ ଚାହିଁ ଚାହିଁ ଆପଣ ବି ବ୍ୟସ୍ତ ହୋଇପଡ଼ିଲେଣି ନୁହେଁ-! ଗୋଟାଏ ମୃତ ଆତ୍ମାକୁ ଆପଣ ଯେତିକି ସ୍ନେହ କରୁଛନ୍ତି, ସେତିକି ସ୍ନେହ ଯଦି କୌଣସି ଯୁବତୀ ପାଇପାରିଥାନ୍ତା, ତେବେ ସେ ନିଜକୁ କେଡ଼େ ଭାଗ୍ୟବତୀ ମନେ ନ କରିଥାନ୍ତ !

ଶିଶିରବାବୁ ଅଭିମାନ ଭଙ୍ଗୀରେ କହିଲେ—ତୁମ ପାଇଁ ମୁଁ କାଲି ରାତିସାରା ଅନିଦ୍ରା ହୋଇଛି । ଆଜି ଯେ ତୁମେ ଆସିବ ଏକଥା ବି ମୋ ମନରେ ବିଶ୍ଵାସ ନ ଥିଲା ।

ନଳିନୀ ଅତି ନିଜର ଲୋକଭଳି କହିଲା—କେବଳ ଆପଣଙ୍କୁ ଅନିଦ୍ରାରେ ନ ରଖାଇବା ପାଇଁ ମୁଁ କାଲି ଆସିଲି ନାହିଁ । କିନ୍ତୁ ହଠାତ୍‍ ସେ ଯୁବତୀଟି ଆସି ଆପଣଙ୍କୁ ବଡ଼ ବ୍ୟସ୍ତ କଲା, ନୁହେଁ-! କ’ଣ କରିବ ବିଚାରୀ !

ଶିଶିରବାବୁ କହିଲେ—ତା’ କଥା ଶୁଣି ମୋ ଆଖିରେ ବି ଲୁହ ଜକେଇ ଆସିଲା । ଭଗବାନଙ୍କ ଛଡ଼ା ମଣିଷ ହାତରେ କ’ଣ ଅଛି ?

ନଳିନୀ ଅଶ୍ରୁପୂର୍ଣ୍ଣ ନୟନରେ ଶିଶିରବାବୁଙ୍କ ଆଡ଼କୁ ଚାହିଁ କହିଲା—ନାରୀ ହୃଦୟ କେତେ ଯେ କୋମଳ ଏଇଥିରୁ ବୁଝନ୍ତୁ । ଟିକିଏ କଥାରେ ଅନ୍ୟପାଇଁ ସେ ଜୀବନ ଉତ୍ସର୍ଗ କରିପାରେ ।

ଶିଶିରବାବୁ ଧୀର ଗଳାରେ ଉତ୍ତରଦେଲେ—ସେ କଥା କିଏ ମନା କରୁଛି ? ଠିଆ ହେଲ କାହିଁକି ନଳିନୀ, ବସ । ଆଜି ଏ ଜହ୍ନରାତି ବଡ଼ ସୁନ୍ଦର ଦିଶୁଛି—ନୁହେଁ ! ଏବେ ତୁମ କଥା ଆରମ୍ଭ କର ?

ନଳିନୀ ବସି ପଡ଼ୁ ପଡ଼ୁ କହିଲା—ଜହ୍ନରାତି, ଫୁଲ ଓ ମଳୟ ପବନ ମଣିଷ ମନକୁ ଉଚ୍ଚାଟ କରିବା ପାଇଁ ବି କମ୍‍ ଦାୟୀ ନୁହଁ ! ହଁ, କେଉଁଠୁ ଛାଡ଼ିଥିଲି ମୁଁ ? ଆଉ ବୋଧହୁଏ ଆପଣଙ୍କ ପାଖକୁ ମୋର ଆସିବା ସମ୍ଭବ ହେବ ନାହିଁ ! ଆଜି ମୋ ନିଉଛୁଣା ଜୀବନର ଅବଶିଷ୍ଟ କାହାଣୀ କହିଦେବି ଯେ....

ଶିଶିରବାବୁ ଆକାଶରୁ ଖସିପଡ଼ିଲା ପରି କହିଲେ—ତୁମେ ଆଉ ଆସିପାରିବ ନାହିଁ ନଳିନୀ ! କାହିଁକି ? କ’ଣ ହେଲା ? ମୁଁ ତୁମକୁ ଦେଖିଲେ ମୋର ଆନନ୍ଦର ସୀମା ରହୁ ନାହିଁ ।

ନଳିନୀ ଅଧରରେ ନୀରସ ହସ ଆଙ୍କି କହିଲା—କାହିଁକି ନ ଆସିପାରିବି ସେକଥା କେମିତି ମୁଁ ବୁଝାଇବି ଆପଣଙ୍କୁ ! ମଣିଷ ମଲା ପରେ କେତେ ଦିନଯାଏ ଏ ସଂସାରର ମାୟାମମତା ଏଡ଼ାଇ ଦେବାକୁ ଆଦୌ ଇଚ୍ଛା କରେ ନାହିଁ । ତେଣୁ ମୃତ୍ୟୁପରେ ସେହି ମୃତ ଆତ୍ମା ନିଜର ବାସଭୂମି, ନିଜର ଧନ ସମ୍ପଦ ଓ ପ୍ରିୟ ଆତ୍ମୀୟମାନଙ୍କ ଚାରିପାଖରେ ଅନବରତ ଘୂରି ବୁଲେ-। କିନ୍ତୁ ଦିନ ଯେମିତି ଗଡ଼େ, ଆତ୍ମା-ରୂପୀ ପବନ ସେତିକି ଉପରସ୍ତରକୁ ଉଠିଯାଏ—ଏବଂ ସର୍ବବ୍ୟାପୀ ପବନ ସହିତ ଅତି ସୁକ୍ଷ୍ମରୂପରେ ମିଳାଇ ଯିବାର ଉପକ୍ରମ ହୁଏ । କ୍ରମେ ଏହି ପୃଥିବୀ ସହିତ ଥିବା ତା’ର ସବୁ ସମ୍ବନ୍ଧ ଆପେ ଆପେ ମନରୁ ଲୀନ ହୋଇଯାଏ । ମୋର ସେହି ଅବସ୍ଥା ଆସି ହେଲାଣି । ମୋ ପକ୍ଷରେ ଏଠିକୁ ଆସିବା ଆଉ ସମ୍ଭବ ହେବନାହିଁ—ଡାକ୍ତରବାବୁ !

 

ମୃତ୍ୟୁ ପରେ ଆତ୍ମାର ଅବସ୍ଥା କଥା ନଳିନୀ ମୁହଁରୁ ଶିଶିରବାବୁ ବିସ୍ମିତ ହୋଇ ଶୁଣୁଥିଲେ ।

 

ନଳିନୀ ଶିଶିରବାବୁଙ୍କ ନୀରବତା ଭଙ୍ଗକରି କହିଲା—ଶୁଣନ୍ତୁ, ମୋ ଜୀବନର ବାକି କେଇଟା ଦିନର କଥା । ମୋ ସାଙ୍ଗ ମେନକା କଥାତ ମୁଁ ଆଗରୁ କହିଛି । ତାରି ଭାଇଙ୍କ ନାମ ରମାନାଥ । କଟକରେ ଯାଇଁ କଲେଜରେ ପଢ଼ୁଥିଲେ । କହୁଥିଲି ପରା ମୁଁ ସେଦିନ ଖରାବେଳେ ମୋ ମନକୁ ପୁଷ୍ପରଥରେ ବସାଇ ଘୂରାଉ ଘୂରାଉ କେତେବେଳେ ଯେ ଆଖି ମୋର ନିଦରେ ବୁଜିହୋଇ ଯାଇଥିଲା, ମୁଁ ଜାଣିନି ।

 

ପ୍ରାୟ ଦିନ ତିନିଟା ହେବ । ଖରା ତେଜ ଖୁବ୍‍ ଥାଏ । ଗାଁ ଭୂଇଁର ଲୋକ ବି ପଦାକୁ ବାହାରି ନଥାନ୍ତି । ମୋର ସାଥୀ ମେନକା ଯାଇଁ ମୋତେ ଡାକିଲା—କ’ଣ କରୁଛୁ କିଲୋ ନଳିନୀ ! ଶୋଇଛୁ ନା କ’ଣ ?

 

କାହାର ପରିଚିତ ସ୍ୱରରେ ନିଦ ଗର ଗର ହୋଇଉଠିଲି । ଦେଖିଲି ମୋ ସାଙ୍ଗ ମେନକା । ତାକୁ ଦେଖି ଖୁବ୍‍ ଖୁସି ହୋଇ କହିଲି—

 

ଏତେ ଖରାଟାରେ କୁଆଡ଼େ ଆସିଲୁ ? ଝାଳ ବୋହିଯାଉଛି, ବିଚଣା ନେଇ ବିଞ୍ଚିହୋଇ ପଡ଼ ।

 

ସେ ହସ ହସ ହୋଇ କହିଲା—ମୁଁ ଏକା ଆସିନାହିଁ । ତମ ଘରକୁ ମୋ ସାଥିରେ ଆଉଜଣେ କୁଣିଆ ଆସିଛନ୍ତି, ଦାଣ୍ଡରେ ଠିଆ ହୋଇଛନ୍ତି ।

 

ମୁଁ ବିସ୍ମିତ ହୋଇ କହିଲି—କିଏ କହୁନୁ ? ତାଙ୍କୁ ଖରାଟାରେ ଠିଆ କରାଇ....

 

ସେ କହିଲା—ମୋ ରମାଭାଇ ପରା ! ତୋତେ ଦେଖିବାକୁ ଆସିଛନ୍ତି । ତା’ଛଡା ଆଜି ଆମର ଘରେ ସତ୍ୟନାରାୟଣ ପୂଜା ହେବ, ସେଥିପାଇଁ ଫୁଲକଥା କହିବାକୁ ବି ମୁଁ ଆସିଛି !

 

ତା’ ଉପରେ ଟିକିଏ ଖୁସିରେ ଚିଡ଼ିଯାଇ କହିଲି—ରମାଭାଇ ପୁଣି କୁଣିଆ ? ମୁଁ କ’ଣ ତାଙ୍କୁ ଚିହ୍ନିନାହିଁ ? କେଇଟା ବର୍ଷ କଟକରେ ରହି ଗାଁ ଗଣ୍ଡା କଥା ସେ କ’ଣ ଭୁଲି ଗଲେଣି । ତୁ ଘରେ ରହ, ମୁଁ ତାଙ୍କୁ ଯାଇ ଡାକି ଆଣୁଛି ।

 

ତରତର ହୋଇ ବାହାରକୁ ଗଲି । ସେ ଆମ ଦୁଆର ମୁହଁରେ ଠିଆହୋଇ ଏଣିକି ତେଣିକି ଚାହିଁ ବଗିଚାବାଡ଼ି ଦେଖୁଥାନ୍ତି । ମୁଁ ହସ ହସ ହୋଇ ହଠାତ୍‍ ତାଙ୍କ ପଛରୁ ଡାକିଦେଲି—କିହୋ ରମାଭାଇ, ତୁମେ କେଉଁ ଦିନଠୁ ଏତେ କାଇଦା କଟକଣା ଶିଖିଲଣି ମ ? କୁଣିଆପରି ଦୁଆର ମୁହଁରେ କାହିଁକି ଠିଆ ହୋଇଛ । ଭିତରକୁ ଆସୁନା ! କେହି ତମକୁ ବାଡ଼େଇବ ନାହିଁ ମ !

 

ସେ ମୋତେ ଚାହିଁ ଅବାକ ହୋଇଗଲେ । ଏଇ କେଇବର୍ଷ ଭିତରେ ମୁଁ ଯେ ଏତେ ସୁନ୍ଦର ହୋଇଯାଇଛି, ସେ କଥା ବୋଧେ ସେ ନିଜ ମନକୁ ଆଣିନଥିଲେ । ଅପଲକ ନେତ୍ରରେ ମୋତେ ଚାହିଁ ହସ ହସ ହୋଇ କହିଲେ—ଭାବିଲି, କାଳେ ମୋତେ ତୁ ଭୁଲି ଯିବୁଣି । ସେ ପିଲାଦିନ କଥା କ’ଣ ଆଜି ଆଉ ଅଛି ! ମେନାଠାରୁ ତୋ କଥା ପଚାରି ସବୁ ଶୁଣିଥିଲି । ତୁ ଏ ଭିତରେ କେଡ଼େ ସୁନ୍ଦର ହୋଇଗଲୁଣି !

 

ହସି ହସି କହିଲି—ମୋର ବା କିବା ରୂପ ! ତୁମେ କ’ଣ ସୁନ୍ଦର ହୋଇନାହଁ ! ଭିତରକୁ ଆସ । ମୁଁ ବୋଉକୁ ଉଠାଇ ଦେଉଛି । ସେ ତମକୁ ଦେଖିଲେ କେଡ଼େ ଖୁସି ହେବ ।

 

ସେ ପାଖକୁ ଆସି ମୋ ଚିବୁକକୁ ହଲାଇଦେଇ କହିଲେ—ପିଜୁଳି ଖିଆ କଥା ମନେଅଛି ନଳିନୀ ?

 

ମୁଁ ତାଙ୍କର ପରଶରେ ମନ୍ତ୍ରମୁଗ୍ଧ ପରି ଠିଆ ହୋଇ ରହି କହିଲି—ସବୁ ମନେଅଛି ! ତୁମେ ସିନା କେବେ ମନେ କରନାହିଁ । ମୁଁ ସବୁବେଳେ ତୁମକୁ ମନେକରେ !

 

ସେ ଚାରିଆଡ଼କୁ ଟିକିଏ ଚାହିଁ କହିଲେ—ତୋର ସୁନ୍ଦର ମୁହଁ—ଏହି ସୁନ୍ଦର ଚାହାଣିକୁ ଯିଏ ଥରେ ଦେଖିଛି, ସେ ତା’ ଜୀବନ କାଳରେ ତୋତେ ଭୁଲିପାରିବ ନାହିଁ । ସେ ପୁଣି ଥରେ ମୋ ଚିବୁକକୁ ହଲାଇ ଦେଲେ ।

 

ମୁଁ ତାଙ୍କ ମୁହଁକୁ ଚାହିଁ ନ ଚାହିଁଲା ପରି ଦୁଷ୍ଟାମୀ ହସ ହସି କହିଲି—ତମେ ଆଜିକାଲି କଟକରେ ରହି ଭାରି ଦୁଷ୍ଟ ହେଇ ଗଲଣି—ରମାଭାଇ ।

 

ସେ ହସି ହସି ପୁଣି ହଲାଇ ଦେଲେ ମୋ ଚିବୁକକୁ ।

 

ଏତେଦିନ ପରେ ତାଙ୍କୁ ଦେଖି ତାଙ୍କ ପାଖକୁ ଯିବାକୁ ମନ ମୋଟେ ଚାହୁଁନଥିଲା । ମେନକା ଘର ଭିତରୁ ଡାକିଲା, ଆ ନଳିନୀ ଏଠିକୁ । ଦେଖୁ ଦେଖୁ ଗପ ପେଡ଼ି ଖୋଲିଦେଲୁ ନା କ’ଣ ?

 

କହିଲି କୁଣିଆକୁ ଅଭ୍ୟର୍ଥନା କରୁଛି ପରା ? ତା’ପରେ ଦୌଡ଼ିଯାଇଁ ବୋଉକୁ ଉଠାଇ ଦେଲି । ବୋଉ ତାକୁ ଦେଖି ଭାରି ଖୁସି ହୋଇ, ଖାଇବା ପିଇବା ଯୋଗାଡ଼ରେ ଲାଗିଗଲା ।

 

ଶିଶିରବାବୁ ଆନନ୍ଦରେ କହିଉଠିଲେ—ସେହି ରମାକାନ୍ତର ଜୀବନ ଧନ୍ୟ ! ଏ ମର୍ତ୍ତ୍ୟମଣ୍ଡଳରେ ସେହି ଏକା ଭାଗ୍ୟବାନ ।

 

ନଳିନୀ ତଳକୁ ମୁହଁପୋତି ଲାଜ ଲାଜ ହୋଇ କହିଲା—ଆଉ ଏଣିକି କ’ଣ କହିବି ଡାକ୍ତରବାବୁ ! ଏଇ ରମାକାନ୍ତବାବୁଙ୍କୁ ନେଇ ମୋ ଜୀବନ ଆରମ୍ଭ ଆଉ ଶେଷ । ଗୁପ୍ତରେ କେତେ ଜ୍ୟୋତ୍ସ୍ନାରାତି ଆମରି ବଗିଚାର ନାଗେଶ୍ୱର ଗଛତଳେ କଟିଛି । କେତେ ପ୍ରତିଜ୍ଞା, କେତେ କଳ୍ପନା, ତା’ର ଇୟତ୍ତା ନାହିଁ । ଆମେ ଦଶ ଦିଗପାଳଙ୍କୁ ସାଖିରଖି ପ୍ରତିଜ୍ଞା କରିଥିଲୁ, ପୂର୍ବଦିଗର ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହୋଇପାରେ, କିନ୍ତୁ ଆମ ଦୁହିଁଙ୍କୁ କେହି ଅଲଗା କରିପାରିବେ ନାହିଁ । ସେ ଜାତିରେ ଖଣ୍ଡାୟତ, ମୁଁ ମାଳିଘର ଝିଅ, ଏ କଥା ଆମେ ମନକୁ କେବେ ଆଣିନଥିଲୁ । ମୁଁ ପିଲାଦିନ ଇତିହାସରୁ ପଢ଼ିଥିଲି, ଦିନେ ସମସ୍ତେ ଏକ ଜାତି ଥିଲେ । ଏଇ ମଣିଷ ନିଜର ସୁବିଧା ପାଇଁ ଏତେ ଜାତି ତିଆରି କରିଛି ।

 

ଶିଶିରବାବୁ ଦୀର୍ଘନିଃଶ୍ୱାସ ଛାଡ଼ି କହିଲେ—ଏଡ଼େ ବଡ଼ ହିମାଳୟ ପରି ପ୍ରତିଜ୍ଞା କେଉଁଥିପାଇଁ ନଷ୍ଟ ହୋଇଗଲା ନଳିନୀ !

 

ମୁଁ ସେ କଥା କହିପାରିବି ନାହିଁ ଡାକ୍ତରବାବୁ ! ଆଜି ବି ଜାଣିନି । ହଁ, ଶୁଣନ୍ତୁ । ଆମର ଏକଥା ଅଛପା ହୋଇରହିଲା ନାହିଁ । ଗାଁରେ ଟୁପ୍‍ଟାପ୍‍ ହୋଇ ସମସ୍ତେ ଜାଣିଲେ । ରମାଭାଇଙ୍କ ବାପା ବି ପୁଅକୁ ବହୁତ ବୁଝାଇଲେ, କିନ୍ତୁ ସେ ଅଟଳ । ମୋ’ଛଡ଼ା ସେ କାହାକୁ ଜୀବନରେ ଚାହାଁନ୍ତି ନାହିଁ । ବାପା ବୋଉ, ଗାଁ ପିଲା ହିସାବରେ ରମାଭାଇଙ୍କୁ ସେ ପୁଅ ପରି ସ୍ନେହ କରୁଥିଲେ ବି କେବଳ ଜାତି ନେଇ ସେମାନେ ଏକଥାକୁ ଆଦୌ ପସନ୍ଦ କରୁନଥିଲେ ।ଏଇ କଥାନେଇ ମୁଁ କେତେ ଲୋକଙ୍କଠାରୁ କେତେ ଅପମାନ ଯେ ସହିଛି ତା’ର କଳନା ନାହିଁ ।

 

ଶିଶିରବାବୁ ଅସ୍ଥିର ଚିତ୍ତରେ ନଳିନୀର ଶେଷ ଜୀବନ କାହାଣୀ ଶୁଣିବାକୁ ପଚାରିଲେ–ତା’ପରେ... । କିଏ ପୁଣି ତୁମର ଚଲା ପଥରେ ହୁତାଶନ ଜାଳିଦେଲା ?

 

କହିଲିପରା ଡାକ୍ତରବାବୁ, ସେ କଥା ଆଜି ମୁଁ ଠିକ୍‍ ଭାବରେ ଜାଣିନି । ସେଇ କେଇମାସ ମୁଁ ବେଶ୍‍ ଅନୁମାନ କରିଛି, ରମାଭାଇଙ୍କ ବାପ, ମା’, ବନ୍ଧୁ-ବାନ୍ଧବ ଆମର ଏ ସମନ୍ଧକୁ ଭାଙ୍ଗିଦେବାକୁ ଦିନ ରାତି ଚେଷ୍ଟା କରୁଥିଲେ । ବାପା ବି ମୋ’ପାଇଁ ଆମରି ଜାତିର ଭଲ ବରଟିଏ ଖୋଜିବାକୁ କେତେ ଲୋକ ପଠାଉଥିଲେ । ରମାଭାଇ ଥିଲେ ଯାଇଁ କଟକରେ । ଅନ୍ୟ ଜରିଆରେ ତାଙ୍କଠାରୁ ବରାବର ଚିଠି ପାଉଥିଲି । ପ୍ରତି ଚିଠିରେ ଆଶ୍ୱାସନା—ତୁ ଆଦୌ ବ୍ୟସ୍ତ ହେବୁନି ନଳିନୀ-!

 

ନଳିନୀ ଟିକିଏ ନୀରବ ରହି ଦୀର୍ଘନିଃଶ୍ୱାସ ଛାଡ଼ି କହିଲା—ମାନସିକ ଚିନ୍ତାରେ ମୋତେ ଗୋଟିଏ ଦିନ, କୋଟିଏ ଦିନ ପରି ଲାଗୁଥିଲା । ମଳୟ ପବନ ଲାଗୁଥିଲା ବୈଶାଖର ଝାଞ୍ଜିପରି । ଫୁଲର ମହକକୁ ମୁଁ ବିଷ ବାଷ୍ପପରି ଜ୍ଞାନ କରୁଥିଲି । ଦିନ ଗଣୁଥିଲି କେବେ ଆମର କଳ୍ପନା ସଫଳ ହେବ । ଏ ଗାଁ ଭୂଇଁ ଛାଡ଼ି ଚାଲିଯିବୁ ଦୂରକୁ ଯେଉଁଠି କାହାରି ନାଲିଆଖି ନଥିବ । ସ୍ନେହ ପ୍ରୀତିରେ ଆମେ ଯେଉଁ ଜୀବନକୁ ଗଢ଼ିଛୁ, ତାକୁ ବିଦ୍ରୁପରେ ହସିବାକୁ କେହି ନ ଥିବେ ।

 

ଦିନକର କଥା । ସେଦିନ ମୋ ମନର ଅବସ୍ଥା କହିଲେ ନ ସରେ । ଲୋକଙ୍କ ଢଙ୍ଗଢାଙ୍ଗ ଟୁପ୍‍ଟାପ୍‍ କଥାରୁ ମୁଁ ଶୁଣୁଥାଏ, ରମାଭାଇଙ୍କର କୁଆଡ଼େ କଟକ ଆଡ଼େ ବାହାଘର ଠିକ୍‍ ହୋଇଗଲାଣି । ତାଙ୍କ ଘରେ ସମସ୍ତେ ବାହାଘର ଯୋଗାଡ଼ରେ ଲାଗିଛନ୍ତି ।

 

ରମାଭାଇ ଅନ୍ୟ କେଉଁଠି ବିଭା ହେବେ । ଏକଥା ମୋ ମନକୁ ଆଣିଲାକ୍ଷଣି ମୋତେ ଲାଗୁଥିଲା, ସତେ ଯେପରି ସହସ୍ର ଛୁଞ୍ଚି ଏକ ସଙ୍ଗରେ କିଏ ମୋର କଲିଜା ଆଉ ମୁଣ୍ଡ ଭିତରେ ଫୋଡ଼ି ଦେଇଯାଉଛି । ମୋର ବୁଦ୍ଧି ହଜି ଯାଉଥିଲା । ନିଃଶ୍ୱାସ ଯେପରି ବନ୍ଦ ହୋଇ ଆସୁଥିଲା ।

 

...ପୁଣି ମନକୁ ବୋଧଦେଇ ଭାବୁଥିଲି, ରମାଭାଇ କଦାପି ତାହା କରିବେ ନାହିଁ । ତାଙ୍କର ପ୍ରତିଜ୍ଞା ସୂର୍ଯ୍ୟ ଚନ୍ଦ୍ର ଭଳି ଅଟଳ । ହୁଏତ କେହି ଖଳ ଲୋକ, କିମ୍ବା ତାଙ୍କରି ବାପ, ଭାଇ କୌଶଳ କରି ଏପରି ପ୍ରଚାର କରାଉଛନ୍ତି । ତଥାପି ମନ ମୋର ସନ୍ଦେହରେ ଦୋହଲୁଥିଲା ! ତାଙ୍କଠାରୁ ଆଠଦିନ ହେଲା ଯେ କୌଣସି ଚିଠି ପାଇନାହିଁ ! କିଏ କହିବ କ’ଣ ହେଲାଣି ୟା’ ଭିତରେ ! ମନେମନେ ଠିକ୍‍ କଲି ଆଜି ତାଙ୍କ ପାଖକୁ ନିଶ୍ଚୟ ଏ ବିଷୟରେ ଚିଠି ଲେଖିବି ।

 

ଆମ ଘରେ ମଧ୍ୟ ମୁଁ କିଛି ନ ଜାଣିଲା ପରି କେତେକଥା ହେଉଥାଏ । ବେଳେ ବେଳେ କେଉଁ ଦୂର ଗାଁ’ରୁ ଲୋକ ଆସୁଥାନ୍ତି, ଯାଉଥାନ୍ତି । ମୋତେ ବି ଦୁଇ ତିନି ଜାଗାରୁ ବରପକ୍ଷ ଆସି ଦେଖିଗଲେଣି । ମୁଁ ଏସବୁ କଥା ବୁଝିବାକୁ ମୋଟେ ଇଚ୍ଛା କରୁନଥିଲି । ତାହା ଜାଣିବାରେ ମୋର ଆନନ୍ଦତ ନ ଥିଲା ମୋଟେ, ବରଂ ତାହା ଜାଣି ମୋର ଅନ୍ତରାତ୍ମା ବିକଳ ହୋଇ ଚିତ୍କାର କରି ଉଠୁଥିଲା । ରମାଭାଇଙ୍କୁ ଛାଡ଼ି ମୁଁ ପୁଣି ଯିବି ଅନ୍ୟଆଡ଼କୁ । ଅସମ୍ଭବ !!

 

ସେଦିନ ବୋଉ ସଞ୍ଜ ଦେଇ ଆସିଲା । ଦି’ଦିନ ହେଲା ଆମ ଘରକୁ ତିନି ଚାରିଜଣ ପୁରୁଷ ସ୍ତ୍ରୀ, କୁଣିଆ ହୋଇ ଆସିଥାନ୍ତି । ସେମାନେ ଆମର ବନ୍ଧୁବାନ୍ଧବ ହେବେ । ମୁଁ ଶୁଣିଲାଭଳି ବୋଉ ତାଙ୍କ ଆଗରେ କହିଲା—ଆଜି ନଳିନୀର ବାପା ଓ ଅନ୍ୟ କେତେକ ବରଘର ଦେଖିବାକୁ ଯାଇଥିଲେ । ସେମାନେ ପୂରା ରାଜି । ଭଲ ଘର, ଭଲ ବର । ବରଟି ଦେଖିବାକୁ ଭାରି ସୁନ୍ଦର । କଟକର କଲେଜରେ ଯାଇଁ ପଢ଼ୁଛି । ବାପ ମା’ଙ୍କର ସେ ଗୋଟିଏ ମାତ୍ର ପୁଅ । ଆମର ନଳିନୀକୁ ବି ୟା’ ଭିତରେ ଦେଖି ଯାଇଛନ୍ତି । ଝିଅ ଦେଖି ସେମାନଙ୍କର ପୂରା ମନ ମାନିଛି । ଖାଲି ତିଥିବାର ଠିକ୍‍ ହେବାର କଥା । ଗୋପୀନାଥଙ୍କ ପାଖରେ ମାନସିକ କରିଛି କେମିତି ହେଇଯାଉ ।

 

କେଉଁ ଝିଅ ଏଭଳି ଶୁଭ ସମ୍ବାଦରେ ଖୁସି ନ ହେବ ! ମୁଁ କିନ୍ତୁ ବୋଉ କଥା ଶୁଣି ଖୁସିହୋଇ ପାରିଲି ନାହିଁ । ତା’ର ପ୍ରତ୍ୟେକ କଥା ମୋତେ ଯେପରି ଅସହ୍ୟ ବୋଧ ହେଉଥିଲା । ତା’ କଥା ଶୁଣିବାକୁ ମୁଁ ମୋଟେ ଇଚ୍ଛା କରୁନଥିଲି । ଭଲ ବର, ଏକଥା କାନରେ ଶୁଣିଲାକ୍ଷଣି ମନେମନେ ଭାବୁଥିଲି—ରମାଭାଇଙ୍କଠାରୁ ଦୁନିଆରେ ଆଉ କ’ଣ କିଏ ଭଲ ବର ଅଛି ! ତାଙ୍କ କଥା ଭାବିଲା ମାତ୍ରେ ତାଙ୍କର ଚିର ସୁନ୍ଦର ମୁହଁ ମୋର ଆଖି ଆଗରେ ଝଲସି ଉଠୁଥିଲା...କାନ ପାଖରେ ଅମୃତବାଣୀ ଭଳି ଶୁଭି ଯାଉଥିଲା—‘‘ନଳିନୀ, ମୁଁ ତୋତେ ପ୍ରାଣରୁ ବଳି ଭଲପାଏ ।’’ ତୋତେ ମୋ ପାଖରୁ କେହି ଅନ୍ତରକରି ପାରିବେ ନାହିଁ । କ୍ଷଣକ ପାଇଁ ମୁଁ ଭୁଲିଯାଏ ସବୁକଥା । ରମାଭାଇଙ୍କ କଥା ଭାବି ଆନନ୍ଦରେ ବିଭୋର ହୁଏ ।

ସେଦିନ ରାତି ଏଗାରଟା ବାଜିଲା । ଆଜିକାଲି ଏସବୁ କଥାପାଇଁ ମୋର ସାଙ୍ଗସାଥୀ ଆଉ ବେଶି ଆମ ଘରକୁ ଆସନ୍ତି ନାହିଁ । ହୁଏତ ସେମାନଙ୍କୁ କେହି ମନା କରି ଦେଇଥିବ । କିନ୍ତୁ ଗୌରୀ ଆସେ ଅନେକ ସମୟରେ, ସୁଖଦୁଃଖର ମୋର ସେ ଚିର ସାଥୀ ।

ସମସ୍ତେ ଶୋଇଲେ । ଲନ୍‍ଠଣଟି କମେଇଦେଇ କାଗଜ କଲମ ବାହାର କଲି—

ସ୍ନେହର ରମାଭାଇ,

ରାତି ବାରଟା

ଏଇଠୁ ଆପଣଙ୍କ ଚରଣ ଉଦ୍ଦେଶ୍ୟରେ ପ୍ରଣାମ ଜଣାଉଛି । କିଛି ଲେଖିବା ଅବସ୍ଥାରେ ମୁଁ ଆଜି ଆଉ ନାହିଁ । ଆପଣଙ୍କ ଘରେ ଭାରି ବାହାଘର ଯୋଗାଡ଼ ଚାଲିଛି—କୁଆଡ଼େ ଆପଣ କଟକରେ ବାହାହେବେ ବୋଲି । କଥା କ’ଣ ସତ ? ସତ କି ମିଛ ତାହା ଭଗବାନ ଜାଣନ୍ତି । କିନ୍ତୁ ମୋର ବିଶ୍ୱାସ ହୁଏ ନାହିଁ । ଯଦି ସତ ହୋଇଥାଏ, ତାହାହେଲେ ଦୟାକରି ଖବର ଦେବେ । ମୋର ଉପରେ ଅଭିମାନ କରିବାର କିଛିନାହିଁ । ଆପଣ ସୁଖୀ ହେଲେ ମୁଁ କଦାପି ଅମଙ୍ଗଳ ପାଞ୍ଚିବି ନାହିଁ । କିନ୍ତୁ ଆପଣଙ୍କ ସହିତ ଯେ କେତୋଟି ଦିନ ସୁଖ ଶାନ୍ତିରେ ଲୋକଙ୍କ ଆଖି ଅନ୍ତରାଳରେ କଟିଛି, ସେହି ସ୍ମୃତିକୁ ପାଥେୟ କରି ମୁଁ ଏ ଦୁନିଆରୁ ବିଦାୟ ନେବି । ଯାହାର ଚରଣତଳେ ଏ ପ୍ରାଣକୁ ଥରେ ଉତ୍ସର୍ଗ କରିଛି, ସେ ପ୍ରାଣକୁ ଆଉ କାହା ପାଖରେ ଅର୍ପଣ କରିଦେଇ ପାରିବି ନାହିଁ ।

 

ହଁ, ରମାଭାଇ ଶୁଣ ! ମୁଁ ମରିଗଲେ କିଛି ଦୁଃଖ ନ ଥିଲା । କିନ୍ତୁ ଗର୍ଭର ନୂତନ ଅତିଥିଟିକୁ ମାରିଦେବାକୁ ମୋର ମୋଟେ ସତ ବଳୁନି !

 

ଯାହା କରିବାର ଶୀଘ୍ର କରିବେ ! ଚିଠି ଦେବେ । ଆପଣଙ୍କ କଥା ଭାବି ଆଖିରେ ଲୁହ ଭରିଗଲାଣି । କିଛି ବି ଲେଖିପାରୁନି ମୁଁ । ପୁଣି ଶତ ଶତ କୋଟି ପ୍ରଣାମ ଜଣାଇ ବିଦାୟ ନେଲି । ଇତି ।

 

ସ୍ନେହର

ନଳିନୀ

 

ତହିଁ ଆରଦିନ ଚିଠିଟିକୁ ମୋର ବିଶ୍ୱାସୀ ଲୋକଦ୍ୱାରା ଡାକଘରକୁ ପଠାଇ ଦେଲି ।

 

ଆଠଦିନ ବିତିଲା । କାହିଁ ତାଙ୍କର ଚିଠି । ଯେଉଁ କଥାକୁ ଅବିଶ୍ୱାସ କରୁଥିଲି, ସେଇ କଥାକୁ ବିଶ୍ୱାସ କରିବାକୁ ମୁଁ ବାଧ୍ୟ ହେଉଥିଲି ! ଅନ୍ତର ମୋର ହାହାକାର କରି ଉଠୁଥିଲା । ସତେ କ’ଣ ରମାଭାଇ ମୋତେ ଅଥଳ ସାଗରରେ ଭସାଇ ଦେଇ, ସୁଖରେ ଘର-ସଂସାର କରିବେ !

 

ଆମଘରେ ବି ବାହାଘର ଯୋଗାଡ଼ ଚାଲିଥିଲା ଖୁବ୍‍ ଜୋରସୋରରେ । ହାଟ ସଉଦା ବି କିଣା ସରିଲାଣି । ଦିନ କେତେବେଳେ ଯାଉଥିଲା, ରାତି କେତେବେଳେ ଆସୁଥିଲା ମୁଁ ତାହା ଜାଣିପାରୁନଥିଲି । ଏକ ରକମ ମୁଁ ପାଗଳୀ ପାଲଟି ଯାଇଥିଲି । ମୋ ଶରୀରରେ ଯେ ପ୍ରାଣଅଛି, ମୋ ଶିରାପ୍ରଶିରାରେ ଯେ ରକ୍ତ ଚଳାଚଳ ହେଉଛି ଏ ଧାରଣା ବି ବେଳେ ବେଳେ ମୋର ଲୋପ ପାଉଥିଲା ।

 

ପୁଣି ଦି’ଦିନ ଗଡ଼ିଲା, କାହିଁ ଚିଠି ? ମୋ ଆଖିରୁ ଲୁହଧାର ଶୁଖିଲା ନାହିଁ । ସେଦିନ ଯାଇତାଇ ଗଣ୍ଡାଏ ଖାଇ ଦି’ପହରେ ବିଛଣାରେ ପଡ଼ିଛି, ମୋର ସାଥୀ ଗୌରୀ ଆସି ପହଞ୍ଚିଲା । ସବୁକଥା ସେ ଜାଣେ । ମୋ ଉପରକୁ ଆଉଜିପଡ଼ି କହିଲା, ମନ ଯାହା ଖୋଜେ ତାହା ମିଳେ ନାହିଁ ନଳିନୀ ! ସମସ୍ତେ ତ ମଣିଷ, ତୋ ସହିତ ରମାକାନ୍ତବାବୁ ବିଭାଘର ହୋଇଥିଲେ କେଡ଼େ ଭଲ ହୋଇଥାନ୍ତା ! ତାଙ୍କ ସାଇଆଡ଼େ ଯାଇଥିଲି ଯେ ତାଙ୍କର କୁଆଡ଼େ ବିଭାଘର ରହିଲା ମୋଟେ ଚାରିଦିନ । ଏଠି ବାହାଘର ହେବ ନାହିଁ । କଟକ ଆଡ଼େ ହେବ । ସେଠିକୁ ଯିବା ପାଇଁ ଜିନିଷପତ୍ର ତାଙ୍କର ସମସ୍ତେ ବାନ୍ଧିଲେଣି । କାଲି ଯିବେ କି କ’ଣ ।

 

ଶୁଣୁ ଶୁଣୁ ମୁଁ ଚମକି ପଡ଼ିଲି । ସତକଥା ଇଏ ! ମୋତେ ଲାଗୁଥିଲା ଏଇ ମୁହୂର୍ତ୍ତରେ ଯେପରି ମୋ ପ୍ରାଣବାୟୁ ଉଡ଼ିଯିବ ।

 

ଏତେବେଳେଯାଏ ଶିଶିରବାବୁ ନିର୍ବାକ୍‍ ହୋଇ ନଳିନୀ ଜୀବନର ହତାଶ କାହାଣୀ ଶୁଣୁଥିଲେ । ନଳିନୀ ଦୁଃଖରେ ଅଧୀର ହେବାର ଦେଖି କହିଲେ—ଏକଥା ଶୁଣିବାକୁ ମୋର ବି ଧୈର୍ଯ୍ୟ ରହୁନାହିଁ । ରମାକାନ୍ତବାବୁ କ’ଣ କୌଣସି ଚିଠି ଦେଲେ ନାହିଁ ?

 

ନଳିନୀ ଦୀର୍ଘନିଃଶ୍ୱାସ ଛାଡ଼ି କହିଲା—ଚିଠି ଦେଲେ କିନ୍ତୁ ସେ ଚିଠିଥିଲା ଯେପରି ମୋ ଜୀବନ ଦୀପକୁ ଲିଭାଇ ଦେବାପାଇଁ ଏକ ମୃତ୍ୟୁ ପରୱାନା—ସେ ଚିଠିରେ କ’ଣ ଥିଲା ଜାଣନ୍ତି ? ପଢ଼ୁଛି ଶୁଣନ୍ତୁ ।

 

ନଳିନୀ ସତକୁ ସତ କାହୁଁ ଖଣ୍ଡେ ଚିଠି ହାତରେ ଧରି ଲୁହ ନାଳ ଏକାଠି କରି ଆରମ୍ଭ କଲା ।

 

ସ୍ନେହର ନଳିନୀ,

 

ଏ ଚିଠି ପାଇ ଦୁଃଖ କରିବ ନାହିଁ । ମୁଁ ବହୁତ ଭାବିଚିନ୍ତି ତୁମର ମଙ୍ଗଳ ପାଇଁ ଏ ଚିଠି ଲେଖୁଛି । ଆମେ ଆଗ ପଛକୁ ବିଚାର ନକରି ଜୀବନକୁ ପିଲାଖେଳ ଭାବି ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ପୂରାପୂରି ଭୁଲ୍‍ । ନିଜ ଜାତି, ବାପ, ମା’, ଭାଇ, ବନ୍ଧୁଙ୍କୁ ଛାଡ଼ିବାକୁ ମୁଁ ଏବେ ଉଚିତ ମନେକରୁ ନାହିଁ । ତୁମର ବି ସେଇଆ ଭାବିବା ଉଚିତ । ତୁମର ଯେପରି ରୂପ ଅଛି, ସେଥିରେ ତୁମର ଉପଯୁକ୍ତ ବରର ଅଭାବ ହେବ ନାହିଁ । ପଛକଥାକୁ ଭୁଲି ଯିବ, ଜୀବନରେ ସୁଖୀ ହୁଅ, ଭଗବାନଙ୍କ ପାଖରେ ମୋର ଏତିକି କାମନା । ଇତି ।

 

ସ୍ନେହର

ରମାକାନ୍ତ

 

ଚିଠିଟି ପଢ଼ିସାରି ନଳିନୀ କଇଁ କଇଁ ହୋଇ କାନ୍ଦି ଉଠିଲା । ଶିଶିରବାବୁଙ୍କ ଆଖିରେ ବି ଲୁହ । କେତେବେଳେକେ ନଳିନୀ ଅଧର ଧରାଇ କହିଲା—କୁହନ୍ତୁ ଡାକ୍ତରବାବୁ ! ଦୁଇମାସର ସନ୍ତାନକୁ ଗର୍ଭରେ ଧରି ମୋର ଆଉ କି ଉପାୟ ଥିଲା ?

 

ଶିଶିରବାବୁ କ’ଣ ଭାବୁଥିଲା ପରି ଉତ୍ତରଦେଲେ, ଉପାୟ ଥିଲା ନଳିନୀ ! ସେ ଯେପରି ପ୍ରତାରଣା କରି ତୁମକୁ ଭୁଲିଗଲେ, ତୁମେ ଠିକ୍‍ ସେହିଭଳି ତାଙ୍କୁ ମନରୁ ଗୋଇଠା ମାରି ଫୋପାଡ଼ି ଦେଇଥିଲେ ସବୁ ଅଡ଼ୁଆ ଛିଣ୍ଡି ଯାଇଥାନ୍ତା । ପୁଣି କ’ଣ ତୁମର ସୋହାଗ-ସଂସାର ଗଢ଼ି ଉଠି ନଥାନ୍ତା ?

 

ନଳିନୀ ଲୁଗା କାନିରେ ଆଖି ପୋଛୁ ପୋଛୁ କହିଲା—ଛି, ତାହା ନାରୀ ପକ୍ଷରେ ଆଦୌ ସୁଖକର ନୁହେଁ ! ଜଣକୁ ଜୀବନ ଅର୍ପଣ କରି, ଅନ୍ୟ ଜଣକୁ ଭଲପାଇବାମାନେ ଛଳନା ଛଡ଼ା କିଛି ନୁହେଁ । କଦାପି ସେ ଜୀବନ ସୁଖ ଶାନ୍ତିରେ କଟିବ ନାହିଁ । ମୋର ଜୀବନ କାହାର ଅଭିଶାପରେ ଜଳିପୋଡ଼ି ଗଲା ବୋଲି, ମୁଁ କାହିଁକି ଅନ୍ୟର ସୁଖ ଶାନ୍ତିର ଜୀବନକୁ ଅଶାନ୍ତିରେ ପରିଣତ କରିଥାନ୍ତି ? ଏଭଳି ଅଭିନୟ କରିବାକୁ ମୁଁ ଆଦୌ ପସନ୍ଦ କଲି ନାହିଁ । ତେଣୁ ଦୁନିଆର ସବୁ ମାୟା-ମମତାକୁ ପଛରେ ପକାଇ ମୁଁ କଲି ଆତ୍ମହତ୍ୟା । x x ମୋର ବିଭାଗର ଥିଲା ମୋଟେ ଆଉ ଦୁଇଦିନ । ମୁଣ୍ଡରେ ବିନ୍ଦୁ ବିନ୍ଦୁ ଚନ୍ଦନ ନାଇ ମୁଁ କନ୍ୟା ବି ସାଜି ସାରିଥିଲି । x x ନଳିନୀ ଆଉ କିଛି କହିପାରିଲା ନାହିଁ ।

 

ଶିଶିରବାବୁ ପଥର ପ୍ରତିମା ଭଳି ନଳିନୀ ଆଡ଼େ ଚାହିଁ ରହିଥିଲେ ।

 

ନଳିନୀ ଘଣ୍ଟାକୁ ଚାହିଁ ଛଳ-ଛଳ ଆଖିରେ କହିଲା—ଆଉ କ’ଣ ଶୁଣିବେ ଡାକ୍ତରବାବୁ ! ଆଜି ଶେଷ ଦିନରେ ଆପଣଙ୍କର ମଙ୍ଗଳ କାମନା କରି ବିଦାୟ ନେଉଛି । ଆପଣଙ୍କର ସ୍ନେହ ଶ୍ରଦ୍ଧା ମୋର ମନେ ରହିବ ଯେତେଦିନ ଯାଏ ଏଇ ଆକାଶ ପବନରେ ଘୂରି ବୁଲିଥିବି ମୁଁ.... । ଘରୁ ପିଲା ଛୁଆଙ୍କୁ ଘେନି ଆସନ୍ତୁ । ମୋତେ ଭୁଲିଯିବେ ଡାକ୍ତରବାବୁ.... । ତିନିଟା ଯେ ଆସି ବାଜିବ । ଶୋଇବେ ଆଉ କେତେବେଳେ !

 

ଡାକ୍ତରବାବୁ ! ଡାକ୍ତରବାବୁ !!

 

ଝଡ଼ ବେଗରେ ଘର ଭିତରକୁ ପଶି ଆସିଲେ ଜଣେ ଯୁବକ ! ବୟସ ଚବିଶ ଭିତରେ । ଗୋରା ତକ ତକ ସୁନ୍ଦର ଚେହେରା । ମୁଖମଣ୍ଡଳରେ ବିଷାଦର କରୁଣଛାୟା ଘୋଟି ରହିଛି । ଅଯତ୍ନ କେଶ । ବେଶଭୂଷାରେ ଠିକଣା ନାହିଁ । ବାମ ହସ୍ତରେ କାଗଜଗୁଡ଼ା ପୁଟୁଳିଟିଏ ।

 

ଶିଶିରବାବୁଙ୍କର ବିସ୍ମୟର ସୀମା ରହିଲା ନାହିଁ । ନଳିନୀ ଚମକି ପଡ଼ି ଚିତ୍ର ପ୍ରତିମାପରି ତଳକୁ ମୁହଁପୋତି ଠିଆ ହୋଇରହିଲା ।

 

ଯୁବକଟି ସିଧା ଶିଶିରବାବୁଙ୍କ ପାଖକୁ ଆସି ତାଙ୍କ ଆଗରେ ସେହି ପୁଡ଼ିଆଟି ଖୋଲୁ ଖୋଲୁ ବାଷ୍ପରୁଦ୍ଧ କଣ୍ଠରେ କହିଲେ—ମଣିଷ ପୁଣି ଇମିତି ଭୁଲ୍‍ କରେ ! ଦେଖନ୍ତୁ ଡାକ୍ତରବାବୁ, କେଡ଼େ ଯତ୍ନରେ ମୁଁ ଏ ସୁନାର ହାରଟି ଗଢ଼ାଇଥିଲି । ଦେଖିଲେ, ଏ ନୀଳ ବନାରସୀ ଶାଢ଼ିଟି କେଡ଼େ ସୁନ୍ଦର ହୋଇଛି । ୟା’ର ମୂଲ୍ୟ କେତେ ଜାଣନ୍ତି ? ତିନିଶ ଟଙ୍କା । ନଳିନୀକୁ ମଧୁଶଯ୍ୟା ରାତିରେ ଉପହାର ଦେଇ ତା’ର ବଧୁଲି ଅଧରେ ହସ ଦେଖିବାକୁ ମୁଁ କେତେ ଆଶା କରିଥିଲି, କିନ୍ତୁ ମୋର ସେ ଆଶା ଧୂଳିସାତ୍‍ ହୋଇଗଲା—ଡାକ୍ତରବାବୁ !

 

ଶିଶିରବାବୁଙ୍କର ବୁଝିବାରେ ଆଉ କିଛି ବାକି ନଥିଲା ! ସେ ଉଚ୍ଛ୍ୱସିତ କଣ୍ଠରେ କହି ଉଠିଲେ, ଆପଣ ରମାକାନ୍ତବାବୁ !

 

ଯୁବକଟି ନଳିନୀ ଉପରେ ଦୃଷ୍ଟିରଖି କହିଲେ ଆପଣ ଠିକ୍‍ ଚିହ୍ନିଛନ୍ତି ଡାକ୍ତରବାବୁ ।

 

ଶିଶିରବାବୁ ବିସ୍ମିତ ହୋଇ କହିଉଠିଲେ—ଆପଣ ବି ନଳିନୀ ପଛେ ପଛେ ଦୁନିଆରୁ ବିଦାୟ ନେଇ ଆସିଛନ୍ତି ! କାହିଁକି ? ଆପଣଙ୍କ ଚିଠି ଖଣ୍ଡିକ ହିଁ ନଳିନୀର ମୃତ୍ୟୁର ପ୍ରଧାନ କାରଣ-

 

ଯୁବକଟି ବିସ୍ମିତ ହୋଇ ପ୍ରଶ୍ନକଲେ, କି ଚିଠି ! ମୋ ଚିଠି ପୁଣି ନଳିନୀର ମୃତ୍ୟୁର କାରଣ ହେବ ! ଅସମ୍ଭବ, ଡାକ୍ତରବାବୁ ! ସେ ଚିଠି ମୋ ନାମରେ ଯେ ପୂରାପୂରି ଜାଲ, ଏଥିରେ ଭାବିବାର କିଛି ନାହିଁ । ନଳିନୀ ଯଦି ଟିକିଏ ସଂଯତ ହୋଇ ମୋ ଅକ୍ଷରକୁ ଚିହ୍ନିବାକୁ ଚେଷ୍ଟା କରିଥାନ୍ତା, ତାହାହେଲେ ଆମ ଜୀବନ ଆଜି ଇମିତି ଛାରଖାର ହୋଇନଥାନ୍ତା ।

 

ନଳିନୀ ଶୁଣୁ ଶୁଣୁ କଇଁ କଇଁ ହୋଇ କାନ୍ଦିଉଠିଲା ।

 

ରମାକାନ୍ତବାବୁ କରୁଣ ସ୍ୱରରେ କହି ଚାଲିଲେ—ଜାଣିଲେ ଡାକ୍ତରବାବୁ, ମୁଁ ନଳିନୀର ଚିଠି ପାଇ ଅସ୍ଥିର ଚିତ୍ତରେ ଧାଇଁ ଆସିଲି ଘରକୁ । କିନ୍ତୁ ଘରେ ଶୁଣିଲି କ’ଣ ! ମୋରି ପାଇଁ ନଳିନୀ ଦୁନିଆରୁ ବିଦାୟ ନେଇଛି । ମୋତେ ଆଉ ବୁଦ୍ଧି ଦିଶିଲା ନାହିଁ । ମୁଁ ବା କେଉଁ ବିବେକରେ ଦୁନିଆରେ ବଞ୍ଚି ରହନ୍ତି ? ଦିନେ ଏକ ଜ୍ୟୋତ୍ସ୍ନାଝରା ମଧୁରାତିରେ ଦଶଦିଗପାଳଙ୍କୁ ସାକ୍ଷୀ ରଖି, ନଳିନୀର ଦିହଛୁଇଁ ପ୍ରତିଜ୍ଞା କରିଥିଲି—ତୁମକୁ ମୋ’ଠାରୁ କେହି ଅଲଗା କରିପାରିବେ ନାହିଁ । କହନ୍ତୁ ଡାକ୍ତରବାବୁ, ମୋର ପ୍ରତିଜ୍ଞା ମୁଁ ପାଳନ ନ କରନ୍ତି କିମିତି !

 

ଶିଶିରବାବୁ ଥରେ ଯୁବକଙ୍କୁ ଓ ଥରେ ନଳିନୀକୁ ଚାହିଁ କହିଲେ—ଆଉ କାନ୍ଦ ନାହିଁ ନଳିନୀ ! ତୁମର ଏଇକ୍ଷଣି ଗର୍ବ କରିବାର ବେଳ । କେବଳ ତୁମରି ପାଇଁ ରମାକାନ୍ତବାବୁ, ଦୁନିଆକୁ ତୁଚ୍ଛ ମଣି ତୁମ ପାଖକୁ ଚାଲି ଆସିଛନ୍ତି । ସେ ଜନ୍ମରେ ତୁମର ମିଳନ ସମ୍ଭବ ନ ହେଲେ ବି ଏ ପ୍ରେତପୁରୀରେ ତୁମେ ସ୍ୱାଧୀନ । ଏବେ ଏଇ ସୁନ୍ଦର ତରାଫୁଲଫୁଟା ନୀଳ ଆକାଶ ତଳେ ତୁମର କଳ୍ପନାର ସ୍ଵର୍ଣ୍ଣପୁରୀ ଗଢ଼ି ତୋଳ । ରମାକାନ୍ତବାବୁଙ୍କୁ ପାଇ ତୁମେ ବଡ଼ ଭାଗ୍ୟବତୀ ନଳିନୀ !

 

ନଳିନୀର ମଳିନ ମୁଖଟି କ୍ରମେ ପାହାନ୍ତି ପହରର ଗୋଲାପ ଫୁଲ ପରି ସତେଜ ହୋଇ ଉଠୁଥିଲା ।

 

ଶିଶିରବାବୁ ହସ ହସ ହୋଇ ରମାକାନ୍ତବାବୁଙ୍କୁ କହିଲେ—ଆଉ ଡେରି କାହିଁକି ! ନଳିନୀ ପାଇଁ କ’ଣ ଉପହାର ଆଣିଛନ୍ତି ପରା ? ଯାଆନ୍ତୁ, ନିଜ ହାତରେ ସେ ହାରଟି ତା’ ଗଳାରେ ପିନ୍ଧାଇ ଦିଅନ୍ତୁ । ନଳିନୀ ମୁହଁରେ ହସ ଦେଖିଲେ, ମୋ ମନରେ ତା’ପାଇଁ ପାହାଡ଼ ପରି ଜମା ହୋଇଥିବା ଦୁଃଖ କ୍ଷଣକରେ କୁଆଡ଼େ ଉଭେଇ ଯିବ । ଯାଆନ୍ତୁ...

 

ରମାକାନ୍ତବାବୁ ହସ ହସ ହୋଇ ଚିକ୍‍ମିକ୍‍ ମାରୁଥିବା ସୁନାହାରଟିକୁ ହାତରେ ଧରି ନଳିନୀ ପାଖକୁ ଆଗେଇ ଗଲେ । ନଳିନୀ ବି ଲାଜ ଲାଜ ହୋଇ ଦି’ପାଦ ଆଗେଇ ଆସି ତଳକୁ ମୁହଁପୋତି ଠିଆ ହୋଇରହିଲା ।

 

ରମାକାନ୍ତବାବୁ ଆଦରରେ ନଳିନୀ ବେକରେ ହାରଟିକୁ ପିନ୍ଧାଇ ଦେଇ ମନର ଅଫୁରନ୍ତ ଆନନ୍ଦରେ ତା’ର ମୁହଁଟିକୁ ଦୁଇ ପାପୁଲିରେ ଟେକିଧରି ପଚାରିଲେ—କିମିତି ହୋଇଛି ନଳିନୀ ?

 

ଦୁହିଁଙ୍କ ଅଧରରେ ଲାଖିରହିଥିଲା—ଅନ୍ତରର ପ୍ରାଣଉଚ୍ଛୁଳା ମୃଦୁ ହସ ।

 

ରାତ୍ରି ଚାରିଟା....

 

ହଠାତ୍‍ ଦୁଇଟି ଛୋଟ ନୀଳ ଆଲୋକ, ଆନନ୍ଦରେ ଲୁଚକାଳି ଖେଳିଲା ପରି ଝରକା ବାଟେ ବାହାରି ଗଲା । ଦୂରରୁ ଯେପରି ଆନନ୍ଦ ଗଦ୍‍ଗଦ୍‍ କ୍ଷୀଣ କଣ୍ଠରେ ଶୁଭୁଥିଲା—ନମସ୍କାର ଡାକ୍ତରବାବୁ !

Image